ଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା: ଏଏସ୍ଆଇର ମରାମତି କାମ ଆରମ୍ଭ, ମନ୍ଦିର ଚଟାଣ ସମାନ ହେବ

ପୁରୁଣା ଭୁବନେଶ୍ୱର: ଖୁବ୍‌ଶୀଘ୍ର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା ସମାଧାନ ହେବ। ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କାମ ଆରମ୍ଭ କରିଛି। ମନ୍ଦିର ଜଗମୋହନ, ଦଧିନଉତିରେ କାର୍ଯ୍ୟ ପାଇଁ ଭାରାବନ୍ଧା କାମ ଅଧା ସରିଲାଣି। ମନ୍ଦିରରେ ସାହାଣମେଲା ଦର୍ଶନ ବେଳେ ଏହି ଭାରା ବନ୍ଧା ଯାଉଛି। ଏଏସ୍ଆଇର ୩୦ଜଣ କର୍ମଚାରୀ ଏସବୁ କାମ କରୁଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିର ମୁଖ୍ୟ ଦେଉଳର ଫାଟ, ଜଗମୋହନ ନାଟମଣ୍ଡପର ସଂଯୋଗସ୍ଥଳ ଫାଙ୍କ, ବେଢ଼ା ଭିତରେ ଥିବା ପାର୍ବତୀ ମନ୍ଦିର, ବିଶ୍ବକର୍ମା ମନ୍ଦିର, ଭୁବନେଶ୍ବରୀ, ଏକାମ୍ରେଶ୍ବର, ଗଣେଶ ମନ୍ଦିର ଆଦିର ସଂଯୋଗସ୍ଥଳ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଜଗମୋହନରେ ଥିବା ଫାଟର ମରାମତି ପାଇଁ ଲାଖ, ଗୁଡ଼, ଚୂନ, ଇଟା ଗୁଣ୍ଡ ଆଦି ମିଶ୍ରଣରେ ଏକ ପେଷ୍ଟ ଦିଆଯିବ। ସେହିପରି ଲିଙ୍ଗରାଜ ମନ୍ଦିର ସ‌େମତ ଆଖପାଖ ବିଭିନ୍ନ ମନ୍ଦିରରେ ଉଠିଥିବା ଗଛକୁ ଉପୁଡ଼ା ଯିବା ସହ ସେଥିରେ ଏକପ୍ରକାର କେମିକାଲ ଦିଆଯିବ। ଏହି କେମିକାଲ ପ୍ରଭାବରେ ମନ୍ଦିର ବାହାର କାନ୍ଥରେ ଥିବା ବର, ଅଶ୍ବତ୍‌ଥ ଭଳି ଗଛର ମଞ୍ଜି ନଷ୍ଟ ହେବ ଓ ଆଉ ଗଛ ଉଠିବ ନାହିଁ ବୋଲି ଏଏସ୍ଆଇ ଅଧିକାରୀ କହିଛନ୍ତି। ସେହିପରି ଗର୍ଭଗୃହ ଚଟାଣକୁ ମରାମତି କରାଯିବ। ପାର୍ବତୀ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିରର ପ୍ରବେଶପଥ ପାହାଚ ଓ ଚଟାଣରେ ଥିବା ଖାଲ ଥିବା ପଥରକୁ କାଟି ନୂଆ ପଥର ଲଗାଯିବ। ଏହାଦ୍ବାରା ଚଟାଣ ସମାନ ହେବ। ଏହି ମରାମତି ପାଇଁ ୧ କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ଅନୁମୋଦନ ହୋଇଛି।
ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲିକଙ୍କ କହିବାନୁଯାୟୀ, ମନ୍ଦିରରେ ଦୁର୍ବଳ ଅଂଶ ସଜାଡ଼ିବା ସହ ଗର୍ଭଗୃହ ଚଟାଣ ଆବଡ଼ାଖାବଡ଼ା ଅଂଶ ଆଦି ମରାମତି ହେବ। ମନ୍ଦିର ଭିତର ସମସ୍ତ ଦୁର୍ବଳ ଅଂଶ ମରାମତି କରାଯିବ। ମନ୍ଦିର ଚୂଡ଼ା ଓ ଦଧନଉତିରେ ଫାଟ ଆଦି ସଜଡ଼ା ଯିବ।

ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୨୬ରେ ତତ୍କାଳୀନ ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଶ୍ରୀଲିଙ୍ଗରାଜ ମନ୍ଦିରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଦୁର୍ବଳ ହେଉଥିବା ପ୍ରକାଶ କରି ଦିଲ୍ଲୀସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନି‌‌ର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମନ୍ଦିର ଚୂଡ଼ା ଓ ଦଧିନଉତିରେ ଫାଟ ଦୃଶ୍ୟମାନ ହେବା ସହ କଳା ଭାସ୍କର୍ଯ୍ୟ ଆଦି ନଷ୍ଟ ହୋଇଗଲାଣି ବୋଲି ଜଣାଇଥିଲେ। ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ବର ସର୍କଲ ପକ୍ଷରୁ ମନ୍ଦିରର ଦୁର୍ବଳ ଅଂଶ ଯାଞ୍ଚ କରାଯାଇଥିଲା। ଡ୍ରୋନ୍ ସାହାଯ୍ୟରେ ଚିତ୍ର ଉତ୍ତୋଳନ କରାଯାଇ ମନ୍ଦିରର ସମସ୍ତ ଦୁର୍ବଳ ଅଂଶ ଚିହ୍ନଟ କରାଯାଇଥିଲା। ଏହାପରେ ମରାମତି ପାଇଁ ସ୍ବତନ୍ତ୍ର ଅଟକଳ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧିତ ଖବର