ରମାଦେବୀ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୩୦ ସୁଦ୍ଧା ଆବେଦନ

ଭୁବ‌ନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କଠାରୁ ଅନୁମତି ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ସଚିବ ତଥା ଚୟନ କମିଟିର ଆବାହକ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଆଗ୍ରହୀ ପ୍ରଫେସରମାନେ ଜୁନ୍‌ ୩୦ ସୁଦ୍ଧା ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୁଳପତି ପଦବି ଲାଗି ଯେଉଁ ପ୍ରଫେସର ଆବେଦନ କରିବେ ୨୦୨୦ ଅକ୍ଟୋବର ୧ ସୁଦ୍ଧା‌ ତାଙ୍କ ବୟସ ୬୨ ବର୍ଷରୁ କମ୍‌ ହୋଇଥିବ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ର ସେକ୍ସନ ୬ ଅନୁଯାୟୀ ଆବେଦନକାରୀଙ୍କର ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ରହିଥିବ ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଥିବ ଏବଂ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ। କୁଳପତି ଭାବେ ନିଯୁକ୍ତ ହେବା ପରେ ମାସକୁ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ। ଏଥିସହ ମାସକୁ ୫ ହଜାର ଟଙ୍କାର ସ୍ବତନ୍ତ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବି ମିଳିବ। କାର୍ଯ୍ୟରେ ଯୋଗଦେବାଠାରୁ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷ ହେବ। ନଚେତ୍‌ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ।

ଆଗ୍ରହୀ ପ୍ରଫେସରମାନେ ନିର୍ଦ୍ଧାରିତ ଆବେଦନପତ୍ର ପୂରଣ କରି ‘[email protected]’ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀମାନେ ପିଡିଏଫ୍‌ ଫର୍ମା‌ଟ୍‌ରେ ଜୁନ୍‌ ୩୦ ସୁଦ୍ଧା ପଠାଇ ପାରିବେ। ଏହାବ୍ୟତୀତ ଗୋଟିଏ ସେଟ୍‌ ଆବେଦନପତ୍ର(ହାର୍ଡକପି) ସହ ସମସ୍ତ ଡକ୍ୟୁମେଣ୍ଟ ସଂଯୋଗ କରି ସ୍ପିଡ୍‌ପୋଷ୍ଟରେ ପଠାଇପାରିବେ। ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା କୌଣସି ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଆବେଦନକାରୀମାନେ ‘www.dheodisha.gov.in’ ରୁ ଆବେଦନ ଫର୍ମ ଡାଉନ୍‌ଲୋଡ କରିପାରିବେ। ଏଥିସହ ଉକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକ ୱେବସାଇଟ୍‌ରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି।

ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧୪ରେ ଶେଷ ହେଉଥିବା ବେଳେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧୩ ସରିବ।

ସମ୍ବନ୍ଧିତ ଖବର