ଭୁବନେଶ୍ବର: ୨୦୨୫ ନୂଆ ବର୍ଷ ସୁଦ୍ଧା ପୁରୁଣା ଭୁବନେଶ୍ବରରେ ଚାଲିଥିବା 'ଏକାମ୍ର ଡେଭେଲପମେଣ୍ଟ ପ୍ରୋଜେକ୍ଟ' କାମ ଶେଷହେବ। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ଈଶ୍ବରୀୟ ଅନୁଭୂତି ସାଉଁଟିବେ। ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗରୁତ୍ବ ଦିଆଯାଇ ସମସ୍ତ ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣ କରାଯିବ। ସେହିପରି ପ୍ରକଳ୍ପ ପାଇଁ ସମସ୍ୟା ଭୋଗିଥିବା ଦୋକନୀମାନଙ୍କୁ ଥଇଥାନ ଓ ଜମି ହରାଉଥିବା ବ୍ୟକ୍ତିଙ୍କୁ ସେମାନଙ୍କ ମୂଲ୍ୟ ପ୍ରଦାନ କରାଯିବ। ଆଜି ସକାଳୁ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରୁଣା ଭୁବନେଶ୍ବରରେ ଚାଲିଥିବା ଏକାମ୍ର ଡେଭେଲପମେଣ୍ଟ ପ୍ରୋଜେକ୍ଟ ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ୍ ପ୍ରଥମେ ସକାଳ ପ୍ରାୟ ୬ଟା ୩୦ରେ ସାନିଟାରିୟମ୍ ଛକରେ ପହଞ୍ଚିଥିଲେ। ସେଠାରେ ନିର୍ମାଣ ହେଉଥିବା ବସ୍ ପାର୍କିଂ, କାର୍ ପାର୍କିଂ ସମେତ ପର୍ଯ୍ୟଟକଙ୍କ ପାଇଁ ସୁବିଧାକେନ୍ଦ୍ର, ଭେଣ୍ଡି ଜୋନ୍ ଓ ଲିଙ୍ଗରାଜ ପୁଲିସ ଷ୍ଟେସନ ନିର୍ମାଣ କରାଯିବାକୁ ଥିବା ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ବିନ୍ଦୁସାଗର ରାସ୍ତା ସହିତ ସମାନ୍ତରାଳ ଭାବେ କୋଟିତୀର୍ଥେଶ୍ବରରୁ ତାଳେଶ୍ବର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ଓ ଡ୍ରେନ୍ର ସମୀକ୍ଷା କରିଥିଲେ।
ଏଥିପାଇଁ ଆବଶ୍ୟକ ଥିବା ଜମି ଯୋଗାଇ ଦେବାକୁ ସେ ବିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଅନନ୍ତ ବାସୁଦେବ ମନ୍ଦିର ପଛରେ ଥିବା ଖୋଲାସ୍ଥାନରେ ଭଜନ ମଣ୍ଡପ ନିର୍ମାଣର ସମୀକ୍ଷା କରିବା ସହିତ ଲିଙ୍ଗରାଜ ପ୍ଲାଜା ଅଞ୍ଚଳର ଯାଞ୍ଚ କରିଥିଲେ। ସେଠାରୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖକୁ ଯାଇ ପ୍ରସ୍ତୁତ ନକ୍ସା ଅନୁସାରେ ହେବାକୁ ଥିବା ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଥିଲେ। ମନ୍ଦିର ଚାରିପାଖର ପରିବେଶକୁ ସ୍ବଚ୍ଛ ରଖିବା ସହ ବ୍ୟାଟେରି ଚାଳିତ ଯାନରେ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେଠାରୁ ବିଏମ୍ ହାଇସ୍କୁଲ୍ ଦେଇ ବଢ଼େଇବାଙ୍କ ଛକରେ ବୀଣାପାଣି ପାଠାଗାର ଓ ନିକଟରେ ଥିବା କିଛି କୋଠାଘରଗୁଡ଼ିକୁ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ। ଏଥିସହ ବଢ଼େଇବାଙ୍କ ଛକ ନିକଟରେ ଯୋଜନା କରାଯାଇଥିବା ବିକଳ୍ପ ବାଇପାସ୍ ରାସ୍ତା ମଧ୍ୟ ଯାଞ୍ଚ କରିଥିଲେ। ଅନ୍ୟପଟେ ଶିବରାତ୍ରୀ ସମୟରେ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଧ୍ୟାନ ଦେବା ସହ ବୈଜ୍ଞାନିକ ଉପାୟରେ ଟ୍ରାଫିକ୍ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରକଳ୍ପ ପାଇଁ ଉଠିଥିବା ଦୋକାନୀମାନଙ୍କୁ ଥଇଥାନ ଓ ସମସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବତ କରିବାକୁ କହିଥିଲେ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ, ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଇଶ୍ୱରୀୟ ଅଭିଜ୍ଞତା ପ୍ରଦାନ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏଥିପାଇଁ ମନ୍ଦିର ଚାରିପାଖରେ ଥିବା ପରିକ୍ରମା ସହିତ ସୁନ୍ଦର ବଗିଚା ଓ ଡିଜାଇନର୍ ପଥର କାମ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ପାଣ୍ଡିଆନ ପ୍ରାୟ ସାଢ଼େ ୭ଟାରେ ସମୀକ୍ଷା ଶେଷ କରିଥିଲେ। ଏହି ସମୟରେ ପୂର୍ତ୍ତ ବିଭାଗର ମୁଖ୍ୟ ଶାସନ ସଚିବ ବୀରବିକ୍ରମ ଯାଦବ, ଖୋର୍ଧା ଜିଲ୍ଲାପାଳ ଚଞ୍ଚଲ ରଣା, ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ, ଓବିସିସି ଏମ୍ଡି ଜୟକୃଷ୍ଣ ଦାସ, ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।