ସାମ୍ନାକୁ ଆସିଲା ଶିକ୍ଷା ହବ୍‌ର ବାସ୍ତବ ଚିତ୍ର: ଉଚ୍ଚଶିକ୍ଷାରେ ଗରିବୀ ବାଧକ

୧୫ରୁ ୧୮ ବର୍ଷ ବୟସର ୪୦୫ ଡ୍ରପ୍‌ ଆଉଟ୍‌, ସେକ୍ଟର-୬, କଳାରାହାଙ୍ଗ ଓ କଣ୍ଟାବାଡ଼ କ୍ଲଷ୍ଟରରେ ସ୍ଥିତି ସାଂଘାତିକ

ଭୁବନେଶ୍ବର: ପୂର୍ବ ଭାରତର ଶିକ୍ଷା ହବ୍‌ ଭୁବନେଶ୍ବର। ଏଠାରେ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଛିଡ଼ା ହେଉଛି। କ୍ୟାମ୍ପସ୍‌ରେ ମାଳ ମାଳ କୋଠା ନିର୍ମାଣ ହେଉଛି। ପିଲାଙ୍କୁ ଆକୃଷ୍ଟ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଏକାଧିକ ପଦକ୍ଷେପ ନିଆଯାଉଛି। ତା’ପରେ ବି ପିଲାମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଗରିବୀ ପାଇଁ କିଏ ଅଧାରୁ ପାଠ ଛାଡ଼ୁଛନ୍ତି ତ ଆଉ କିଏ ଘର କାମରେ ପରିବାର ‌ଲୋକଙ୍କୁ ସହଯୋଗ କରିବା ପାଇଁ ପାଠ ପଢ଼ିପାରୁ ନାହାନ୍ତି। କେହି କେହି ମାଟ୍ରିକ୍‌ ପରେ ଉଚ୍ଚଶିକ୍ଷା କରିବାକୁ ଆଦୌ ପସନ୍ଦ କରୁନାହାନ୍ତି। ଏ କଥା ଆମେ କହୁନୁ। ଓସେପା ପକ୍ଷରୁ କରାଯାଇଥିବା ଡ୍ରପ୍‌ ଆଉଟ୍‌ ସର୍ଭେ ରିପୋର୍ଟରେ ଶିକ୍ଷା ହବ୍‌ର ଏଭଳି ଚିତ୍ର ସାମ୍ନାକୁ ଆସିଛି।

କରୋନା କାଳରେ ଭୁବନେଶ୍ବର ସହରରେ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ଭୁବନେଶ୍ବର ବ୍ଲକ ଅଞ୍ଚଳରୁ ୨୬୨ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୨୪୨ ଜଣ ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଛି। ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଏବେ ଅଧିକ ଚିନ୍ତା ବଢ଼ିଛି। ଏହି ବୟସର ଛାତ୍ରଛାତ୍ରୀ ମୁଖ୍ୟତଃ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଯୁକ୍ତ୨ ଓ ଯୁକ୍ତ ୩ରେ ପଢ଼ିଥାନ୍ତି। ହେଲେ ଭୁବନେଶ୍ବର ବ୍ଲକ ଓ ବିଏମ୍‌ସି ଅଞ୍ଚଳ‌ରେ ଏହି ବୟସର ୪୦୫ ଜଣ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅର୍ଥ ଅଭାବରୁ ପଢ଼ିପାରି ନ ଥିବା ନଜରକୁ ଆସିଛି। ୨୦୨୦-୨୧ ଶିକ୍ଷାବର୍ଷରେ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ୨୬୨ ଜଣ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ସେଥିମଧ୍ୟରୁ ୨୩୦ ଜଣଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ। ଅର୍ଥାତ୍‌ କିଶୋର ବୟସରେ ଏହି ପିଲାମାନେ ପାଠପଢ଼ାରୁ ଦୂରେଇ ଯାଇଛନ୍ତି। ଅଧିକାଂଶ ପିଲା ଅର୍ଥ ଅଭାବରୁ ପାଠପଢ଼ା ଛାଡ଼ିଥିବା ସର୍ଭେ ବେଳେ ଜଣାପଡ଼ିଛି। ଏହାବ୍ୟତୀତ ଇଚ୍ଛା‌ ଶକ୍ତି ନ ଥିବା, ଗରିବୀ, ମାନସିକ ଭାରସାମ୍ୟ ହରାଇବା, ଘର କାମରେ ଅଭିଭାବକଙ୍କୁ ସହଯୋଗ କରିବା ପରି କାରଣ ଲାଗି ମଧ୍ୟ ପିଲାମାନେ ଶିକ୍ଷା ଗ୍ରହଣ କରୁନାହାନ୍ତି। ଏମିତିକି କିଛି ପିଲା କାମ ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଦଶମ ଶ୍ରେଣୀ‌ରେ ଫେଲ୍‌ ହେବା କାରଣରୁ ବି କେତେଜଣ ପିଲା ଆଉ ପଢ଼ିବାକୁ ଆଗ୍ରହ ଦେଖାଇ ନାହାନ୍ତି। ୬ରୁ ୧୪ ବର୍ଷ ବୟସର ମଧ୍ୟରେ ପାଠପଢ଼ା ଛାଡ଼ିଥିବା ୩୨ ଜଣ ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଅର୍ଥ ବାଧକ ସାଜିଛି। କଳାରାହାଙ୍ଗ ଓ କଣ୍ଟାବାଡ଼ କ୍ଲଷ୍ଟରରେ ବହୁ ଛାତ୍ରଛାତ୍ରୀ ଡ୍ରପ୍‌ ଆଉଟ୍‌ ହୋଇଛନ୍ତି। ଏହାବ୍ୟତୀତ ଦାରୁଠେଙ୍ଗ, ବରିମୁଣ୍ଡ, ସିଜୁଆ, ପଦାସାହି, ବାଙ୍କୁଆଳ, ସରଦେଇପୁର କ୍ଲଷ୍ଟରରେ ବି ପିଲାମାନେ ପାଠପଢ଼ା ଛାଡ଼ିଥିବା ନଜରକୁ ଆସିଛି।

ଏହି ସମୟ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୨୪୨ ଜଣ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ରୁ ୧୮ ବର୍ଷ ବୟସର ୧୭୫ ଜଣ ଅଛନ୍ତି। ଭୁବନେଶ୍ବର ବ୍ଲକ ତୁଳନାରେ ବିଏମ୍‌ସିରେ ଏହି ବୟସର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ କମ୍‌। ୫୮ ଜଣ ଛାତ୍ରଛାତ୍ରୀ ଅର୍ଥାଭାବରୁ ପାଠପଢ଼ାଠାରୁ ଦୂରେଇ ଯାଇଛନ୍ତି। ଏହି ଅଞ୍ଚଳରେ ପ୍ରବାସୀ ପରିବାର ଯୋଗୁଁ ଅଧିକାଂଶ ପିଲା ଅଧାରୁ ପାଠପଢ଼ା ଛାଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସେକ୍ଟର-୬ ସରକାରୀ ୟୁପିଏସ୍‌ କ୍ଲଷ୍ଟରରେ ଅଧିକାଂଶ ପିଲା ଉଚ୍ଚଶିକ୍ଷା କରିପାରି ନାହାନ୍ତି। ଏହାବ୍ୟତୀତ ଡୁମୁଡୁମା ୟୁପିଏସ୍‌, ବାପୁଜୀ ନଗର ୟୁପିଏସ୍‌, ରାଜଭବନ ୟୁପିଏସ୍‌, ପିଟି ରଘୁନାଥ ୟୁପିଏସ୍‌, ଆଇଗିଣିଆ କ୍ଲଷ୍ଟରରୁ ମଧ୍ୟ ବହୁ ପିଲା ପାଠପଢ଼ାଠାରୁ ଦୂରେଇ ଯାଇଛନ୍ତି। ଅନ୍ୟାନ୍ୟ କାରଣ ପାଇଁ ସର୍ବାଧିକ ପିଲା ଉଚ୍ଚ ଶିକ୍ଷା କରିପାରି ନ ଥିବା ଜଣାପଡ଼ିଛି। ଅଧାରୁ ପାଠପଢ଼ା ଛାଡ଼ିଥିବା ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀ ସର୍ଭେ କରିବା ସମୟରେ ପିଲାଙ୍କ ଯୋଗ୍ୟତା ଦେଖି କେଉଁ ଭଳି ସେମାନଙ୍କୁ ଶିକ୍ଷା ଦିଆଯାଇପାରିବ ସେନେଇ ଦର୍ଶାଇଛନ୍ତି। ‌ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓପନ୍‌ ସ୍କୁଲିଂ, ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓପନ୍‌ ସ୍କୁଲିଂ, ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଯାଇପାରିବ ବୋଲି କୁହାଯାଇଛି। ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ସେମାନଙ୍କୁ ନିକଟସ୍ଥ ସ୍କୁଲରେ ପୁଣି ଥରେ ନାମ ଲେଖାଇବାରେ କୌଣସି ଅସୁବିଧା ନାହିଁ। ଏଦିଗରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର