ଭୁବନେଶ୍ୱର: ଦୋଳି ବିନା ରଜର ପରିକଳ୍ପନା କରାଯାଇ ପାରେନା। ରଜରେ ରାମଦୋଳି, ଚକ୍ରିଦୋଳି, ବାଉଁଶଦୋଳି ଦେଖିବାକୁ ମିଳେ। ଘର ଅଗଣା ହେଉ କି ଆମ୍ବତୋଟା, ସବୁଠି ଶୋଭାପାଏ ରଜଦୋଳି। ତା’ ସାଙ୍ଗକୁ ଭାସି ଆସୁଥାଏ ରଜର ମନମତାଣିଆ ଗୀତ... ‘ବନସ୍ତେ ଡାକିଲା ଗଜ, ବରଷେକ ଥରେ ଆସିଛି ରଜ’। ଯଦିଓ ରଜ ପରମ୍ପରାକୁ ବଞ୍ଚାଇବା ପାଇଁ ରାଜଧାନୀର ସ୍ଥାନେ ସ୍ଥାନେ ହେଉଥିବା ରଜ ମହୋତ୍ସବରେ ଭିନ୍ନ ଭିନ୍ନ ଦୋଳି ଲାଗୁଛି। ହେଲେ ସମସ୍ତେଏହି ମହୋତ୍ସବରେ ଯୋଗଦେଇ ପାରୁନଥିବାରୁ ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଦୋଳି କିଣୁଛନ୍ତି। କଟନ, ନାଇଲନ ଓ ପ୍ଲାଷ୍ଟିକ ସୂତାରେ ବିଭିନ୍ନ ରଙ୍ଗରେ ପ୍ରସ୍ତୁତ ଏହି ଦୋଳି ଆକର୍ଷଣର କେନ୍ଦ୍ର ପାଲଟିଛି। ବିଶେଷ କରି ଛୋଟ ପିଲା ଖେଳିବା ପାଇଁ ଏହି ଦୋଳି ପ୍ରକୃଷ୍ଟ ହେଇଥିବାରୁ ଏହାର ବେପାର ଜମୁଛି। ସହରର ୟୁନିଟ-୮, ଏକ ନମ୍ୱର ହାଟ, ଇନ୍ଦ୍ରଧନୁ ମାର୍କେଟ, ଜୟଦେବବିହାର ଆଦି ଅଞ୍ଚଳରେ ଏହାର ବେପାର ଜମୁଛି। ଆକାର ଅନୁସାରେ ଏଗୁଡ଼ିକର ମୂଲ୍ୟ ୧୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Advertisment

ଧଉଳି: ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଧଉଳି ପାଦଦେଶରେ ରଜ ମହୋତ୍ସବ ଧୂମଧାମ୍‌ରେ ଆୟୋଜନ କରାଯିବା ନେଇ ସ୍ଥିର ହୋଇଛି। ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନବ୍ୟାପୀ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ପୋଡ଼ପିଠା, ମିଠା ଏବଂ ରାଜପାନ ସାଙ୍ଗକୁ ଜମିବ ବଲିଉଡ ଓ ଓଲିଉଡ କଳାକାରଙ୍କ ଦ୍ୱାରା ସଙ୍ଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମ। ମୀନାବଜାର, ମହିଳା ଏବଂ ଯୁବତୀଙ୍କ ମଧ୍ୟରେ ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଅବସରରେ ୨୦୦ରୁ ଅଧିକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ଧଉଳି ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ସାହୁ, ଅରୁଣ ପୁରୋହିତ, ଆଲୋକ ରଞ୍ଜନ ସାହୁ, ବିଭୂତି ପ୍ରଧାନ, ଅଜୟ ସ୍ୱାଇଁ, ମାନସ ପଣ୍ଡା, ରାଜେନ୍ଦ୍ର ଖଟୁଆ, ଚିରଞ୍ଜୀବ ଗୋଚ୍ଛାୟତ, ଜଗନ ବେହେରା ଏବଂ ସୁରେନ ବରାଳ ପ୍ରମୁଖ ଯୋଗ ଦେଇଥିଲେ। କୃଷ୍ଣଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ।