ଚନ୍ଦ୍ରଶେଖରପୁ: କେବେ ରେଳ ଫାଟକରେ ୩୦ ମିନିଟ୍ ଅଟକିବାକୁ ପଡ଼ୁଛି। ତ ଆଉ କେବେ ଘଣ୍ଟାଏ। ଦିନେ ଦିନେ ତ ରେଳ ଟ୍ରାଫିକ୍ ଜାମ୍ ହୋଇଗଲେ କଥା ସରିଲା। ଲେବୁଲ୍ କ୍ରସିଂ ଅତିକ୍ରମ କରିବା ଆଉ ସମ୍ଭବହେଉ ନାହିଁ। ଆମ୍ବୁଲାନ୍ସ ମଝିରେ ମଝିରେ ଫସି ଯାଉଛି। ଏଭଳି ଘଟଣା ଆଉ କେଉଁଠି ନୁହେଁ, ବରଂ ମଞ୍ଚେଶ୍ବର ରେଳଷ୍ଟେସନ ନିକଟରେ ରଙ୍ଗମାଟିଆ ଓ ଭୋଟପଡ଼ାକୁ ସଂଯୋଗ କରୁଥିବା ଲେବଲ୍ କ୍ରସିଂରେ ପ୍ରତିଦିନ ଏଭଳି ସ୍ଥିତି ଉପୁଜିଛି। ରେଳ ଓଭରବ୍ରିଜ୍ ନିର୍ମାଣ କରିବାକୁ ବହୁବର୍ଷ ହେଲା ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ରେଳବିଭାଗ ଆଖିବୁଜି ଦେଇଥିବା ବେଳେ ଜନପ୍ରତିନିଧିମାନେ ହେୟଜ୍ଞାନ କରୁଛନ୍ତି। ପରିଣାମ ସ୍ବରୂପ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପୂର୍ବରୁ ସହର ଉପକଣ୍ଠରେ ଥିବା ଏହି ଅଞ୍ଚଳ ଏବେ ଗମନାଗମନର ପ୍ରମୁଖ ମାର୍ଗ ପାଲଟିଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ଶିଳ୍ପାନୁଷ୍ଠାନ ସମେତ ଜନବସତି ଗଢ଼ି ଉଠିବା ଦ୍ବାରା ଲୋକଙ୍କ ଚଳପ୍ରଚଳ ବୃଦ୍ଧି ପାଇଛି। ମଞ୍ଚେଶ୍ବର ରେଳଷ୍ଟେସନ ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଯିବା ଆସିବା କରିବାକୁ ଏହି ଲେବଲ୍ କ୍ରସିଂ ହିଁ ଏକମାତ୍ର ମାଧ୍ୟମ। ଷ୍ଟେସନ୍ ପାର୍ଶ୍ବରେ ଗାଡ଼କଣ, ରଙ୍ଗମାଟିଆ, ରେଲୱେ କଲୋନି ରହିଥିବା ବେଳେ ଶିଳ୍ପାଞ୍ଚଳ ପାର୍ଶ୍ବରେ ଭୋଟପଡ଼ା, ରୋକଟ, ସମେଇଗାଡ଼ିଆ, ଚକେଇସିଆଣି ପରି ଅଞ୍ଚଳ ରହିଛି। ଷ୍ଟେସନ୍କୁ ଆସିବାକୁ ହେଲେ ଭୋଟପଡ଼ା, ରୋକଟ, ସମେଇଗାଡ଼ିଆ, ଚକେଇସିଆଣି ଲୋକେ ଏହି ଲେବଲ୍ କ୍ରସିଂକୁ ବ୍ୟବହାର କରୁଛନ୍ତି। ପ୍ରତିଦିନ ହଜାରରୁ ଅଧିକ ଗାଡ଼ିମଟର ଏହି ରାସ୍ତା ଦେଇ ଚଳପ୍ରଚଳ କରୁଛି। ଷ୍ଟେସନ୍ ନିକଟରେ ଲେବଲ୍ କ୍ରସିଂ ହୋଇଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରମ୍ବାର ଫାଟକ ପକାଯାଉଥିବାରୁ ଅଧିକାଂଶ ସମୟରେ ରେଳ କର୍ମଚାରୀ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହେଉଛି। ବେଳେବେଳେ ପଛରୁ ପଛ ୪ରୁ ୫ଟି ଟ୍ରେନ୍ ଆସୁଥିବାରୁ ଲୋକେ ଅଧର୍ଯ୍ୟ ହୋଇପଡ଼ୁଛନ୍ତି। ସେହି ଦୃଷ୍ଟିରୁ ଏହି ରେଳଫାଟକ ଉଠାଯାଇ ରେଳ ଓଭରବ୍ରିଜ୍ ନିର୍ମାଣ କରିବାର ଆବଶ୍ୟକତା ରହିଥିବା ଅଞ୍ଚଳବାସୀ କହିଛନ୍ତି।
ରେଳ ଓଭରବ୍ରିଜ୍ ନିର୍ମାଣ କରିବାକୁ ଗାଡ଼କଣ ଓ ରଙ୍ଗମାଟିଆ ଲୋକେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ କାମ ଆଗେଇପାରିନାହିଁ। ରଙ୍ଗମାଟିଆର ଭାସ୍କର ସାହୁ କହିଛନ୍ତି ଯେ ରେଳ ଓଭରବ୍ରିଜ୍ର ଆବଶ୍ୟକତା ବହୁତ ରହିଛି। କଳାରାହାଙ୍ଗ ଓ ପଟିଆ ଓଭରବ୍ରିଜ୍ ଦିଗରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କଳାରାହାଙ୍ଗ ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଓଭରବ୍ରିଜ୍ ନିର୍ମାଣରେ ଯଦି ଅସୁବିଧା ହେଉଛି ତାହା ହେଲେ ଭୂତଳ ରାସ୍ତା କରାଯାଉ। ରେଳ ଫାଟକଠାରୁ ୧୦୦ ମିଟର ଦୂରରେ ଏକ ଭୂତଳ ରାସ୍ତା ରହିଛି, ଯାହାକି ଏବେ ବ୍ୟବହାର ହେଉନାହିଁ। ତୁରନ୍ତ ତାହାକୁ ମରାମତି କରି ଭୂତଳ ରାସ୍ତା ଖୋଲା ଗଲେ ଲୋକେ ଉପକୃତ ହୁଅନ୍ତେ। ଭୋଟପଡ଼ାର ଜଳନ୍ଧର ଭୋଇ ଓ ଗାଡ଼କଣର କୃଷ୍ଣଚନ୍ଦ୍ର ପତି କହିଛନ୍ତି ଏହି ରାସ୍ତା ଆମର ଲାଇଫ୍ଲାଇନ୍। ମଞ୍ଚେଶ୍ବର ଷ୍ଟେସନ୍, ରଙ୍ଗମାଟିଆ ସ୍କୁଲ, ଚନ୍ଦ୍ରଶେଖରପୁର ପ୍ରଭୃତି ଅଞ୍ଚଳକୁ ଯିବା ପାଇଁ ଆମେ ଏହି ରାସ୍ତା ବ୍ୟବହାର କରିଥାଉ। ସ୍କୁଲ, କଲେଜ ପିଲାମାନେ ଏହି ରାସ୍ତାରେ ଯା’ଆସ କରୁଛନ୍ତି। ବହୁଦିନ ହେଲା ରେଳ ଓଭରବ୍ରିଜ୍ ନିର୍ମାଣ କରିବାକୁ ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/21/sfsffsxxccx-2025-07-21-02-34-35.jpg)