ରାୟଗଡ଼ା ଯୁବକ ବଖାଣିଲେ ଲୁଟେରାଙ୍କ ବର୍ବରତା: ମାଡ଼ ମାରିଲେ, ପ୍ୟାଣ୍ଟସାର୍ଟ ଖୋଲିନେଲେ

ବରମୁଣ୍ଡା ବସଷ୍ଟାଣ୍ଡରେ ନିଶା ଦେଇ ଲୁଟ୍ ଘଟଣା, ଜୀବନ ଯାଉଯାଉ ବଞ୍ଚିଗଲି, ଥାନାରେ କଲେ ଅଭିଯୋଗ

ଭୁବନେଶ୍ବର: ଶନିବାର ରାତିରେ ବରମୁଣ୍ଡା ବସଷ୍ଟାଣ୍ଡରେ ନିଶାଦିଆ ଲୁଟେରାଙ୍କ ଲୁଟ୍‌ର ଶିକାର ହୋଇଥିବା ରାୟଗଡ଼ାର ଯାତ୍ରୀ ମହେନ୍ଦ୍ର ନାୟକ ସୁସ୍ଥ ହେବା ପରେ ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ନିଶାଦିଆ ଲୁଟେରାଙ୍କ ବର୍ବରତା ବଖାଣିଛନ୍ତି। ଜୀବନ ଯାଉଯାଉ ଭଗବାନ ବଞ୍ଚାଇଦେଲେ ବୋଲି କହିବା ସହ ଲୁଟେରା କେମିତି ଲୁଟିଲେ, କେମିତି ମାଡ଼ ମାରିଲେ ସେ କଥା ମଧ୍ୟ କହିଛନ୍ତି।

ମହେନ୍ଦ୍ରଙ୍କ କହିବା ଅନୁସାରେ, ସେ ରାୟଗଡ଼ାସ୍ଥିତ ଉତ୍କଳ ଆଲୁମିନାରେ କାମ କରନ୍ତି। ଗତ ୮ ତାରିଖରେ କମ୍ପାନି କାମରେ ଦିଲ୍ଲୀ ଯାଇଥିଲେ। ଏହାର ପରଦିନ ୯ ତାରିଖ ସନ୍ଧ୍ୟାରେ ସେ ଏୟାର ଇଣ୍ଡିଆ ବିମାନ ଯୋଗେ ଦିଲ୍ଲୀରୁ ଫେରିଥିଲେ। ଆଉ ରାୟଗଡ଼ା ଫେରିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇଥିଲେ। ବସ୍‌ରେ ବସିବା ପୂର୍ବରୁ ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥି‌େଲ। ସେହି ସମୟରେ ଦୁଇ ଜଣ ଯୁବକ ସେଠାରେ ବାଇକ୍‌ରେ ପହଞ୍ଚି କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ମହେନ୍ଦ୍ର ରାୟଗଡ଼ା ଯାଉଥିବା ଜାଣିବା ପରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ସେ ମଧ୍ୟ ରାୟଗଡ଼ା ଯିବା ଲାଗି ସେହି ବସ୍‌ରେ ଟିକଟ କରିଛନ୍ତି। ତେବେ ଏହି ହୋଟେଲର ଖାଇବା ଭଲ ନୁହେଁ; କିଛି ଦୂରରେ ଥିବା ଅନ୍ୟ ଏକ ହୋଟେଲକୁ ଯିବା ଲାଗି କହିଥିଲେ। ମହେନ୍ଦ୍ର ପ୍ରଥମେ ରାଜି ହୋଇ ନ ଥିଲେ ମଧ୍ୟ ପରେ କିନ୍ତୁ ସେମାନଙ୍କ କଥା ଭାଙ୍ଗି ନ ପାରି ବାଇକ୍‌ରେ ବସି ଯାଇଥିଲେ। ସେମାନେ ତାଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡ ପଛ ପାଖରେ ଥିବା ବିଡିଏ ପାର୍କ ନିକଟକୁ ନେଇ ଯାଇଥିଲେ। ଆଗ ମଦ ପିଇ ତା’ପରେ ଖାଇବାକୁ ଯିବା ବୋଲି କହିଥିଲେ।

ଏହାପରେ ଦୁଇ ଯୁବକ ମଦ ବୋତଲ ଖୋଲି ପିଇଥିଲେ। ସେମାନେ ମହେନ୍ଦ୍ରଙ୍କୁ ମଧ୍ୟ ଯାଚିଥିଲେ। କିନ୍ତୁ ମହେନ୍ଦ୍ର ମନା କରିବାରୁ ତାଙ୍କୁ କୋଲଡ୍‌ ଡ୍ରିଙ୍କସ୍ ପିଇବାକୁ ଦେଇଥିଲେ। ଏହାକୁ ପିଇବା ପରେ ଧୀରେ ଧୀରେ ଚେତାଶୂନ୍ୟ ହେବାକୁ ଲାଗିଥିଲେ ମହେନ୍ଦ୍ର। ଏହି ସୁଯୋଗରେ ଲୁଟେରା ଯେତେବେଳେ ତାଙ୍କ ବ୍ୟାଗ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ; ସମ୍ପୂର୍ଣ୍ଣ ଚେତା ଯାଇ ନ ଥିବାରୁ ମହେନ୍ଦ୍ର ବିରୋଧ କରିଥିଲେ। ଏହା ଦେଖି ଦୁଇ ଲୁଟେରା ତାଙ୍କ ମୁହଁକୁ ମାଡ଼ ମାରି ବ୍ୟାଗ, ପ୍ୟାଣ୍ଟ ପକେଟରେ ଥିବା ମନିପର୍ସ ଓ ମୋବାଇଲ ଫୋନ୍ ନେଇ ଯାଇଥିଲେ। ତାଙ୍କ ଲଗେଜ୍ ବ୍ୟାଗରେ ୧୭ ହଜାର ଟଙ୍କା ଓ ମନିପର୍ସରେ ୮ ହଜାର ଟଙ୍କା ଥିଲା। ଚେତା ଫେରିବା ପରେ ମହେନ୍ଦ୍ର ତାଙ୍କ ଶରୀରରେ ପ୍ୟାଣ୍ଟସାର୍ଟ ମଧ୍ୟ ନ ଥିବା ଦେଖିଥିଲେ। ତାଙ୍କ ମୁଣ୍ଡ ଟଳଟଳ ହେଉଥିଲା। ସେ ବହୁ କଷ୍ଟରେ ଉଠି ନିକଟରେ ପଡ଼ିଥିବା ଏକ ପରିତ୍ୟକ୍ତ ଟ୍ରାଉଜର ଗୋଟାଇ ପିନ୍ଧିବା ପରେ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ୍ ମାଗି ବଡ଼ଭାଇ ପୁରୁଷୋତ୍ତମଙ୍କ ପାଖକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ।

ବଡ଼ଭାଇ ଏ କଥା ଜାଣିବା ପରେ ଖଣ୍ଡଗିରି ଅଞ୍ଚଳରେ ଥିବା ତାଙ୍କ ସାଙ୍ଗ ପ୍ରଜ୍ଞାରଞ୍ଜନ ଖୁଣ୍ଟିଆଙ୍କ ପାଖକୁ ଫୋନ୍ କରି ଜଣାଇବା ସହ ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ତାହା ଦେଇଥିଲେ। ଏହା ପରେ ପ୍ରଜ୍ଞାରଞ୍ଜନ ସେହି ନମ୍ବରକୁ କଲ୍ କରି ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରୁ ମହେନ୍ଦ୍ରଙ୍କୁ ଉଦ୍ଧାର କରିବା ପରେ ସେ ତାଙ୍କ ଭାଇଙ୍କୁ ଫୋନ୍ କରି ଅବଗତ କରାଇଥିଲେ। ପୁରୁଷୋତ୍ତମ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚିବା ପରେ ମହେନ୍ଦ୍ରଙ୍କୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଆଜି ସକାଳେ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ସେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରି ନାହିଁ।

ବସଷ୍ଟାଣ୍ଡରେ ଜମୁଛି ନିଶାଡ଼ିଙ୍କ ଆଡ୍ଡା
ଚାଲିଛି ବ୍ରାଉନସୁଗାର, ଚୋରା ମଦ କାରବାର
ବରମୁଣ୍ଡା ବସଷ୍ଟାଣ୍ଡ ନିକଟ, ରୁଚିକା ମାର୍କେଟ ଅଞ୍ଚଳ ଚୋରା ନିଶା କାରବାରର ପେଣ୍ଠ ପାଲଟିଛି। ବେଧଡ଼କ ବ୍ରାଉନସୁଗାର ଓ ଚୋରା ମଦ ବିକ୍ରି ଚାଲିଛି। ଅସାମାଜିକ ଯୁବକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶା ଖାଉଛନ୍ତି। ନିଶାଦ୍ରବ୍ୟ ମଧ୍ୟ ବିକ୍ରି ଚାଲିଛି। ନା ସେମାନଙ୍କୁ ପୁଲିସ ଧରିପାରୁଛି ନା ପାଟ୍ରୋଲିଂ ହେଉଛି। ଯାହା ଫଳରେ ଚୋରା ନିଶାଦ୍ରବ୍ୟ ବେପାରୀ, ଅସାମାଜିକ, ଲୁଟେରା, ଅପରାଧୀମାନେ ଦିନକୁ ଦିନ ସକ୍ରିୟ ହୋଇ ଉଠୁଛନ୍ତି। ସେହି ନିଶା ଆଡ୍ଡାରେ ଚଢ଼ଉ ପାଇଁ ଦାବି ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର