ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା ! ଆଭ୍ୟନ୍ତରୀଣ କମିଟି କରି ଘଟଣା ଚାପିବାକୁ ଉଦ୍ୟମ

ଭୁବନେଶ୍ବର: ଛାତ୍ରୀମାନଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯାତନା। ପ୍ରଫେସର ଜଣକ ରାତିରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଛନ୍ତି। ଛାତ୍ରୀଙ୍କ ରୂପଗୁଣର ପ୍ରଶଂସା କରୁଛନ୍ତି। ଖଣ୍ଡଗିରି ଥାନା ଅଧୀନ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀ ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି। ତେବେ କଲେଜ କର୍ତ୍ତୃପକ୍ଷ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବି ଏ ବିଷୟରେ ଅବଗତ କରିନାହାନ୍ତି କି ଥାନାରେ ଉକ୍ତ ପ୍ରଫେସରଙ୍କ ନାଁରେ ଅଭିଯୋଗ ଦାଖଲ କରିନାହାନ୍ତି। ନିଜସ୍ତରରେ ଘଟଣାର ରଫାଦଫା କରିବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଉକ୍ତ ସରକାରୀ କଲେଜରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିଥିଲା। ଛାତ୍ରୀମାନେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଥାନାରେ ଏତଲା ଦେବା ସହ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏଥର କ’ଣ ପାଇଁ କର୍ତ୍ତୃପକ୍ଷ ଘଟଣାକୁ ଚାପିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୢାଗିଂ ଲାଗି ମଧ୍ୟ ଏହି ନାମକରା ସରକାରୀ କଲେଜ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ଏଥର ଘଟଣାକୁ ନେଇ ପୁଣିଥରେ କଲେଜ କର୍ତୃପକ୍ଷ ବିବାଦରେ ଫସିଛନ୍ତି।

ପୂର୍ବରୁ ନହରକଣ୍ଟାସ୍ଥିତ ଜୟଦେବ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପରେ ଛାତ୍ରୀଜଣକ ଉଚ୍ଚଶିକ୍ଷା ବିଭାଗ ଦ୍ବରସ୍ଥ ହୋଇଥିଲେ। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ଅଧିକ ତଦନ୍ତ କରିବା ଆବଶ୍ୟକ ଥିବା ଅନୁଭବ କରିଛି ଉଚ୍ଚଶିକ୍ଷା ବିଭାଗ ଲେଖିଥିଲା।

ସମ୍ବନ୍ଧିତ ଖବର