କରୋନା ବଦଳାଇଲା ଗତାନୁଗତିକ ଧାରା, ବାରଣ୍ଡାରେ ଚାଲୁଛି ଥାନା

ପୂର୍ବରୁ ଫେଲ୍ ମାରିଥିଲା ରିସେପସନ୍ ସେଣ୍ଟର

 

ଭୁବନେଶ୍ବର: କରୋନା ଯୁଦ୍ଧରେ ପୁଲିସ ଆଗ ଧାଡ଼ିର ଯୋଦ୍ଧା। ତେଣୁ ପୁଲିସକୁ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ରାସ୍ତାଘାଟରେ ଚେକିଂ ହେଉ କି ଥାନାରେ ଲୋକଙ୍କ ସଂସ୍ପର୍ଶରେ ଆସିବା ହେଉ; ପ୍ରତିଦିନ ପୁଲିସ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ତେଣୁ ଯଥାସମ୍ଭବ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏବେ ରାଜଧାନୀରେ ଥିବା ଥାନାଗୁଡ଼ିକର ଗତାନୁଗତିକ ଧାରା ବଦଳି ଯାଇଛି। ଏବେ ବାରଣ୍ଡାରେ ଥାନା ବସୁଛି। ବାରଣ୍ଡାରେ ପଡ଼ୁଛି ଟେବୁଲ। ସେଠାରେ ବସୁଛନ୍ତି ଡିସିଓ। ଜଣେ ଦୁଇଜଣ କର୍ମଚାରୀ ବି ଉପସ୍ଥିତ ରହୁଛନ୍ତି। ଅଭିଯୋଗକାରୀ ଆଉ ଥାନା ଭିତରକୁ ଯାଉ ନାହାନ୍ତି। ବାରଣ୍ଡାରେ ବସୁଥିବା ଡିସିଓଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ଯେମିତି ଥାନା ଭିତରେ ସବୁ ପ୍ରକ୍ରିୟା ଚାଲୁଥିଲା, ସେମିତି ଥାନା ଏବେ ବାହାରେ ଚାଲୁଛି। ଲକ୍‌ଡାଉନ୍‌ ପରଠାରୁ ଥାନା ବାରଣ୍ଡାରେ ଏଭଳି କାର୍ଯ୍ୟ ଚାଲୁଛି। କରୋନା ପ୍ରଭାବ କମିବା ପର୍ଯ୍ୟନ୍ତ ଏମିତି ଚାଲିବ ବୋଲି ଜଣାପଡ଼ିଛି। ରାଜଧାନୀରେ ସବୁ ଥାନା ଏବେ ଏମିତି ଢଙ୍ଗରେ ଚାଲିଛି। ଅଭିଯୋଗକାରୀଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ତାହା ଉପରେ ଧ୍ୟାନ ଦିଆଯାଇଛି।

ପୂର୍ବରୁ ଫେଲ୍ ମାରିଥିଲା ରିସେପସନ୍ ସେଣ୍ଟର
ଅଭିଯୋଗକାରୀ ଥାନାକୁ ଆସିଲେ ପ୍ରଥମେ ରିସେପସନ୍ ସେଣ୍ଟରକୁ ଯିବେ। ସେଠାରେ ବସିବା ଓ ପିଇବା ପାଣିର ସୁବିଧା କରାଯାଇଥିଲା। ଅଭିଯୋଗକାରୀଙ୍କ ସହ କଥା ହେବା ପାଇଁ ଜଣେ କର୍ମଚାରୀ ବି ନିୟୋଜିତ ରହିଥିଲେ। ୨୦୧୮ରେ ସବୁ ଥାନାରେ ଖୋଲା ଯାଇଥିଲା ରିସେପସେନ୍ ସେଣ୍ଟର। ଆଡ଼ମ୍ବର ସହ ଗୋଟିଏ ପରେ ଗୋଟିଏ ରିସେପସନ୍ ସେଣ୍ଟରର ଉଦଘାଟନ କରାଯାଇଥିଲା। ଅଳ୍ପ କିଛିଦିନ ଠିକ୍‌ଠାକ୍‌ ଚାଲିଲା। କିନ୍ତୁ ପରେ ଫେଲ୍ ମାରିଥିଲା। ଫଳପ୍ରଦ ହୋଇ ପାରି ନ ଥିଲା ରିସପେସନ୍ ସେଣ୍ଟର। କେଉଁଠି ତାଲା ପଡ଼ିଥିଲା ତ ଆଉ କେଉଁଠି ଜବତ ସାମଗ୍ରୀ ରଖା ଯାଇଥିଲା। କେତେକ ସ୍ଥାନରେ ଥାନାର କିଛି କର୍ମଚାରୀଙ୍କ କବଜାରେ ରହିଥିଲା ଏହି ସେଣ୍ଟର୍‌। ଯଦି ଏହା ଠିକ୍‌ ଭାବେ କାର୍ଯ୍ୟ କରିଥାଆନ୍ତା, ତେବେ ବର୍ତ୍ତମାନ ପରିସ୍ଥିତିରେ ଏଠାରେ ଥାନା କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର