ବଢ଼ିଲା କର୍କଟ ରୋଗୀଙ୍କ ଦୁର୍ଦ୍ଦଶା

ଏମ୍ସ ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗ କାର୍ଯ୍ୟ ବାଧାପ୍ରାପ୍ତ

ଭୁବନେଶ୍ବର: ଏମ୍ସ ନ୍ୟୁକ୍ଲିୟର୍ ମେଡିସିନ୍‌ ବିଭାଗର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗାମା କ୍ୟାମେରା ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଉପକରଣ ଅଚଳ ହୋଇ ପଡ଼ିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ଆସୁଥିବା କର୍କଟ ରୋଗୀଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି। ତେବେ ଏମ୍ସ କର୍ତ୍ତୃପକ୍ଷ ଏହାକୁ କେତେ ଗୁରୁତ୍ବର ସହ ନେଉଛନ୍ତି ଓ କେତେ ଶୀଘ୍ର ଏହାର ସମାଧାନ କରୁଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗାମା କ୍ୟାମେରା ସମେତ ଅନେକ ଉପକରଣ ଅଚଳ

କର୍କଟ ରୋଗ ଚିହ୍ନଟ, ଔଷଧ ଦେବା ପରେ ଏହାର ପ୍ରଭାବ ଓ କେଉଁ ସ୍ତରରେ କର୍କଟ ରୋଗ ରହିଛି, ତାହା ଜାଣିବା ପାଇଁ ନ୍ୟୁକ୍ଲିୟର ମେଡିସିନ୍‌ ବିଭିନ୍ନ ପ୍ରକାର ଉପକରଣ ରହିଛି। ଘରୋଇ ଡାକ୍ତରଖାନାରେ ଏହି ପରୀକ୍ଷଣ ବ୍ୟବସ୍ଥାରେ ପ୍ରାୟ ୨୫ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏମ୍ସରେ ମାତ୍ର ୭୫୦୦ ଟଙ୍କା‌ରେ ହୋଇଥାଏ। ଏହି ସୁବିଧା ପାଇଁ ଏମ୍ସକୁ ଏତେସଂଖ୍ୟକ ରୋଗୀ ଆସୁଥିଲେ ଯେ ପ୍ରାୟ ଏକରୁ ଦେଢ଼ ମାସ ବିଳମ୍ବରେ ତାରିଖ ଦିଆଯାଉଥିଲା। ବର୍ତ୍ତମାନ ଉପକରଣ ଅଚଳ ହୋଇଯାଇଥିବାରୁ ରୋଗୀଙ୍କୁ ଆହୁରି ଅପେକ୍ଷା ଭୋଗିବାକୁ ପଡ଼ିବ। ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୫୦ ହଜାର ଲୋକ କର୍କଟରେ ଆକ୍ରାନ୍ତ ହୋଇଥା’ନ୍ତି। ବରଗଡ଼, କଳାହାଣ୍ଡି, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ବିଭିନ୍ନ ଜିଲ୍ଲାରୁ ଅନେକ ସଂଖ୍ୟାରେ କୃଷକ, ଶ୍ରମଜୀବୀ ଶ୍ରେଣୀର ଦାରିଦ୍ର୍ୟ ସୀମାରେଖା ତଳର ରୋଗୀ ସର୍ବାଧିକ ଥାଆନ୍ତି। ସେମାନଙ୍କ ପାଇଁ କୋହଳ ଦରରେ ପରୀକ୍ଷା ବ୍ୟବସ୍ଥାର ନିହାତି ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର