ଭୁବନେଶ୍ୱର: କାରୁକାର୍ଯ୍ୟଭରା ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ମୁ‌କ୍ତେଶ୍ବର ନୃତ୍ୟ ଉତ୍ସବ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ଯେତିକି ବି ମୋହତ କରିଥିଲା, ରାଗ ଓ ତାଳ ସେତିକି ଉଷ୍ମତା ଭରିଦେଇଥିଲା। ରାଗ ରାଗମାଳିକା ଓ ତାଳ ତାଳମାଳିକା ଆଜି ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କୁ ନିଆରା ଉଷ୍ମତାର ଅନୁଭବ ଦେଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ଏହି ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ଶିଳ୍ପୀମାନେ ଦର୍ଶକଙ୍କୁ ବିଭୋର କରିଥିଲା। ମାତୃପ୍ରସାଦ ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ‘ହରହର ଶଙ୍କର ଭୋଳା ମହେଶ୍ୱର’ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଯଜ୍ଞଦତ୍ତ ପ୍ରଧାନଙ୍କ ଦ୍ୱାରା ମହାଭାରତରୁ ଉଦ୍ଧୃତ ଶ୍ରୀନିବାସ ଘଟୁଆରିଙ୍କ ଲିଖିତ ନାଟକ ‘କର୍ଣ୍ଣ’ ପରିବେଷିତ ହୋଇଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। ବାଦ୍ୟ ସଂଯୋଜନାରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ। ପରେପରେ ସ୍ୱର୍ଣ୍ଣମୟୀ ବେହେରା ଓ ସ୍ୱୀକୃତି ଦାସ ‘ପଲ୍ଲବୀ’ ପରି‌ବେଷଣ କରିଥିଲେ। ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ସଙ୍ଗୀତ ସଂଯୋଜନା, ଗୁରୁ ସଚ୍ଚିଦାନନ୍ଦ ଦାସ ତାଳ ସଂଯୋଜନା ଓ ଗୁରୁ ମୀରା ଦାସ ନୃତ୍ୟ ସଂରଚନା କରିଥିଲେ।

Advertisment

ଏହାପରେ ସ୍ୱପ୍ନାରାଣୀ ସିହ୍ନାଙ୍କ ପ୍ରତିଷ୍ଠିତ ନୃତ୍ୟନୀଳୟ ଅନୁଷ୍ଠାନର ଶିଳ୍ପୀମାନେ ରାଗ ରାଗମାଳିକା ଓ ତାଳ ଆଦିତାଳ ଉପରେ ନିବଦ୍ଧ ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗୁରୁ ଧନେଶ୍ୱର ସ୍ୱାଇଁ ବାଦ୍ୟ ସଂଯୋଜନା, ଗୁରୁ ସୁକାନ୍ତ କୁମାର କୁଣ୍ଡୁ ସଙ୍ଗୀତ ସଂଯୋଜନା ଓ ଗୁରୁ ସ୍ୱପ୍ନାରାଣୀ ସିହ୍ନା ନୃତ୍ୟ ସଂରଚନା କରିଥିଲେ। ଶେଷରେ ରାଗ ରାଗମାଳିକା ଓ ତାଳ ତାଳମାଳିକାକୁ ନେଇ ତ୍ରିବେଣୀ ସଙ୍ଗମ୍‍ ପରିବେଷଣ କରାଯାଇଥିଲା। ଉଦ୍‍ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଗୁରୁ ଅରୁଣା ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ତଥା ଗାୟକ ପ୍ରଫେସର ଗୁରୁ ରାମହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ସିକ୍‌ତା ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ କୁମାର ରଥ ଅତିଥି ଭାବେ ଯୋଗଦେଇଥିଲେ। ଡ. ଶ୍ରୀନିବାସ ଘଟୁଆରି ଓ ନାଜିଆ ଆଲାମ୍‍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।