ଖଣ୍ଡଗିରି: ରାଜୀବନଗର ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛି। ପ୍ରାକୃତିକ ନାଳ-୯ର ଉନ୍ନତୀକରଣ ଯୋଜନାରେ ପ୍ରାୟ ୯୦୦ ମିଟର ଦୀର୍ଘ ଗାର୍ଡ ୱାଲ୍ ସହ କଲ୍ଭର୍ଟ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୩୨ କୋଟି ଖର୍ଚ୍ଚ ହେବ। ଆସନ୍ତା ବର୍ଷା ପୂର୍ବରୁ କାମ ସାରିବାକୁ ଯୋଜନା ହୋଇଛି। ଏହା ଫଳରେ ରାଜୀବନଗର ସହ ପଞ୍ଚସଖାନଗର ପ୍ରଭୃତି ଅଞ୍ଚଳ ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପାଇବାର ଆଶା ଦେଖା ଯାଇଛି। ଜବରଦଖଲ ସମେତ ପୋତି ହେବା ଆଦି ଏକାଧିକ କାରଣରୁ ବର୍ଷାଜଳ ନିଷ୍କାସନ ହୋଇ ପାରୁନାହିଁ। ବର୍ଷା ସମୟରେ ପାଣି ଉଛୁଳି ସମଗ୍ର ଅଞ୍ଚଳକୁ ଜଳମଗ୍ନ କରୁଛି। ୨୦୧୮ ମସିହାଠାରୁ ଦୀର୍ଘ ୫ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଉଭୟ ପାର୍ଶ୍ବରେ ୪ ମିଟର ଉଚ୍ଚାର ଗାର୍ଡ ୱାଲ୍ ନିର୍ମାଣ ହେବା ଫଳରେ ନାଳ ପାଣି ବାହାରକୁ ଆସିବ ନାହିଁ। ସେହିଭଳି ଆଇଟିଇଆର ନିକଟରେ ଥିବା କଲଭର୍ଟର ପୁନରୁଦ୍ଧାର ହେବ। ଏଠାରେ ଲୁହାବାଡ଼ ଓ ଅନ୍ୟାନ୍ୟ ମରାମତି ହେବ। ଏହି ନଳା ଉପରେ ପ୍ରିଷ୍ଟ୍ରିନ୍ ଗ୍ରିନ୍ ନିକଟରେ ଏକ କଲଭର୍ଟ ହେବା ସହ ଲୁହାବାଡ଼ ତିଆରି କରାଯିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ଏଠାରେ ଭୟଙ୍କର ବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା। ୨ଦିନ ଲଗାଣ ବର୍ଷାରେ ପ୍ରାୟ ୬୦୦ ପରିବାର ବନ୍ୟାଞ୍ଚଳ ଭଳି ପ୍ରଭାବିତ ହୋଇଥିଲେ। ୩ଦିନ ଧରି ଘରେ ପାଣି ଲହଡି ମାରୁଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବିଏମ୍ସି ଉଚ୍ଚ ଅଧିକାରୀଙ୍କ ସହିତ ମନ୍ତ୍ରୀ ଓ ଅନ୍ୟ ଜନପ୍ରତିନିଧି, ଓଡ୍ରାଫ୍ ଟିମ୍, ଦମକଳ ବାହିନୀ, ପୁଲିସ, ପୂର୍ତ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ଜଳ ନିଷ୍କାସନ କରିବାକୁ ପାଣିପମ୍ପ ଲଗାଇଥିବାବେଳେ ବୋଟ୍ ଯୋଗେ ରୋଗୀ, ମହିଳା, ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବିଏମ୍ସି ପାନୀୟ ଜଳ ବ୍ୟବସ୍ଥା ସହ ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା କରିଥିଲା। ରାତିରେ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ବିଜୁଳି ସଂଯୋଗ ନଥିଲା। ରୋଷେଇ ପାଇଁ ସୁବିଧା ନଥିବାରୁ ରନ୍ଧାଖାଦ୍ୟ ବଣ୍ଟନ କରା ଯାଇଥିଲା। ଭୁବନେଶ୍ବରରେ ଏଭଳି ବନ୍ୟା ରାଜୀବନଗରବାସୀ ପ୍ରଥମଥର ପାଇଁ ଦେଖିଥିଲେ। ୩ଦିନ ପରେ ପାଣି ଛାଡ଼ିଥିଲା। ପାଣି ଛାଡ଼ିବା ପରେ ଘର ମାଲିକମାନେ ବାଧ୍ୟ ହୋଇ ରହିଥିବା ବେଳେ ଅନେକ ଭଡ଼ାଟିଆ ତୁରନ୍ତ ଘର ଛାଡ଼ି ଚାଲି ଯାଇଥିଲେ। ଏଭଳି ସ୍ଥିତି ପରେ ଏହି ଅଞ୍ଚଳର ସମସ୍ୟାକୁ ବିଏମ୍ସି ଗୁରୁତ୍ବର ସହ ନେଇଥିଲା। ସ୍ଥାନୀୟ ବାସିନ୍ଦା ରଞ୍ଜିତା ମହାରଣା କହିଲେ, ‘‘୨୦୧୮ ମସିହାରୁ ଏଭଳି ସମସ୍ୟା ଅସରାଏ ବର୍ଷାରେ ସହିବାକୁ ହେଉଛି। ବିଏମ୍ସି ଏହି ଉନ୍ନତିକରଣ ବର୍ଷା ପୂର୍ବରୁ କରିପାରିଲେ ସମସ୍ୟାର ସମାଧାନ ହେବ। ନହେଲେ ପୁଣି କଲବଲ ହେବାକୁ ହେବ...।’’