ବାଲିଅନ୍ତା: ଏହି ରାସ୍ତାରେ ମହାତ୍ମା ଗାନ୍ଧୀ ଚାଲିଚାଲି ଯାଇଥିଲେ। ଏହି ଅଞ୍ଚଳରେ ରାତ୍ରିଯାପନ କରିବା ସହ ଲୋକଙ୍କ ସହ ମିଶି କୁଆଖାଇ ପଠାରେ ଭୋଜି ଖାଇଥିଲେ। ସେଦିନ ପ୍ରଭୁ ନିକୁଞ୍ଜବିହାରୀଙ୍କ ମନ୍ଦିର ବେଢ଼‌ାରେ ଅନୁଷ୍ଠିତ ଭୋଜିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବି‌ଶେଷରେ ସବୁ ବର୍ଗର ଲୋକେ ଏକାଠି ଖାଇ ଭାରତବର୍ଷରେ ଇତିହାସ ରଚନା କରିଥିଲେ। ଓଡ଼ିଶାର ସେହି ସ୍ବର୍ଣ୍ଣିମ ଇତିହାସକୁ ମନେ ରଖିବା ପାଇଁ ବାଲିଅନ୍ତା ବ୍ଲକ୍‌ ଅଧୀନ ଟଙ୍କପାଣି ବ୍ରିଜ୍‌ ନିକଟରେ ଏକ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଥିଲା। ଗାନ୍ଧୀ ପଦଯାତ୍ରାର ସ୍ମୃତିକୁ ସବୁଦିନ ପାଇଁ ଜନମାନସରେ ସାଇତିବା ପାଇଁ ପ୍ରଥ‌ମ ପଦକ୍ଷେପ ଭାବେ ପ୍ରତିଷ୍ଠା କରାଯାଇଥିଲା ଗାନ୍ଧୀଙ୍କ ସହ ପଦଯାତ୍ରାରେ ଥିବା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି। କିନ୍ତୁ ପାର୍କ ଯୋଜନା କେବଳ ଯୋଜନାରେ ରହିଯାଇଛି। ପରିତାପର କଥା ଏଥିପାଇଁ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କାର ହିସାବପତ୍ର ବି ହଜିଯାଇଛି।

Advertisment

୨୦୧୮ ମସିହା ଏପ୍ରିଲ ୮ ତାରିଖରେ ତତ୍କାଳୀନ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରା ଏହି ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ୧ ଏକର ପରିମିତ ଜମି ଚିହ୍ନଟ ହୋଇଥିଲା। ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂରା ପାର୍କ ପାଇଁ ପର୍ଯ୍ୟଟନ ବିଭାଗ ଆଉ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପ୍ରସ୍ତାବିତ ପାର୍କରେ ବାଲି, ମାଟି ଗଦା କରାଯାଇଥିଲା। ପଦଯାତ୍ରା ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ପାର୍କ ନିର୍ମାଣ ହେବ ବୋଲି କାହାର ସନ୍ଦେହ ନଥିଲା। କିନ୍ତୁ ଆଜି ପ୍ରତିମୂର୍ତ୍ତି ସବୁ ‌ସେମିତି ମୁକୁଳା ଅବସ୍ଥାରେ ଠିଆହୋଇଛନ୍ତି। ପାର୍କ ନିର୍ମାଣ ପ୍ରସ୍ତାବ ଅଟକି ଯାଇଛି। ଏହା ଭିତରେ ୫ ବର୍ଷ ବିତିଗଲାଣି। ପାର୍କ ପାଇଁ ଆଉ ମୁଠାଏ ମାଟି କି ଖଣ୍ଡେ ଇଟା ପଡ଼ିପାରିନି। ବରଂ ପଡ଼ିଥିବା ବାଲି ଓ ମାଟିକୁ ମାଫିଆମାନେ ଉଠାଇ ନେଇ ବିକିସାରିଲେଣି। ଏବେ ପ୍ରସ୍ତାବିତ ପାର୍କ ପଡ଼ିଆରେ ବଡ଼ବଡ଼ ଖାଲଖମା। ସବୁଆଡ଼େ ମାଡ଼ିଗଲାଣି ବଣଜଙ୍ଗଲ। ବିଛୁ୍ଆତି ଓ ବାଇଡଙ୍କ ବଣ ମାଡ଼ିଗଲାଣି। ପର୍ଯ୍ୟଟନ ବିଭାଗ ୪୦ ଲକ୍ଷ ଦେଲାନି ତ ଦେଲାନି, ବିଧାୟକ ପାଣ୍ଠିରୁ ମିଳିଥିବା ୧୦ ଲକ୍ଷ ଟଙ୍କା ବି କେଉଁ ବାବଦରେ କ’ଣ ଖର୍ଚ୍ଚ ହେଲା, ତାହା ଜଣାପଡ଼ିଲାନି। ଆଉ ଦିନ କେଇଟା ପରେ ଅକ୍ଟୋବର ୨ ତାରିଖ। ଗାନ୍ଧୀ ଜୟନ୍ତୀ ପାଳନ କରାଯିବ। ସେତିକିବେଳେ ପୁଣି ପାର୍କ କଥା ଉଠିବ। ପ୍ରତିବର୍ଷ ଉଠୁଛି। କିନ୍ତୁ ପରେ ସମସ୍ତେ ଭୁଲିଯାଉଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ସତ କିନ୍ତୁ ପାର୍କ ନିର୍ମାଣ ପାଇଁ କାହାର ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି।