ଭୁବନେଶ୍ୱର: ହସ୍ତିନାପୁରରେ ରାଜତ୍ବ କରୁଛନ୍ତି ଅର୍ଜୁନଙ୍କର ପୌତ୍ର ପରୀକ୍ଷିତ। ଏକଦା ପରୀକ୍ଷିତ ମୃଗୟାରେ ଯାଇଥିବା ବେଳେ ଘଞ୍ଚ ଅରଣ୍ୟରେ ପଥଭ୍ରଷ୍ଟ ହୋଇଛନ୍ତି। ତୃଷ୍ଣା ବଶତଃ ତାଙ୍କ ସାରଥୀ ତନ୍ତ୍ରୀପାଳ ମୂର୍ଚ୍ଛା ଯାଇଛି ଏବଂ ସେ ନିଜେ ମଧ୍ୟ ତୃଷାର୍ତ୍ତ। ତେଣୁ ଜଳର ସନ୍ଧାନରେ ସେ ଯାଇ ପହଞ୍ଚିଛନ୍ତି ମହାମୁନି ଶମିକଙ୍କ ଆଶ୍ରମରେ। ତାଙ୍କୁ ଜଳଦାନ କରିବା ପାଇଁ ନିବେଦନ କରିଛନ୍ତି। କିନ୍ତୁ ଶମିକ ଗଭୀର ଧ୍ୟାନମଗ୍ନ, ନିର୍ବିକାର। ଏଥିରେ କ୍ରୋଧିତ ହୋଇ ପରୀକ୍ଷିତ ପାଖରେ ପଡ଼ିଥିବା ଏକ ମୃତ ସର୍ପକୁ ଆଣି ଋଷିଙ୍କ ଗଳାରେ ପକାଇଛନ୍ତି। ସେଠାରେ ଉପସ୍ଥିତ ହୋଇଛନ୍ତି ଋଷି ଶମିକଙ୍କ ପୁତ୍ର ଶୁଙ୍ଗୀ। ପିତାଙ୍କ ପ୍ରତି ଏ ଅପମାନକୁ ସହ୍ୟ କରିନପାରି ପରୀକ୍ଷିତଙ୍କୁ ବ୍ରହ୍ମ ଅଭିଶାପ ଦେଇଛନ୍ତି ଯେ ଆଗାମୀ ସାତ ଦିନ ମଧ୍ୟରେ ତକ୍ଷକ ଦଂଶନରେ ତାଙ୍କର ମୃତ୍ୟୁ ହେବ।

Advertisment

ପୁତ୍ରର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିଛନ୍ତି ମହାମୁନି ଶମିକ। ତୃଷାର୍ତ୍ତ ରାଜାଙ୍କୁ ଜଳପାନ କରାଇବାପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଛନ୍ତି କିନ୍ତୁ ବ୍ରହ୍ମଶାପଗ୍ରସ୍ତ ଏବଂ ମୃତ୍ୟୁ ଭୟରେ କବଳିତ ରାଜା ପରୀକ୍ଷିତଙ୍କୁ ସେହି ଜଳ ମଧ୍ୟରେ ତକ୍ଷକ ସର୍ପ ଦୃଶ୍ୟମାନ ହୁଏ ଏବଂ ସେ ଆତଙ୍କିତ ହୋଇ ମାନସିକ ଭାରସାମ୍ୟ ହରାଇ ବସନ୍ତି। ପରୀକ୍ଷିତ କ’ଣ କରିବେ? ପରୀକ୍ଷିତଙ୍କ ମୃତ୍ୟୁ କିପରି ଘଟିବ, ତୃଷ୍ଣା ଯୋଗୁଁ ନା ତକ୍ଷକ ଦଂଶନରେ। କାହାର ଜୟ ହେଉଛି, ମୃତ୍ୟୁର ନା ଜୀବନର? ଏହି କଥାବସ୍ତୁକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆନୁକୁଲ୍ୟରେ ଓଡ଼ିଶା ନାଟ୍ୟ ସଂଘର ନିୟମିତ ନାଟକ ପରିକ୍ରମାରେ ରବିବାର ନାଟକ ତକ୍ଷକ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ନାଟକର ନାଟ୍ୟକାର ହେଉଛନ୍ତି ମନୋଜ ମିତ୍ର ଓ ନିର୍ଦ୍ଦେଶନା ଦେଇଥିଲେ ସୌରଭ ଗୁପ୍ତା। ରଞ୍ଜିତ, ସୀତାଂଶୁ, ସମୀର, ସମୀର ସାହୁ, ଅଜୟ ଓ ମିତ୍ରସା ଅଭିନୟ କରିଥିଲେ। ଏହି ଅବସରରେ ଅତିଥି ଭାବେ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ ସାହୁ, ନାଟ୍ୟକାର ରାଧା ରମଣ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିବ ଶଙ୍କର ତ୍ରିପାଠୀ।