ରାଜଧାନୀରେ ପଲ୍‌ସର୍‌ ଗ୍ୟାଙ୍ଗ୍‌ ସକ୍ରିୟ, ପୁଲିସକୁ ନାକେଦମ୍ କଲେଣି ୩ ଲୁ‌ଟେରା

୫ ମାସରେ ଲୁଟିଲେଣି ୫ ଲକ୍ଷର ଗହଣା

ଭୁବନେଶ୍ବର: କମିସନରେଟ୍‌ ପୁଲିସକୁ ନାକେଦମ୍ କଲେଣି ତିନିଜଣିଆ ଲୁଟେରା ଗ୍ୟାଙ୍ଗ୍‌। ନମ୍ବର ବିହୀନ ପଲ୍‌ସର୍‌ରେ ତିନିଜଣ ବସି ସହରସାରା ଘୂରି ବୁଲିବା ସହ ଛିନ୍‌ତାଇ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଲୁଟ୍ କରି ସେମାନେ କେବଳ ପୁଲିସକୁ ଚ୍ୟାଲେଞ୍ଜ ଦେଉନାହାନ୍ତି, ସହରବାସୀଙ୍କ ଧନଜୀବନ ମଧ୍ୟ ବିପନ୍ନ କରୁଛନ୍ତି। ଗତ ୫ ମାସରେ ସେମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍‌ରୁ ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଚିହ୍ନଟ କରାଯିବା ପରେ ଥାନାର ନବଗଠିତ ସ୍ପେସାଲ ସ୍କ୍ବାଡ୍‌ ଏହି ଲୁଟେରା ଗ୍ୟାଙ୍ଗ୍ ପଛରେ ପଡ଼ିଛି। କେବଳ ଭୁବନେଶ୍ବର ନୁହେଁ, କଟକ କମିସନରେଟ୍‌ ପୁଲିସ ମଧ୍ୟ ଏହି ଫଟୋ ନେଇ ଲୁଟେରାଙ୍କୁ ଟାର୍ଗେଟ କରିଛି।

ସିସିଟିଭିରୁ ସଂଗୃହୀତ ହୋଇଥିବା ଫଟୋ ଓ ଭିଡିଓରେ ଗୋଟିଏ ବାଇକ୍‌ରେ ତିନିଜଣ ଲୁଟେରା ଲୁଟ୍‌ କରୁଥିବା ଦୃଶ୍ୟ ରହିଛି। ବେଶ ପୋଷାକରୁ ସେମାନେ ଲୁଟେରା ଭଳି ଦିଶୁନାହାନ୍ତି। କେତେବେଳେ ସମସ୍ତେ ମୁହଁ ସହ ମୁଣ୍ଡକୁ ଘୋଡ଼ାଇଛନ୍ତି ତ’ କେତେବେଳେ କେବଳ ଚାଳକ ମୁହଁ ଘୋଡ଼ାଇଛି। କେତେବେଳେ ପଲ୍‌ସର୍‌ ଆଉ କେତେବେଳେ ଦାମୀ ଗାଡ଼ି ଧରି ବୁଲୁଛନ୍ତି। ଲୁଟ୍‌ କରିବା ପାଇଁ ଅନେକ ସମୟରେ ଏମାନେ ଗାଡ଼ି ଖରାପ ଦର୍ଶାଇ ସଜାଡ଼ିବା ଆଳରେ ଶିକାରକୁ ଅପେକ୍ଷା କରୁଛନ୍ତି। ଶିକାର ପାଖାପାଖି ହେବା ପରେ ଜଣେ ବେକରୁ ସୁନା ଚେନ୍‌ ଝାମ୍ପି ଆଣି ଗାଡ଼ିରେ ବସୁଛି, ଆଉ ପୂର୍ବରୁ ପ୍ରସ୍ତୁତ ଚାଳକ ଗାଡ଼ି ଷ୍ଟାର୍ଟ କରି ପବନ ବେଗରେ ଉଭାନ୍‌ ହୋଇ ଯାଉଛନ୍ତି। ସହରର ୬ଟି ସ୍ଥାନରେ ଏହି ଲୁଟେରା ଗ୍ୟାଙ୍ଗ୍‌ର ଗତିବିଧି ସିସିଟିଭିରେ କଏଦ ହୋଇଛି। ଗୋଟିଏ ଦିନରେ ଏମାନେ ନିଜ ପୋଷାକ ବଦଳାଇ ଘୂରି ବୁଲୁଥିବା ଦେଖିବାକୁ ମିଳିଛି।
ଏହି ଲୁଟେରା ଗ୍ୟାଙ୍ଗ୍‌ର ଲୁଟ୍ କୌଶଳ ବିଷୟରେ ପୁଲିସ ସବୁ ତଥ୍ୟ ପାଇଛି। ବିଶେଷ କରି ଏମାନେ ସୁନା ଚେନ୍‌କୁ ଟାର୍ଗେଟ କରୁଛନ୍ତି। ମହିଳାଙ୍କ ସହ ଜଣେ କଥା ହୋଇ ତାଙ୍କ ଧ୍ୟାନ ହଟାଉଥିବା ବେଳେ ଆଉ ଜଣେ ପାଖକୁ ଯାଇ ଚେନ୍‌ ଝାମ୍ପି ନେଉଛି। ୫ଟି ମାମଲାରେ ଏହି ତିନିଜଣିଆ ଲୁଟେରା ଗ୍ୟାଙ୍ଗ ବିରୋଧରେ ଅଭିଯୋଗ ହେବା ପରେ ପୁଲିସ ସହରର ବିଭିନ୍ନ ସିସିଟିଭି କ୍ୟାମରୋରୁ ଫଟୋ ସଂଗ୍ରହ କରିଥିଲା। ଏବେ ଏହି ଫଟୋ ସମସ୍ତ ଥାନାର ସ୍ପେସାଲ ସ୍କ୍ବାଡ୍‌କୁ ପ୍ରଦାନ କରାଯାଇଛି। ଅଧିକାରୀମାନେ ଫଟୋ ଆଧାରରେ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର