ଜଟଣୀ: ମୌସୁମୀ ଆସିସାରିଲାଣି, ହେଲେ ଡ୍ରେନ୍ ସଫେଇ କରାଯାଉନାହିଁ। ପୌରାଞ୍ଚଳରେ ଅଧିକାଂଶ ଡ୍ରେନ୍ ଏବେବି ଆବର୍ଜନାରେ ଭର୍ତ୍ତି ହୋଇରହିଛି। ସେହିପରି କିଛି ସ୍ଥାନରେ ଡ୍ରେନ୍ ଭାଙ୍ଗି ଯାଇଥିବା ବେଳେ ସେଗୁଡ଼ିକୁ ମରାମତି କରାଗଲାନି। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଡ୍ରେନ୍ ଗୁଡ଼ିକରେ ବହୁଦିନ ଧରି ପାଣି ଜମି ରହୁଛି। ଫଳରେ ମଶା ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ମଶା ବଂଶ ନିପାତ ପାଇଁ ସେଭଳି କିଛି ଠୋସ୍ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏହିସବୁ ସ୍ଥାନରେ ମଶାତେଲ ପକାଯିବା ସହ ମଶା ଲାର୍ଭା ଖାଉଥିବା ‘ଗାମ୍ବୁସିଆ’ ମାଛ ଛାଡ଼ିବାକୁ ବାରମ୍ୱାର ଦାବି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଏବେ ଚାରିଆଡ଼େ ମଶା ହାଉଯାଉ ହେଉଛନ୍ତି।
ମଶା ଦମନ ପାଇଁ ଅନେକ ସମୟରେ ପୌରପାଳିକା ପକ୍ଷରୁ ମୁଖ୍ୟ ରାସ୍ତାମାନଙ୍କରେ ମଶା ଧୂଆଁ ଛଡ଼ା ହେଉଥିବା ବେଳେ କିଛି କଲୋନିଗୁଡ଼ିକ ଭିତରେ ଛଡ଼ା ଯାଉନାହିଁ। ପ୍ରଶାସନ ପକ୍ଷରୁ ଯଦି ମଶା ବଂଶ ନିପାତ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରା ନଯାଏ, ତାହେଲେ ଆଗକୁ ସ୍ଥିତି ଗମ୍ଭୀର ହେବ ବୋଲି ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଜଟଣୀ ବାସିନ୍ଦା ରବୀନ୍ଦ୍ର ବେହେରା କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଜଟଣୀ ସହରକୁ ମଶା ବଂଶ କବ୍ଜା କରିଛନ୍ତି। ଦିନ ବେଳା ମଶା ବାଡ଼ି, ବଗିଚା କିମ୍ବା ଛାତ ଉପରେ ଛିଡ଼ା କରି ଦେଉନାହାନ୍ତି, ସନ୍ଧ୍ୟା ହେଲେ କଥା ସରିଲା। ପୌରପାଳିକା ପକ୍ଷରୁ କେବଳ ମଶା ଧୂଆଁ ଛାଡ଼ିଦେଲେ ହେବନି, ଯଦି ସେମାନଙ୍କ ଉତ୍ପନ୍ନସ୍ଥଳୀକୁ ନିପାତ କରାଯିବ ତାହେଲେ କିଛି ପରିମାଣରେ ମୁକ୍ତି ମିଳିବ ବୋଲି କହିଛନ୍ତି। ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ମଶାଧୂଆଁ ଗାଡ଼ି ସବୁଆଡ଼େ ବୁଲୁଛି। କିଛି କିଛି ଗଳି କନ୍ଦି ସ୍ଥାନକୁ ଗାଡ଼ି ଯାଇ ପାରୁନାହିଁ। ତେଣୁ ସମସ୍ୟା ରହିଛି। ଯଦି ଲୋକମାନେ ସଚେତନ ହେବେ ତାହାଲେ ମଶାବଂଶ ହ୍ରାସ ପାଇବ।