ତ୍ରୈମାସିକ ପତ୍ରିକା ‘ପ୍ରାଚୁର୍ଯ୍ୟ’ ଉନ୍ମୋଚିତ

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍ ସର୍କଲ୍’ ପକ୍ଷରୁ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ପ୍ରଚାର, ପ୍ରସାର ପାଇଁ ‘ପ୍ରାଚୁର୍ଯ୍ୟ’ ନାମରେ ଏକ ତ୍ରୈମାସିକ ପତ୍ରିକା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହାକୁ ଉନ୍ମୋଚନ କରିଥିଲେ। ହାରୋର ଅଧ୍ୟକ୍ଷ ତଥା ‘ଓଡ଼ିଶା କଲ୍‌ଚରାଲ୍ ସର୍କଲ୍’ର ସଭାପତି ଜେ କେ ମହାନ୍ତିଙ୍କ ସମ୍ପାଦନାରେ ଏହି ପତ୍ରିକାଟି ପ୍ରକାଶ ପାଇଛି। ଚଳିତ ମାସରେ ‘ପ୍ରାଚୁର୍ଯ୍ୟ’ର ଏକ ଦ୍ବିଭାଷୀ ପୋର୍ଟାଲ୍ ଲୋକାର୍ପଣ ହେବ। ପତ୍ରିକାର ସମ୍ପାଦନାମଣ୍ଡଳୀରେ ଶିକ୍ଷାବିତ୍ ଡ. ଜେନାମଣି ସଞ୍ଜୀବ କୁମାର, କଥାକାର ଡ. ଅରବିନ୍ଦ ରାୟ ଓ ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ସଦସ୍ୟ ରହିଛନ୍ତି ବୋଲି ପ୍ରକାଶକ ବିମଳ ଦାସ ସୂଚନା ଦେଇଛନ୍ତି।

ଆଜି ପତ୍ରିକାକୁ ଉନ୍ମୋଚନ କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ପର୍ଯ୍ୟଟନ ପାଇଁ ବ୍ୟାପକ ସମ୍ଭାବନା ରହିଛି। ତାହାର ସଦୁପଯୋଗ କରିବା ପାଇଁ ଏବେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ବେଳାଭୂମି, ପ୍ରାକୃତିକ ସ୍ଥାନ ଓ ଜଳାଶୟଗୁଡ଼ିକରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ଏହା ସହ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ହୋଟେଲ୍ ପ୍ରତିଷ୍ଠା ପାଇଁ ଘରୋଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଉଛି। ଭିତ୍ତିଭୂମି ନିର୍ମାଣ ସହ ପର୍ଯ୍ୟଟନସ୍ଥଳୀର ବ୍ୟାପକ ପ୍ରଚାର, ପ୍ରସାରର ଆବଶ୍ୟକତା ରହିଛି। ଏ ଦିଗରେ ‘ପ୍ରାଚୁର୍ଯ୍ୟ’ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାପ୍ରକଟ କରିଥିଲେ। ସମ୍ପାଦକ ଶ୍ରୀ ମହାନ୍ତି କହିଥିଲେ, ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ଦିଗରେ ‘ପ୍ରାଚୁର୍ଯ୍ୟ’ କାର୍ଯ୍ୟ କରିବ। ଓଡ଼ିଶାର ବିଭବ ଓ ଗୌରବକୁ ଏହି ପତ୍ରିକା ମାଧ୍ୟମରେ ବୃହତର ପାଠକ ସମାଜ ଆଗରେ ପରିବେଷଣ କରାଯିବ। ଆଜିର ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ପାଦନାମଣ୍ଡଳୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର