ନିଯୁକ୍ତି ୱେବ୍‌ସାଇଟ୍‌ ନକଲ କରୁଛନ୍ତି ସାଇବର୍‌ ଠକ, ନିଯୁକ୍ତି ପୂର୍ବରୁ ଅର୍ଥ ନ ଦେବାକୁ ପରାମର୍ଶ

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକମାନେ ନୂଆ ନୂଆ ତରିକା‌ରେ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରୁଛନ୍ତି। କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌ ଯୋଗୁଁ ଅନେ‌କେ ଚାକିରି ହରାଇଛନ୍ତି। ଚାକିରି ପାଇଁ ସେମାନେ ନିଯୁକ୍ତି ୱେବ୍‌ସାଇଟ୍‌ ଖେଳାଉଥିବାରୁ ସାଇବର୍‌ ଠକ ଏହାର ଫାଇଦା ନେଇ ଜାଲ ବିଛାଇଛନ୍ତି। ଅନ୍‌ଲାଇନ୍ ନିଯୁକ୍ତି ୱେବ୍‌ସାଇଟ୍‌କୁ ନକଲ କରି ଠକେଇ କରୁଛନ୍ତି। ଏବେ ସେମାନଙ୍କ ମୁଖ୍ୟ ଟାର୍ଗେଟ୍‌ରେ ଚାକିରି ଆଶାୟୀ ଯୁବକ ଯୁବତୀ। ବର୍ଷକ ଭିତରେ ପ୍ରାୟ ଦେଢ଼ଶହ ଯୁବକ ଯୁବତୀ ଏମିତି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍ ପରେ ଚାକିରି ସମସ୍ୟା ଉତ୍କଟ ହୋଇପଡ଼ିଥିବାରୁ ବିକଳ ଅବସ୍ଥାରେ ଥିବା ଯୁବକ ଯୁବତୀମାନେ ସାଇବର ଠକଙ୍କ ଜାଲରେ ଫସି ଯାଉଛନ୍ତି।

ସୂଚନାନୁସାରେ, ପୁନେରେ ରହୁଥିବା ଜଣେ ଓଡ଼ିଆ ଯୁବକ ଏମିତି ଏକ ଠକେଇରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସେ ହେଲେ, ବସନ୍ତ ପଢ଼ିହାରୀ। ସେ ଅନ୍‌ଲାଇନ୍‌ରେ ଏକ ଚାକିରି ପାଇଁ ଆବେଦନ କରିଥିଲେ। ମାତ୍ର ଉକ୍ତ ୱେବ୍‌ସାଇଟ୍‌ ନକଲି ବୋଲି ସେ ଜାଣି ନଥିଲେ। ଆବେଦନ କରିବା ପରେ ତାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ତାଙ୍କୁ ତାଙ୍କ ଇ-ମେଲ୍ ଆଇଡି ଓ ବାୟୋଡାଟା ପଠାଇବା ପାଇଁ ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ଟାଟା ଷ୍ଟିଲ କମ୍ପାନିରେ ଇଞ୍ଜିନିୟର ପଦ ଫାଙ୍କା ଅଛି ଏବଂ ରେଜିଷ୍ଟ୍ରେସନ ଫି’ ବାବଦରେ ୧୮୫୦ ଟଙ୍କା ଜମା କରିବାକୁ କହିଥିଲା। ସେହିଭଳି ସାକ୍ଷାତକାର ପରେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେଲେ ପୁଣି ୨୫ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। କିନ୍ତୁ ସୌଭାଗ୍ୟକୁ ବସନ୍ତ ତା’ କଥାକୁ ବିଶ୍ବାସ କରି ନଥିଲେ। ପରେ ସେ ଉକ୍ତ ୱେବ୍‌ସାଇଟ୍‌କୁ ଭଲ ଭାବେ ଯାଞ୍ଚ କରି ତାହା ନକଲି ବୋଲି ଜାଣିପାରିଥିଲେ।

ନିଯୁକ୍ତି ପୂର୍ବରୁ ଅର୍ଥ ନ ଦେବାକୁ ପରାମର୍ଶ
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ପରାମର୍ଶ ଅନୁସାରେ, ଚାକିରି ଆବେଦନ କରିବା ପୂର୍ବରୁ ଅନ୍‌ଲାଇନ୍ ୱେବ୍‌ସାଇଟକୁ ଭଲ ଭାବେ ଯାଞ୍ଚ କରିବା ଦରକାର। କାରଣ ସାଇବର ଠକମାନେ ନକଲି ସାଇଟ୍‌ ଖୋଲି ବେକାର ଯୁବକ ଯୁବତୀଙ୍କୁ ଫସାଇବାକୁ ଜାଲ ବିଛାଇଛନ୍ତି। ତେଣୁ ଚାକିରିରେ ଯୋଗ ନଦେବା ପର୍ଯ୍ୟନ୍ତ କାହାକୁ ଟଙ୍କାଟିଏ ବି ନ ଦେବାକୁ ସେ ମନା କରିଛନ୍ତି। ଚାକିରି ନାଁରେ ଆସୁଥିବା କଲ୍‌କୁ ମଧ୍ୟ ବିଶ୍ବାସ ନକରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

କେଵାଇସି ଅପ୍‌ଡେଟ୍ ମେସେଜ ପ୍ରତି ସତର୍କ ରହିବାକୁ ପୁଲିସର ପରାମର୍ଶ
କେଵାଇସି (ନୋ ୟୋର କଷ୍ଟମର) ନାଁରେ ଆସୁଥିବା ମେସେଜ୍‌କୁ ଅଣଦେଖା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ ପୁଲିସ ପକ୍ଷରୁ ଫେସ୍‌ବୁକ୍, ଟ୍ବିଟର୍ ମାଧ୍ୟମରେ ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। କେଵାଇସି ଅପ୍‌ଡେଟ୍ ପାଇଁ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ପକ୍ଷରୁ ସେଭଳି କୌଣସି ଫୋନ୍‌ କଲ୍‌ର ବ୍ୟବସ୍ଥା ନାହିଁ ବୋଲି ସୂଚନାରେ କୁହାଯାଇଛି। ଏମିତି ଭାବେ ସତର୍କ ରହିଲେ ହିଁ ଠକେଇରୁ ରକ୍ଷା ମିଳିପାରିବ ବୋଲି ପୁଲିସ ପକ୍ଷରୁ ସଚେତନତା କରାଯାଉଛି।

ସମ୍ବନ୍ଧିତ ଖବର