ରେସିଂ ଟ୍ରାକ୍‌ ପାଲଟିଛି ନନ୍ଦନକା‌ନନ-ଜୟଦେବବିହାର ରାସ୍ତା, ଅଳିଆବୁହା ପ୍ରତିଯୋଗିତାରୁ ବଳି ପଡ଼ୁଛି ମୁଣ୍ଡ

ଚନ୍ଦ୍ରଶେଖରପୁର: ରାଜଧାନୀରୁ ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ବୋହିବା ପାଇଁ ଗାଡ଼ିମାନଙ୍କ ଭିତରେ ଲାଗିଛି ପ୍ରତିଯୋଗିତା। ଜୟଦେବବିହାର-ନନ୍ଦନକାନନ ରାସ୍ତା ପାଲଟିଛି ରେସିଂ ଟ୍ରାକ୍‌। ଏଥିପାଇଁ ବଳି ପଡ଼ୁଛି ମୁଣ୍ଡ। ଗତକାଲି କିଟ୍‌ ଛକରେ ଘଟିଥିବା ଦୁର୍ଘଟଣା ଏହାର ସଦ୍ୟତମ ଉଦାହରଣ। ବିଏମ୍‌ସି ଅଳିଆବୁହା ହାଇୱା (ଓଆର୍-୦୪-ଏମ୍-୦୫୩୩) ଧକ୍କାରେ ବାଇକ୍‌ ଆରୋହୀ ବିଶ୍ବଜିତ୍ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ଏବେ ଉଠିଛି ବିବାଦ ଓ ଚର୍ଚ୍ଚା। ପୁଲିସ ହାଇୱା ଚାଳକ ସୁରେଶ ସ୍ବାଇଁଙ୍କୁ ଗିରଫ କରିଥିଲେ ହେଁ ଗାଡ଼ିର ଫିଟ୍‌ନେସ୍ ପ୍ରମାଣପତ୍ର ଓ ଅଳିଆବୁହାକୁ ନେଇ ରହିଥିବା ଅନ୍ୟାନ୍ୟ ନିୟମକାନୁନ୍‌ ଉଲ୍ଲଘଂନ ହେଉଥିବା ବାବଦ‌ରେ ଯାଞ୍ଚକୁ ନେଇ ଲୋକେ ଆପତ୍ତି ଉଠାଇଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାରେ ଚଳାଚଳ କରୁଥିବା ବହୁ ଅଳିଆବୁହା ଗାଡ଼ିର ଫିଟ୍‌ନେସ୍‌ ନାହିଁ। କାହାର ବ୍ରେକ୍ କାମ କରୁ ନାହିଁ ତ ପୁଣି କାହାର ଇଣ୍ଡିକେଟର୍ କାମ କରୁନାହିଁ। ଅନେକ ଗାଡ଼ିର ହର୍ଣ୍ଣ ମଧ୍ୟ ବାଜୁନାହିଁ। ନିୟମାନୁସାରେ ଭୋର୍‌ରୁ ଅଳିଆ ଉଠାଇ ଜନଗହଳି ସମୟ ପୂର୍ବରୁ କାମ ସାରିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ଦିନତମାମ ଏହି ରାଜରାସ୍ତାରେ ଅଳିଆ ଗାଡ଼ି ଯାତାୟାତ କରୁଛି। ଗତକାଲି ଦୁର୍ଘଟଣା ଘଟାଇଥିବା ଗାଡ଼ିର ବ୍ରେକ୍ ‌ଠିକ୍‌ ଭାବେ କାମ କରୁ ନଥିଲା। ତେଣୁ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ବୋଲି ହାଇୱା ଚାଳକ ସୁ‌ରେଶ ପୁଲିସକୁ କହିଛି। ତେଣୁ ଏଭଳି ଗାଡ଼ିମାନଙ୍କୁ କିଭଳି ଫିଟ୍‌ନେସ୍ ପ୍ରମାଣପତ୍ର ମିଳୁଛି ବୋଲି ପ୍ରଶ୍ନ ଉଠିଛି। ସେହିଭଳି ସୈନିକ ସ୍କୁଲ୍ ପାଖ ଅଳିଆ ଗଦା ନିକଟରେ ଦୁଇ ଥାକିଆ ରାସ୍ତା ଥିଲେ ମଧ୍ୟ ଗୋଟିଏ ପାଖ ରାସ୍ତାକୁ ଦିନ ତମାମ ଅଳିଆ ବୋଝେଇ ହାଇୱା ଜବରଦଖଲ କରି ରହୁଛନ୍ତି। ଫଳରେ ସ୍ଥାନୀୟ ଲୋକ ସେହି ରାସ୍ତା ଦେଇ ଯାତାୟାତ କରିବାରେ ସମସ୍ୟାରେ ପଡ଼ୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି।

ସମ୍ବନ୍ଧିତ ଖବର