ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା, ଏକାମ୍ର ଜନଜାଗରଣ ମଞ୍ଚର ବିକ୍ଷୋଭ

ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ମୁଖ୍ୟ ଭୋଗମଣ୍ଡପ ସମେତ ଚତୁପାର୍ଶ୍ବରେ ଥିବା ବିଭିନ୍ନ ଦେବଦେବୀଙ୍କ ମନ୍ଦିରରୁ ପାଣି ଗଳିବାକୁ କେନ୍ଦ୍ର କରି ଆଜି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ କେନ୍ଦ୍ରୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସଂପର୍କିତ ଏକ ସ୍ମାରକପତ୍ର ଏଏସ୍‌ଆଇ ଜରିଆରେ ପ୍ରଦାନ କରାଯାଇଛି। ତେବେ ଖୁବ୍‌ଶୀଘ୍ର ଏହାର ମରାମତି ଦିଗରେ ପଦକ୍ଷେପ ନିଆନଗଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗମଣ୍ଡପ ଓ ଜଗମୋହନ, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ବକର୍ମା ମନ୍ଦିର, ବଡ଼ଗଣେଶ ମନ୍ଦିର, ବୈଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧିବିନାୟକ ମନ୍ଦିରରୁ ପାଣି ଗଳୁଛି। ପ୍ରତିବର୍ଷ ବର୍ଷାଦିନେ ଏପରି ସମସ୍ୟା ଦେଖାଦେଉଛି। ଫଳରେ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି। ବାରମ୍ବାର ଅଭିଯୋଗ ପରେ ବି ଏଏସ୍‌ଆଇ ଏଥିପ୍ରତି ଧ୍ୟାନ ଦେଉନାହିଁ। ୨୦୧୯ ସେପ୍ଟମ୍ବର ୨୬ ତାରିଖରେ ଏନେଇ ଦେବୋତ୍ତର କମିସନର ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଥିଲେ। କିନ୍ତୁ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ମନ୍ଦିରର ଆର୍ଥିଂ ଲାଗି ପାରି ନଥିବା ବେଳେ ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ଫାଟ ଯୋଗୁଁ ଏହା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ବିକ୍ଷୋଭରେ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ସମେତ ଚନ୍ଦ୍ରଶେଖର ପାଲ, ଗୋପୀନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ବ୍ରଜରାଜ ପଣ୍ଡା, ରାଜୀବ ପୂଜାପଣ୍ଡା, ରାଜେଶ ମିଶ୍ର, ବିଜୟ ଭଟ୍ଟାଚାର୍ଯ୍ୟ, ବିଶ୍ବଜିତ ମିଶ୍ର, ଦିବ୍ୟଜିତ୍ ସାହୁ, ମାନସ ପତି, ଉପନ ଦାସ, ଗୋକୁଳାନନ୍ଦ ମହାପାତ୍ର, ସୁଲତା ସାହାଣୀ, ସ୍ୱପ୍ନାରାଣୀ ସାମଲ, ସଂଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବିନୋଦିନୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର