ରେକର୍ଡ ଭାଙ୍ଗିଲେ ଚୋର, ଲୁଟେରା

୨୦୨୧ ବାର୍ଷିକ ଅପରାଧ ରିପୋର୍ଟ: ଟୁଇନ୍ ସିଟିରେ ୭୩ ହତ୍ୟା, ୧୯୦ ଦୁଷ୍କର୍ମ, ମାମଲା ଟପିଲା ୧୫ ହଜାର

ଭୁବନେଶ୍ବର: ରାଜଧାନୀରେ ଚୋର, ଲୁଟେରାଙ୍କ ଉତ୍ପାତ ବଢ଼ି ଚାଲିଛି। ରାଜରାସ୍ତାରେ ଲୋକଙ୍କୁ ହାଣି ଓ ଆକ୍ରମଣ କରି ଲୁଟ୍ ମାମଲା ବଢ଼ି ଚାଲିଥିବା ବେଳେ ଛିନ୍‌ତାଇ ବି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସେହିପରି ଚୋରି, ସିନ୍ଧିଚୋରି ସଂଖ୍ୟା ବି ପଛରେ ପଡ଼ିନି। ଏହି ସବୁ ଅପରାଧ ୨୦୨୦ ତୁଳନାରେ ୨୦୨୧ରେ ଉଦ୍‌ବେଗଜନକ ଭାବେ ବଢ଼ିଛି। ଏ କଥା ଆମେ କହୁନୁ, ବରଂ କମିସନରେଟ ପୁଲିସର ରିପୋର୍ଟ କହୁଛି।

ସେହିପରି ୨୦୨୦ ତୁଳନାରେ ୨୦୨୧ରେ ହତ୍ୟା ମାମଲା ଦୁଇଟି ଓ ଦୁଷ୍କର୍ମ ମାମଲା ଗୋଟିଏ କମ୍ ରହିଛି। ସେହିପରି ମାମଲାର ସମାଧାନ ହାର ଉଦ୍‌ବେଗଜନକ ରହିଛି। ଲୁଟ୍ ଓ ଚୋରି ମାମଲାରେ ଉଦ୍‌ବେଗଜନକ ରହିଥିବା ବେଳେ ସାମଗ୍ରିକ ଭାବେ କମିସନରେଟ ପୁଲିସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ୨୦୨୦ରେ ମାମଲାର ସମାଧାନ ହାର ୭୮.୩୭ ରହିଥିବା ବେଳେ ୨୦୨୧ରେ ଏହି ହାର ପ୍ରାୟ ୯ ପ୍ରତିଶତ କମି ୬୯.୦୪ରେ ପହଞ୍ଚିଛି। ଯାହା କମିସନରେଟ ପୁଲିସ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ସେହିପରି ଦୁର୍ଘଟଣା ମାମଲା ମଧ୍ୟ ବୃଦ୍ଧି ପାଇଛି। ୨୦୨୦ରେ ମୋଟ ୭୬୭୪ଟି ମାମଲା ହୋଇଥିବା ବେଳେ ଏହା ଯଥେଷ୍ଟ ବଢ଼ି ୨୦୨୧ରେ ୯୨୬୫ରେ ପହଞ୍ଚିଛି। କଟକରେ ୨୦୨୧ରେ ୫୮୭୮ ମାମଲା ରୁଜୁ ହୋଇଛି। ଟୁଇନ୍ ସିଟିରେ ମୋଟ୍ ୧୫ ହଜାର ୧୪୩ ମାମଲା ରୁଜୁ ହୋଇଛି। ମାମଲା ସମାଧାନରେ କଟକ ପୁଲିସ ଭୁବନେଶ୍ବର ଠାରୁ ଆଗରେ ରହିଛି।

ଭୁବନେଶ୍ବରଠାରୁ କଟକ ପୁଲିସ ଆଗରେ

ମାମଲା ସମାଧାନ କରିବାରେ ୨୦୨୧ରେ ଭୁବନେଶ୍ବର ଠାରୁ କଟକ ପୁଲିସ ଆଗରେ ରହିଛି। ଲୁଟ୍ ଓ ଛିନ୍‌ତାଇ ମାମଲାରେ କଟକ ପୁଲିସର ସମାଧାନ ହାର ୭୫.୨୦ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ବର ପୁଲିସର ୫୦.୦୮ ରହିଛି। ସେହିପରି ସିନ୍ଧିଚୋରି ମାମଲାରେ କଟକ ପୁଲିସର ସମାଧାନ ହାର ୫୯.୭୬ ରହିଥିବା ବେଳେ ଭୁବନେଶ୍ବର ପୁଲିସର ୪୨.୧୩ ରହିଛି। ଚୋରି ମାମଲାରେ କଟକ ପୁଲିସର ସମାଧାନ ହାର ୫୬.୬୭ ରହିଥିବା ବେଳେ ଭୁବନେଶ୍ବର ପୁଲିସର ୩୪.୫୧ ରହିଛି। ହତ୍ୟା ମାମଲା ସମାଧାନରେ ଭୁବନେଶ୍ବର ପୁଲିସ ଆଗରେ ରହିଥିବା ବେଳେ ହାର ରହିଛି ୯୭.୮୭ ଓ କଟକ ପୁଲିସର ୮୦ ପ୍ରତିଶତ। ମୋଟ ଭାବେ କଟକ ପୁଲିସର ସମାଧାନ ହାର ୮୬.୫୨ ରହିଥିବା ବେଳେ ଭୁବନେଶ୍ବର ପୁଲିସର ୬୯.୦୪ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ରାଜଧାନୀରେ ମାମଲା ସମାଧାନ ହାର ୭୮.୩୭ ରହିଥିଲା।

ଭୁବନେଶ୍ବର ପୁଲିସ ଧରିଥିବା କିଛି ଚର୍ଚ୍ଚିତ ଘଟଣା

ଦାସପୁର ରାସ୍ତାରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣାର ୮ ଦିନରେ ପର୍ଦ୍ଦାଫାସ୍, ୨ ଗିରଫ
୧୭ ହଜାର ପ୍ରି-ଆକ୍ଟିଭେଟ୍ ସିମ୍ କାର୍ଡ ଜବତ, ୭ ଗିରଫ
ଖାରବେଳନଗର ଥାନା ହାତରେ ଜାଲ୍ ନୋଟ ରୢାକେଟ୍
ଓଏଲ୍ଏକ୍ସରେ ଗାଡ଼ି ବିକ୍ରି ନାଁରେ କୁଖ୍ୟାତ ଠକ ତୃପ୍ତି ଦାସ ଗିରଫ
ଜମି ଠକେଇ ଅଭିଯୋଗରେ ବିଲ୍ଡର ନିରଞ୍ଜନ ରଣା ଓ ଗୟାଧର ଜେନା ଗିରଫ

ରାଜଧାନୀରେ ଅସମାହିତ ଥିବା ହତ୍ୟା, ଅପରାଧ ମାମଲା

ମଞ୍ଚେଶ୍ବର ବିହାରୀ ଶ୍ରମିକ ହତ୍ୟା
ଯାଁଳା ଫାଣ୍ଡିରୁ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ଜବତ
ବାଲିଯାତ୍ରା ପଡ଼ିଆ ନିକଟ କୁଆଖାଇ ନଦୀପଠାରୁ ଯୁବକଙ୍କ ଗଳିତ ଶବ ଜବତ
ଟଙ୍କପାଣି ରୋଡ୍ ସାଇମନ୍ଦିର ନିକଟରେ ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେବା
ରସୁଲଗଡ଼ ଛକ ନିକଟରେ ସନ୍ତୋଷ ରାଉତଙ୍କୁ ଛୁରି ଭୁସି ହତ୍ୟା
ଗଜପତିନଗର ପ୍ରେସ୍ ଛକ ନିକଟରେ ଚିଣ୍ଟୁ ଓରଫ୍ ନିରଞ୍ଜନ ପରିଡ଼ା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନି
ଡେଲ୍‌ଟା ଛକ ନିକଟରେ ଅଳଙ୍କାର ଦୋକାନରୁ ଲୁଟ୍ ମାମଲା
କାର କାଚ ଭାଙ୍ଗି ଲୁଟ୍ କରୁଥିବା ଗ୍ୟାଙ୍ଗ୍

ସମ୍ବନ୍ଧିତ ଖବର