ଭୁବନେଶ୍ବର: ମେୟର ପ୍ରାର୍ଥୀ ଚୟନ କରିନି ବିଜେଡି। ମାତ୍ର ଡେପୁଟି ମେୟର ହେବାକୁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ପୂର୍ବରୁ ଏକାଧିକ ଥର କର୍ପୋରେଟର ହୋଇ ଏଥର ବିଜେଡି ଟିକେଟ୍ ପକ୍କା କରିଥିବା କିଛି ନାଁକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି। ଏମିତି ବି କିଛି ଆଶାୟୀ ରହିଛନ୍ତି ଯେଉଁମାନେ କି ସିଧାସଳଖ ଡେପୁଟି ମେୟର ପଦବି ଉପରେ ଆଖି ପକାଇଛନ୍ତି। କର୍ପୋରେଟର ପ୍ରାର୍ଥୀ ହେବା ପୂର୍ବରୁ ଏନେଇ ସେମାନେ ଦଳର ବରିଷ୍ଠ ନେତାଙ୍କ ସହ ମୂଲଚାଲ କରୁଥିବା ଜଣାପଡ଼ିଛି। ବିଶେଷକରି ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ଏହି ଆଶାୟୀଙ୍କ ଉତ୍ସାହ ଦୁଇ ଗୁଣା ବଢ଼ିଯାଇଛି। ସେମାନେ ମାନସିକ ଭାବେ ସ୍ଥିର କରି ନେଲେଣି ଯେ ବିଜେଡି ହିଁ ଏଥର ବି ବିଏମ୍ସି ହାତେଇବ। ଯେଉଁଥିପାଇଁ ନିଜ ନିଜ ଅଞ୍ଚଳର ବିଧାୟକଙ୍କୁ ସାକ୍ଷାତ କରି ଡେପୁଟି ମେୟର ହେବାକୁ ଆଶାୟୀ କର୍ପୋରେଟର ପ୍ରାର୍ଥୀ ଏବେଠୁ ଲବି ଆରମ୍ଭ କରି ଦେଇଛନ୍ତି।
ବିରଞ୍ଚି-ନୃପେଶ-ଅମରେଶ-ନିଜାମୁଦ୍ଦିନ୍ ଚର୍ଚ୍ଚାର ଆଗରେ
ଏଥର ଡେପୁଟି ମେୟର ପଦବିରେ ପୁରୁଷ କର୍ପୋରେଟର୍
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମେୟର ପଦବି ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ। ରାଜଧାନୀବାସୀ ସିଧାସଳଖ ମେୟର ପ୍ରାର୍ଥୀଙ୍କୁ ଭୋଟ ଦେବେ। ଯିଏ ଜିତିବ ସିଏ ହିଁ ବିଏମ୍ସି ମେୟର ପଦବିରେ ବସିବ। ମାତ୍ର କର୍ପୋରେଟରଙ୍କ ମଧ୍ୟରୁ ଡେପୁଟି ମେୟର ଚୟନ କରାଯିବ। ତେଣୁ ବିଜେଡିରେ ଦବଦବା ରହିଥିବା କର୍ପୋରେଟରଙ୍କୁ ଦଳ ଡେପୁଟି ମେୟର ଲାଗି ପ୍ରାର୍ଥୀ କରାଇବ। ଦ୍ବିତୀୟ କଥା ହେଉଛି ମେୟର ପଦବି ଏଥର ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଯେଉଁଥିପାଇଁ ଡେପୁଟି ମେୟର ପଦବିରେ ଜଣେ ପୁରୁଷ କର୍ପୋରେଟର ବସିବା ଏକ ପ୍ରକାର ଥୟ। ତେଣୁ ଯେଉଁମାନେ ମେୟର ଆଶାୟୀ ଥିଲେ ସେମାନେ କିଛି ନ ହେଲେ ଡେପୁଟି ମେୟର ପଦରେ ବସିବାକୁ ମନ ବଳାଇଛନ୍ତି। ଦୌଡ଼ରେ ଏକାଧିକ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି।
ଚର୍ଚ୍ଚାର ଆଗରେ ଚାରି ଜଣ ପୂର୍ବତନ କର୍ପୋରେଟର୍ ରହିଛନ୍ତି। ସେମାନେ ହେଲେ ୫୯ ନମ୍ବର ୱାର୍ଡର ବିରଞ୍ଚି ନାରାୟଣ ମହାସୂପକାର, ୫୭ ନମ୍ବର ୱାର୍ଡର ନୃପେଶ ନାୟକ, ୪୫ ନମ୍ବର ୱାର୍ଡର ଅମରେଶ ଜେନା ଓ ୨୯ ନମ୍ବର ୱାର୍ଡର ଶେକ୍ ନିଜାମୁଦ୍ଦିନ୍। ଏହି ପୂର୍ବତନ କର୍ପୋରେଟର୍ମାନେ ନିଜ ନିଜ ୱାର୍ଡରେ ଲଗାତାର ଜିତି ଆସୁଛନ୍ତି ଓ ଭୁବନେଶ୍ବରର ବିଜେଡି ସଂଗଠନରେ ଏମାନଙ୍କ ପ୍ରଭାବ ରହିଛି। ଏମାନେ ସମସ୍ତେ ପୁନର୍ବାର ଦଳୀୟ ଟିକେଟ୍ ପାଇ ଲଢ଼ିବା ଏକପ୍ରକାର ସ୍ପଷ୍ଟ ହୋଇଛି।
ବିରଞ୍ଚି ନାରାୟଣ ପୂର୍ବରୁ ତିନିଥର କର୍ପୋରେଟର୍ ଥିଲା ବେଳେ ଏବେ ଭୁବନେଶ୍ବର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଛନ୍ତି। ସେହିପରି ନୃପେଶ ନାୟକ ପୂର୍ବରୁ ନିଜେ ଥରେ ଜିତିଥିଲା ବେଳେ ତାଙ୍କ ପତ୍ନୀ ମଧ୍ୟ କର୍ପୋରେଟର୍ ଥିଲେ। ରାଜଧାନୀରେ ବହୁ ସାମାଜିକ କାର୍ଯ୍ୟରେ ସଂପୃକ୍ତି ରହି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅମରେଶ ଜେନା ପୂର୍ବରୁ ଦୁଇ ଥର କର୍ପୋରେଟର୍ ଭାବେ ଜିତିଥିଲା ବେଳେ ୨୦୧୪ରେ ମେୟର ପଦବି ପାଇଁ ପ୍ରମୁଖ ଦାବିଦାର ଥିଲେ। ନିଜ ୱାର୍ଡରେ ସେ ବହୁ ଭୋଟ୍ ବ୍ୟବଧାନରେ ଜିତି ତୃଣମୂଳ ସ୍ତରରେ ଜଣେ ଭଲ ସଂଗଠକ ଭାବେ ନିଜର ପତିଆରା ଦେଖାଇଛନ୍ତି।
ସେହିପରି ଶେକ୍ ନିଜାମୁଦ୍ଦିନ୍ ପୂର୍ବରୁ ପାଞ୍ଚ ଥର କର୍ପୋରେଟର୍ ଭାବେ ଜିତିଛନ୍ତି। ଜଣେ ଦୃଢ଼ ସଂଗଠକ ଓ ଭଲ ଭାବମୂର୍ତ୍ତି ଥିବା ବ୍ୟକ୍ତି ଭାବେ ତାଙ୍କର ପରିଚୟ ରହିଛି। ଏହି ଚାରି ଜଣ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାର ଆଗରେ ଥିଲେ ମଧ୍ୟ ନିର୍ବାଚନ ପରେ ସ୍ଥିତି ବଦଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଡେପୁଟି ମେୟର ପଦବିରେ କେଉଁ ନିର୍ବାଚନମଣ୍ଡଳୀର କର୍ପୋରେଟର୍ଙ୍କୁ ବସାଯିବ, ତାହା ନିର୍ବାଚନ ପରେ ପରିସ୍ଥିତି ଦେଖି ବିଚାରକୁ ନିଆଯିବ।
ଡେପୁଟି ମେୟର ପଦବି ସୃଷ୍ଟି ହେଲା ଠାରୁ ଲଗାତାର ୩ ଥର ମହିଳା କର୍ପୋରେଟରଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ୨୦୦୩ରେ ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେପିରୁ ଉର୍ମିଳା ମହାପାତ୍ର ପ୍ରଥମ ଡେପୁଟି ମେୟର ହୋଇଥିଲେ। ୨୦୦୮ରେ ବିଜେଡିରୁ ଭାରତୀ ସିଂହ ଓ ୨୦୧୪ରେ କେ ଶାନ୍ତି ଡେପୁଟି ମେୟର ହୋଇଥିଲେ।
ଅପରପକ୍ଷରେ ମେୟର ପ୍ରାର୍ଥୀ ଚୟନ ଲାଗି ଆଜି ବିଜେଡିରେ ମାନସମନ୍ଥନ ଜାରି ରହିଛି। ଦଳ କାହାକୁ ଭୁବନେଶ୍ବରରେ ପ୍ରାର୍ଥୀ କରିବ ସେ ସମ୍ପର୍କରେ ତିନି ବିଧାୟକ ଓ ସାଂସଦ କେହି ସୁରାକ ପାଉନାହାନ୍ତି। ସମସ୍ତେ ଦଳର ନିଷ୍ପତ୍ତିକୁ ଚାତକ ପରି ଚାହିଁ ବସିଛନ୍ତି। ଦିନ ଯେତିକି ଗଡ଼ୁଛି, ବିଜେଡିର ଆଗ ଧାଡ଼ିର ନେତ୍ରୀମାନଙ୍କର ଆଶା ବି ବଢ଼ୁଛି। କିନ୍ତୁ ସେମାନେ କାହା ପାଖରେ ନିଜ ପାଇଁ ଲବି କରିବେ, ତାହା ଜାଣିପାରୁ ନାହାନ୍ତି। ତେଣୁ ସମସ୍ତେ କେବଳ ଆଶା ବାନ୍ଧି ଅପେକ୍ଷା କରିଛନ୍ତି। ଦୁଇ ତିନି ଦିନ ମଧ୍ୟରେ ମେୟର ପଦବି ପାଇଁ ନାମ ଘୋଷଣା ହେବାର ସମ୍ଭାବନା ରହିଛି।