ଭୁବନେଶ୍ବର: ମଛ୍ଲି ଜଲ୍କି ରାନୀ ହୈ...। ହେଲେ ପୋଖରୀ ନୁହେଁ ସହରୀ ସଭ୍ୟତାରେ ଘର ଭିତରେ ଆକ୍ବାରିୟମ୍ ଏବେ ଆଳଙ୍କାରିକ ମାଛର ବାସସ୍ଥାନ ପାଳଟିଛି। ଆକ୍ବାରିୟମ୍ କାହାକୁ ବା ନାପସନ୍ଦ। ଘରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ପ୍ରାୟ ସମସ୍ତେ ନିଜ ଘରେ ଆକ୍ବାରିୟମ୍ ରଖିଥାନ୍ତି। ରଙ୍ଗବେରଙ୍ଗର ମାଛ ମନକୁ ଏକପ୍ରକାର ଶାନ୍ତି ଦେଇଥାଏ। ଘରେ ମାଛ ରଖିବା ଦ୍ବାରା ଧନପ୍ରାପ୍ତି ହେବା ତଥା ଭାଗ୍ୟ ବଦଳିଥାଏ ବୋଲି ବିଶ୍ବାସ ରହିଛି। ଅନୁରୂପ ଭାବେ ଘରେ କୌଣସି ସଂକଟ ପଡ଼ିଲେ ତାହା ପ୍ରଥମେ ମାଛ ଉପରେ ପ୍ରତିଫଳିତ ହୁଏ ବୋଲି ଅନେକଙ୍କ ଧାରଣା ଥାଏ। ବିଶେଷ କରି ରାଜଧାନୀରେ ବର୍ତ୍ତମାନ ପ୍ରତିଘରେ ଆକ୍ବାରରିୟମ୍ ଦେଖିବାକୁ ମିଳୁଛି। ଅନ୍ତତଃ ଗୋଟିଏ ମାଛ ହେଉ ପଛେ, ଘରେ ଆକ୍ବାରିୟମ୍ଟିଏ ରଖିବାକୁ ସମସ୍ତେ ଚାହୁଛନ୍ତି। ଭୁବନେଶ୍ବରରେ ବର୍ତ୍ତମାନ ୧୨୦ରୁ ଅଧିକ ଆକ୍ବାରିୟମ୍ ଦୋକାନ ରହିଛି। ଭଳିକି ଭଳି ମାଛର ସମ୍ଭାର ଏହି ଦୋକାନମାନଙ୍କରେ ଦେଖିବାକୁ ମିଳେ।
ମାଛର ପ୍ରକାର
ମାଷ୍ଟର୍କ୍ୟାଣ୍ଟିନ୍ ଛକ ନିକଟରେ ଥିବା ସିଟି ଆକ୍ବାରିୟମ୍ର ମାଲିକ ବସନ୍ତ ରାଉତଙ୍କ କହିବା ମୁତାବକ, ମାଛମାନଙ୍କ ମଧ୍ୟରେ ଗୋଲ୍ଡ ଫିସ୍, ବ୍ଲାକ୍ ଗୋଲ୍ଡ, ଓସ୍କାର୍, ଶୁଭାଙ୍ଗୀ, ଏଞ୍ଜଲ୍, ମଲ୍ଲୀ, ଟାଇଗର୍, ବେଟା, ୱିଡୋ, ପ୍ୟାରଟ୍ ଆଦିର ଚାହିଦା ବହୁତ ଅଧିକ ରହିଛି। ଛୋଟ ଗୋଲ୍ଡ ଫିସ୍ ହଳକୁ ୭୦ ଟଙ୍କା ଓ ବଡ଼ ହଳକୁ ୨୫୦ ଟଙ୍କା ମୂଲ୍ୟ ରହିଛି। ବ୍ଲାକ୍ ଗୋଲ୍ଡ ଓ ଶୁଭାଙ୍ଗୀ ହଳକୁ ୮୦ରୁ ୧୦୦ଟଙ୍କା, ୱିଡୋ ହଳକୁ ୪୦ଟଙ୍କା ରହିଛି। ଅନୁରୂପ ଭାବେ ଓସ୍କାର ମାଛର ମୂଲ୍ୟ ହଳକୁ ୫୦୦ ଟଙ୍କାରୁ ଆରମ୍ଭ ହେଉଛି। ଭୁବନେଶ୍ବରର ପ୍ରାୟ ସମସ୍ତ ଦେକାନୀ ଏହି ମାଛ ସବୁ କଲିକତାରୁ ମଗାଇଥାନ୍ତି।
ଆକ୍ବାରିୟମ୍ର ଯତ୍ନ
ଏହି ସୌଖୀନ ମାଛଗୁଡ଼ିକର ଯତ୍ନ ଠିକ୍ ଭାବେ ନିଆଗଲେ, ଏମାନେ ବହୁତ ଦିନ ବଞ୍ଚି ରୁହନ୍ତି। ନିୟମିତ ବ୍ୟବଧାନରେ ପାଣି ପରିବର୍ତ୍ତନ, ଆକ୍ବାରିୟମ୍ ସଫା ରଖିବା ଏବଂ ଦାନା ଦେବାକୁ ହୁଏ। ମାଛର ସାଇଜ୍ ଅନୁଯାୟୀ ଏମାନଙ୍କୁ ଦାନା ଦିଆଯାଏ। ଏକ ଫୁଟ୍ର ଆକ୍ବାରିୟମ୍ ନିର୍ମାଣ ଲାଗି ୧୫୦୦ଟଙ୍କା ଲାଗୁଥିବା ବେଳେ ଦେଢ଼ ଫୁଟ୍ର ଆକ୍ବାରିୟମ୍ ପାଇଁ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆକ୍ବାରିୟମ୍ର ସାଇଜ୍ ଅନୁଯାୟୀ ଏଥିରେ ଏୟାର୍ ପମ୍ପ୍ ଓ ଫିଲ୍ଟର୍ ମେସିନ୍ ଲଗାଇବାକୁ ହୋଇଥାଏ। ଏହି ମେସିନ୍ର ମୂଲ୍ୟ ୨୫୦ ଟଙ୍କାରୁ ଆରମ୍ଭ ହେଉଛି। ପାଣି ମଇଳା ହେଲେ ଏହାକୁ ନିଷ୍କାସନ କରି ସଫା ପାଣି ଛାଡ଼ିବାକୁ ହୋଇଥାଏ। ସେହିପରି ଛୋଟ ବାଓଲ୍ ୭୦ ଟଙ୍କାରୁ ଆରମ୍ଭ ହୋଇ ୬୦୦ ଟଙ୍କା ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ।
ମାଛ ଦାନା ଦେବାର ପ୍ରକ୍ରିୟା
ଦିନକୁ ଦୁଇଓଳି ଦାନା ଦେବା ଦ୍ବାରା ମାଛମାନେ ଖୁବ୍ଶୀଘ୍ର ବଢ଼ିଥାନ୍ତି। ଗୋଟିଏ ମାଛକୁ ୪ରୁ ୫ଟି ଦାନା ଯଥେଷ୍ଟ। ଛୋଟ ମାଛଙ୍କ ପାଇଁ ଏହାକୁ କମ୍ କରିହେବ। ସେହିପରି ଛୋଟ ପିଲାଙ୍କ ଠାରୁ ମାଛ ଦାନାକୁ ଦୂରେଇ ରଖିବାକୁ ପଡ଼ିଥାଏ। ପିଲାମାନେ ଜାଣି ନପାରି ଅଧିକ ଦାନା ଦେଇଦେଲେ ମାଛ ମରିଯିବାର ଆଶଙ୍କା ରହିଥାଏ।