ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି । ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ମେଡିକାଲ ହଲ୍ର ୧୩ ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । କ୍ୱାରେଣ୍ଟାଇନ ସମୟରେ କୋଭିଡ-୧୯ ପରୀକ୍ଷା ଲାଗି କୋଭିଡ ଟିମ ସମସ୍ତ କର୍ମଚାରୀଙ୍କର ସ୍ୱାବ ନମୁନା ସଂଗ୍ରହ କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି ବିଏମସି ଇଷ୍ଟ ଜୋନାଲ ଡେପୁଟି କମିସନର (ଜେଡଡିସି) ଅଂଶୁମାନ ରଥ । ଷ୍ଟୋରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭୁବନେଶ୍ୱରରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି । ତେଣୁ ସେମାନେ କେଉଁଆଡେ ଯାଇଛନ୍ତି, ତାହାର ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ । ଶ୍ରୀ ରଥ ସୂଚନା ଦେଇଛନ୍ତି ଯେ, ମେଡିସିନ ବିଲରେ ସେମାନଙ୍କର ଫୋନ ନମ୍ବର ଥିବ । ଆମେ ସେମାନଙ୍କର ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବୁ ।
ଶ୍ରୀ ରଥ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱରର ସମସ୍ତ ନାଗରିକଙ୍କର ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଆମର ପ୍ରଥମ କାମ । ବର୍ତ୍ତମାନ ସମୟ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆମେ ଲୋକଙ୍କୁ ତଥା ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ବିଏମସିର ଏସଓପିକୁ ଗୁରୁତ୍ୱ ଦିଅନ୍ତୁ ।