ବାରଙ୍ଗ: ଆଜି ନନ୍ଦନକାନନ ସଂଲଗ୍ନ ଜଙ୍ଗଲରୁ ବାଘ ଖୁଆଡ଼କୁ ପଶି ଆସିଥିବା ଏକ ଅଜଗର ବାଘୁଣୀ ରୁପାର ପଞ୍ଝା ମାଡ଼ରେ ଗୁରୁତର ଆହତ ହୋଇଛି। ଅଧମରା ହୋଇ ଅଜଗରଟି ଏବେ ଓୟୁଏଟିରେ ଚିକିତ୍ସାଧୀନ ରହିଛି। ଅଜଗର ପେଟରେ ସୃଷ୍ଟି ହୋଇଥିବା ଗଭୀର କ୍ଷତକୁ ସିଲେଇ କରି ବ୍ୟାଣ୍ଡେଜ୍ କରାଯାଇଛି ଓ ତାକୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ତେବେ ଅଜଗର ଓ ବାଘ ମଧ୍ୟରେ ଲାଗିଥିବା ପ୍ରାୟ ୧୫ ମିନିଟ୍ର ଛକାପଞ୍ଝାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଛନ୍ତି।
ନନ୍ଦନକାନନର ୩୨ ନମ୍ବର ବାଘ ଖୁଆଡ଼ରେ ୫ ବର୍ଷୀୟା ଧଳା ବାଘୁଣୀ ରୁପା ରହୁଛି। ଆଜି ପୂର୍ବାହ୍ନରେ ପ୍ରାୟ ୧୧ ଫୁଟ୍ ଲମ୍ବର ଏହି ଅଜଗରଟି ଏହି ଖୁଆଡ଼କୁ ପଶି ଆସିଥିଲା। ଅଜଗର ଉପରେ ରୁପାର ନଜର ପଡ଼ିବା ମାତ୍ରେ ସେ ଗର୍ଜନ କରି ଅଜଗରକୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ବାଘ ହେଣ୍ଟାଳ ଶୁଣିବା ପରେ ଅଜଗର ଭୟରେ ଆଗକୁ ନଯାଇ ଗୋଟିଏ ସ୍ଥାନରେ ଜାକି ହୋଇ ଆତ୍ମରକ୍ଷା ମୁଦ୍ରାରେ ରହିଲା ଓ ବାଘକୁ ଡରାଇବା ପାଇଁ ଫୁତ୍କାର କଲା। ରୁପାର ଏଭଳି ହେଣ୍ଟାଳ ଶୁଣି ଜନ୍ତୁରକ୍ଷକମାନେ ସେଠାକୁ ଧାଇଁ ଆସିଥିଲେ। ସେତେବେଳକୁ ବାଘୁଣୀ ରୁପା ଓ ଅଜଗର ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିଲେ। ଜନ୍ତୁରକ୍ଷକମାନେ ପାଟି କଲେ ବି ରୁପା କିଛି ଶୁଣିନଥିଲା। କୁଦା ମାରି ଅଜଗରକୁ ତା ପଞ୍ଝାରେ ଆକ୍ରମଣ କଲା। ଅଜଗର ବି ମଝିରେ ମଝିରେ ଫୁତ୍କାର କରି ବାଘୁଣୀକୁ କାମୁଡ଼ିବାକୁ ଚିହିଁକି ଯାଉଥିଲା। ମାତ୍ର ଅଜଗରର ଆକ୍ରମଣ ରୁପାର କିଛି କ୍ଷତି କରିପାରିନଥିଲା। ରୁପା କୁଦା ମାରି ପଛକୁ ଡେଇଁ ପଡ଼ି ନିଜକୁ ବଞ୍ଚାଇବା ସହ ପୁଣି ତା ପଞ୍ଝାରେ ସାପକୁ ଆଘାତ କରୁଥିଲା। ଏହା ଭିତରେ ଅଜଗର ଖୁଆଡ଼ରୁ ବାହାରି ଯିବା ପାଇଁ ବାଟ ଖୋଜିଥିଲେ ବି ରୁପା ତାକୁ ତାର ଜାଲି ଡେଇଁବାକୁ ସୁଯୋଗ ଦେଇନଥିଲା। ସାପର ପେଟ ଓ ଅନ୍ୟାନ୍ୟ ସ୍ଥାନରେ ଗୁରୁତର କ୍ଷତ ହେବାରୁ କିଛି ସମୟ ପରେ ସେ ଦରମଲା ହୋଇ ପଡ଼ି ରହିଥିଲା। ଆଉ ଏତିକିବେଳେ ଜନ୍ତୁରକ୍ଷକମାନେ ରୁପାକୁ ଖୁଆଡ଼ ଭିତରକୁ ତଡ଼ିବାରେ ସଫଳ ହୋଇଥିଲେ।
ତୁରନ୍ତ କର୍ମଚାରୀମାନେ ଅଜଗରଟିକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇଥିଲେ। ସୌଭାଗ୍ୟକୁ ସେହି ସମୟରେ ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ ଓ ତାଙ୍କ ଟିମ୍ ନିୟମିତ ପରିଦର୍ଶନରେ ନନ୍ଦନକାନନ ଯାଇଥିଲେ। ପ୍ରଫେସର ନାଥ ନନ୍ଦନକାନନ ଡାକ୍ତରଙ୍କ ସହଯୋଗରେ ସାପର ପ୍ରାଥମିକ ଚିକିତ୍ସା କରାଇ ଓୟୁଏଟି ନେଇ ଚାଲିଆସିଥିଲେ। ଓୟୁଏଟିରେ ସାପର କ୍ଷତସ୍ଥାନକୁ ସିଲେଇ କରାଯାଇଥିଲା। ପ୍ରଫେସର ନାଥଙ୍କ ସୂଚନାନୁସାରେ ଅଜଗରର ଅପରେସନ୍ ସଫଳ ହୋଇଛି। ତାକୁ ଏବେ ନିରୀକ୍ଷଣରେ ରଖାଯାଇଛି। ସ୍ବାଭାବିକ ଭାବେ ସାପ ୭/୮ ଦିନ ବିନା ଖାଦ୍ୟ ଗ୍ରହଣରେ ବଞ୍ଚି ପାରିବ। ତଥାପି ଏ ଭିତରେ ତାକୁ ତରଳ ଖାଦ୍ୟ(ଅଣ୍ଡାର ଧଳା ଅଂଶ ଓ କେଶର) ଦିଆଯିବ। ଷ୍ଟିଚ୍ ଶୁଖିବା ପରେ ବି ତାକୁ କିଛି ଦିନ ରଖାଯିବ ଓ ମୂଷା ଖାଇବାକୁ ଦିଆଯିବ। ପୂରା ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ପ୍ରଫେସର ନାଥ କହିଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ବାଘ ଖୁଆଡ଼ ଭିତରକୁ ଗୋଟିଏ କୁମ୍ଭୀର ବି ପଶି ଆସିଥିଲା।