ଜଟିଳ ହେଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା: ୧୪ ବର୍ଷ ହେଲା ବିବାଦ ତୁଟିପାରୁନି

ଭୁବନେଶ୍ବର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ସମାଧାନ ହେବା ନାଁ ଧରୁନି। ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀମାନେ ଆଲୋଚନାକୁ ନ ଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ସମାଧାନର ବାଟ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ତେବେ ୧୬ ତାରିଖ ଦିନ ବିଏମ୍‌ସିରେ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହେବାକୁ ଯାଉଛି। ଗୋଟିଏ ପଟେ ଟିଟିଏସ୍‌ ଭର୍ତ୍ତି ହେବାକୁ ଯାଉଛି ଅନ୍ୟପଟେ ଆବର୍ଜନା ଅନ୍ୟ କେଉଁଠି ପକାଇବାକୁ ଅଧିକାରୀମାନେ ବେଳ ହୁଁ ବ୍ୟବସ୍ଥା କରିନାହାନ୍ତି। ଏଣୁ ସବୁ ବାଟ ବନ୍ଦ ହୋଇ ଯାଇଥିବାରୁ ବିଏମ୍‌ସି ଅଧିକାରୀମାନେ ଡମ୍ପିଂୟାର୍ଡରେ ଅଳିଆ ନ ପକାଇଦେବା ଜିଦ୍‌ରୁ ହଟିବାକୁ ଗ୍ରାମବାସୀଙ୍କ ନିକଟରେ କାକୁତିମିନତି ହେବାକୁ ଯାଉଛନ୍ତି। ଏଥିରେ କ’ଣ ନିର୍ଯ୍ୟାସ ବାହାରିବ ବା କେତେଦୂର ସମାଧାନର ବାଟ ବାହାରିବ ତାହା ତ ପଛ କଥା, କିନ୍ତୁ ଏତେ ବଡ଼ ସମସ୍ୟା ହେବା ପାଇଁ କିଏ ଦାୟୀ ସେ ନେଇ ପ୍ରଶ୍ନ ଉଠିଛି। ଦାରୁଠେଙ୍ଗରେ ୧୪ ବର୍ଷ ଧରି ଡମ୍ପିଂୟାର୍ଡକୁ ବିରୋଧ ଚାଲିଥିଲେ ମଧ୍ୟ କାହିଁକି ଅଧିକାରୀମାନେ ବାଟ ବାହାର କଲେ ନାହିଁ? ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହେଲା ନାହିଁ? ଏ ସମସ୍ତ ପ୍ରଶ୍ନ ଏବେ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବିବାଦକୁ ଟାଣିନି ବରଂ ବରି‌ଷ୍ଠ ଅଧିକାରୀମାନଙ୍କ ଆନ୍ତରିକତା ଅଭାବକୁ ପଦାରେ ପକାଇଛି।

୧୬ରେ ଆଲୋଚନା, ଶୁଣିବା ଅବସ୍ଥାରେ ନାହାନ୍ତି ଗ୍ରାମବାସୀ
ଯଥେଷ୍ଟ ହେଉନି ଏମ୍‌ସିସି, ଖୋଲିବ ଆଉ ୧୪

ଦାରୁଠେଙ୍ଗରେ ଯେଉଁ ଡମ୍ପିଂୟାର୍ଡ ହେଇଛି ତାହା ବିଏମ୍‌ସି ଅଞ୍ଚଳରେ ଆସୁନାହିଁ। ଯେତେବେଳେ ଏଠାରେ ଆବର୍ଜନା ଗଦା କରାଗଲା ସେତେବେଳେ ପଲିଥିନ୍‌ ଓ ଅନ୍ୟାନ୍ୟ ଜିନିଷ ଉଡ଼ି ସ୍ଥାନୀୟ ବାସିନ୍ଦାଙ୍କ ଘରେ ପଶିଥିଲା। ଏଣୁ ବିରୋଧ ଆରମ୍ଭ ହୋଇଥିଲା। ଶହ ଶହ ଲୋକଙ୍କ ନାମରେ ମାମଲା ହୋଇଥିଲା। ଲୋକମାନେ ବନ୍ଧା ହୋଇ ଜେଲ୍‌ ମଧ୍ୟ ଯାଇଥିଲେ। ମାମଲା କୋର୍ଟ ବି ଗଲା। ଯାହା ଯାହା କରିବାକୁ କୋର୍ଟ ଆଦେଶ ଦେଲେ ତାହା ମଧ୍ୟ ପୂରଣ ହେଲା ନାହିଁ। ଏହା ଅନ୍ୟତ୍ର ସ୍ଥାନାନ୍ତର ହେଲା ନାହିଁ। ଆବର୍ଜନାକୁ ପରିଚାଳନା କରି ଶକ୍ତି ଉତ୍ପାଦନ କରିବା ପ୍ରକଳ୍ପ ଫେଲ୍‌ ମାରିଲା। ଶେଷରେ ବାୟୋମାଇନିଂ ମଧ୍ୟ ଝୁଲି ରହିଲା। ସହରରୁ ଦୈନିକ ବାହାରୁଥିବା ଆବର୍ଜନାକୁ ପରିଚାଳନା କରିବାକୁ ବିଏମ୍‌ସି ସକ୍ଷମ ନ ହେବାରୁ ଡମ୍ପିଂୟାର୍ଡକୁ ଆବର୍ଜନା ଯିବା ବନ୍ଦ ହୋଇପାରିଲା ନାହିଁ। କାରଣ ଦୈନିକ ବାହାରୁଥିବା ଆବର୍ଜନାକୁ ପରିଚାଳନା କରିବା ପାଇଁ ବିଏମ୍‌ସି ଏମ୍‌ସିସି ଓ ଏମ୍‌ଆରଏଫ୍‌ ଜରିଆରେ ଯେଉଁ ସ୍ବପ୍ନ ଦେଖିଥିଲା ତାହା କେବଳ ସ୍ବପ୍ନରେ ରହିଗଲା।

ସହରରୁ ଦିନକୁ ୫୫୦ ଟନ୍‌ ଆବର୍ଜନା ବାହାରୁ ଥିଲା। ଏ ସବୁକୁ ପରିଚାଳନା କରିବା ପାଇଁ ୪୪ ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଓ ୧୯ଟି ଏମ୍‌ଆରଏଫ୍‌(ମ୍ୟାଟେରିଆଲ ରିକଭରି ଫାସିଲିଟି)କରିବାକୁ ଯୋଜନା ହୋଇଥିଲା। ଅଦ୍ୟାବଧି ୩୪ଟି ଏମ୍‌ସିସି ଓ ୧୫ଟି ଏମ୍‌ଆରଏଫ୍‌ କାର୍ଯ୍ୟକ୍ଷମ ହୋଇପାରିଛି। ବିଏମ୍‌ସି ସୂଚନା ମୁତବାକ, ଏମ୍‌ସିସିରେ ୧୫୦ ଟନ୍‌ ଓଦା ଓ ଏମ୍‌ଆରଏଫ୍‌ରେ ୧୦୦ ଟନ୍‌ ଶୁଖିଲା ଆବର୍ଜନା ପରିଚାଳନା ହୋଇ ପାରୁଛି। ଏବେ ଆଉ ୧୦ଟି ଏମ୍‌ସିସି ଓ ୪ଟି ଏମ୍‌ଆରଏଫ୍ କରିବାକୁ ଯୋଜନା ହୋଇଛି। ଏହା କାର୍ଯ୍ୟକ୍ଷମ ହୋଇଗଲେ ଦାରୁଠେଙ୍ଗ କିମ୍ବା ଟିଟିଏସ୍‌କୁ ଆବର୍ଜନା ଯିବ ନାହିଁ। ହେଲେ କେବେ ହେବ? ଦାରୁଠେଙ୍ଗକୁ ଆବର୍ଜନା ଯିବା ବନ୍ଦ ହୋଇଗଲାଣି। ଟିଟିଏସ୍‌ ଭର୍ତ୍ତି ହେବାକୁ ବସିଲାଣି। ବିଏମ୍‌ସି ଏମ୍‌ସିସି/ଏମ୍‌ଆରଏଫ୍‌ କରି ସବୁ ଆବର୍ଜନା ପରିଚାଳନା କରିବା ପ୍ରସଙ୍ଗ ଆକାଶ କଇଁଆ ଚିଲିକା ମାଛ ପ୍ରସଙ୍ଗ ଭଳି ଅନୁମେୟ ହୋଇଛି।

୧୪ ବର୍ଷ ମଧ୍ୟରେ ଦୁଇ ପାଳିରେ ମେୟରଙ୍କ ସମେତ ଏକାଧିକ କମିସନର ବଦଳିଛନ୍ତି। କିନ୍ତୁ ପରିମଳ ବିଭାଗରେ ଅଧିକାରୀମାନେ ବର୍ଷ ବର୍ଷ ଧରି ଦାୟିତ୍ବରେ ରହିଛନ୍ତି। ଠିକା ସଂସ୍ଥା ବଦଳି ଯାଉଥିଲେ ମଧ୍ୟ କର୍ମଚାରୀ ବଦଳୁ ନାହାନ୍ତି। ନୂଆ ଠିକା ସଂସ୍ଥା ଅଧୀନରେ ସେଇ ପୁରୁଣା କର୍ମଚାରୀ ନିଯୁକ୍ତି ପାଉଛନ୍ତି। କର୍ମଚାରୀଙ୍କ ଅବଧି କେବଳ ବର୍ଷକୁ ବର୍ଷ ପରିବର୍ଦ୍ଧିତ ହେଉଛି। ସେହିଭଳି ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ୨୦୧୮ ମସିହାରୁ ଦାୟିତ୍ବରେ ଅଛନ୍ତି। ତାଙ୍କର ବଦଳି ହୋଇଥିଲେ ମଧ୍ୟ ସେ ପରିମଳ ଦାୟିତ୍ବ ଭଲ ତୁଲାଉଥିବା ଦର୍ଶାଇ ତାଙ୍କୁ ବିଏମ୍‌ସି ଛାଡ଼ୁ ନାହିଁ। ଅର୍ଥାତ୍‌ ୪ ବର୍ଷ ହେବ ସେ କେବଳ ଗୋଟିଏ ଦାୟିତ୍ବରେ ଅଛନ୍ତି।

ନୂଆ କମିସନର ଆସିବା ପରେ ସେ ମଧ୍ୟ ପରିମଳକୁ ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ଦିନ ଚଢ଼ଉ ଚାଲିଛି। ଜରିମାନା ହେଉଛି, ଦୋକାନ ସିଲ୍‌ ବି ହେଉଛି। ହେଲେ ମୂଳ ପ୍ରସଙ୍ଗ ପ୍ରତି ଏ ଯାଏ ଚିନ୍ତା କରିନାହାନ୍ତି। ଜରିମାନା, ଚଢ଼ଉ, କାର୍ଯ୍ୟାନୁଷ୍ଠାନ ସବୁକୁ ଦେଖିଲେ ଲାଗୁଛି ଯେମିତି କେବଳ ପ୍ରଚାର ପ୍ରସାର ପାଇଁ ଚାଲିଛି। ପରିମଳ ବ୍ୟବସ୍ଥାକୁ ନେଇ କେହି ଯେମିତି ତତ୍ପର ନଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର