ଅବ୍ୟବସ୍ଥା ଘେରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭାଙ୍ଗିରୁଜି ଗଲାଣି ଯନ୍ତ୍ରାଂଶ, ବିନା ବ୍ୟାଖାକାରୀରେ ହତାଶ ଦର୍ଶକ

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଅବସ୍ଥା ପୂରା ବିଗିଡ଼ିଯାଇଛି। ଅଧିକାଂଶ ଯନ୍ତ୍ରପାତି ଭାଙ୍ଗିରୁଜି ଯାଇନଥିଲେ ବି ଅଚଳ ହୋଇପଡ଼ିଛି। ଲୋକେ ୨୫ ଟଙ୍କା ବ୍ୟୟ କରି ଟିକେଟ୍‌ କରୁଛନ୍ତି, ଅଥଚ ବିଜ୍ଞାନ କେନ୍ଦ୍ରର ମହତ୍ତ୍ବ ଓ ଉପକାରିତା ବୁଝିବାରୁ ବଞ୍ଚିତ ହୋଇ ଫେରୁଛନ୍ତି। ବ୍ୟାଖାକାରୀ ନଥିବାରୁ ଛାତ୍ରଛାତ୍ରୀ ତଥା ପିଲାମାନେ ବିଜ୍ଞାନ କେନ୍ଦ୍ର ବୁଲିବାର କୌଣସି ମୂଲ୍ୟ ରହୁନାହିଁ। ସେହିପରି ଥ୍ରିଡିଟିଏଟର୍‌ ମଧ୍ୟ ଖୋଲା ଯାଉନାହିଁ। କେବଳ ସ୍କୁଲ ପିଲା ପରିଭ୍ରମଣରେ ଆସିଲେ ଏହାକୁ ଖୋଲାଯାଉଛି। ଅନ୍ୟ ସମୟରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ଏହାକୁ ବନ୍ଦ ରଖୁଛନ୍ତି। ଏମିତି ଅବ୍ୟବସ୍ଥା ଘେରରେ ଆଉ କେତେ ଦିନ ଏହି କେନ୍ଦ୍ର ରହିବ ବୋଲି ଲୋକେ ଅଭିଯୋଗ କରିଛନ୍ତି। କରୋନା ଆଳରେ ଏହି କେନ୍ଦ୍ରକୁ ହତାଦର କରି ପକାଇ ଦିଆଯାଇଥିବାରୁ ରାଜଧାନୀବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏବେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଟିଡାଲ୍ ମୋସନ୍, ଏକ୍ସପାଣ୍ତିଂ ୟୁନିଭର୍ସ, ରେଟ୍ରୋଗ୍ରେଡ୍ ମୋସନ୍‌, ଚିଲାଡାଣ୍ଟସ୍ ପାଟର୍ନ ଭଳି ଏକାଧିକ ବିଜ୍ଞାନ ଯନ୍ତ୍ରାଂଶ କାମ କରୁନି। ସେହିପରି ଗଣିତ ବିଭାଗରେ ମଧ୍ୟ କିଛି ଗାଣିତିକ ମେସିନ୍ କାମ କରୁନି। ବିଜ୍ଞାନ କେନ୍ଦ୍ର ପାର୍କ ପରିସରରେ ଥିବା ପିଲାଙ୍କ ମ୍ୟୁଜିକାଲ୍‌ ଯନ୍ତ୍ରାଂଶ ପ୍ରାୟତଃ ଅଚଳ। ତେଣୁ ଛୋଟ ପିଲାମାନେ ଏଠାରେ ବୁଲିବାରୁ ମଜା ପାଉନାହାନ୍ତି। ଏଠାରେ ବ୍ୟାଖ୍ୟାକାରୀ ନଥିବାରୁ ବୁଲିବାକୁ ଆସୁଥିବା ଦର୍ଶକମାନେ ବିଭିନ୍ନ ବିଜ୍ଞାନ ଜିନିଷ ଦେଖିବାରୁ ବଞ୍ଚିତ ହେଉଛନ୍ତି।

ପିଲାମାନେ କେବଳ ବୁଲୁଛନ୍ତି ଓ ଅଚଳ ଭଙ୍ଗାଦଦରା ଯନ୍ତ୍ରପାତି ଦେଖି ହତାଶ ହୋଇ ଫେରୁଛନ୍ତି। କରୋନା ପୂର୍ବରୁ ଏଠାରେ କିଛି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ ଦିଆଯାଉଥିଲା। ବ୍ୟାଖା କରିବାକୁ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ଦିଆଯାଉଥିଲା। କିନ୍ତୁ ଏବେ ସେ ବ୍ୟବସ୍ଥା ବି ବନ୍ଦ ‌ହୋଇଯାଇଛି। କରୋନା ପାଇଁ ମୁଖ୍ୟାଳୟରୁ କମ୍ ଅର୍ଥ ଆସୁଥିବାରୁ ବ୍ୟାଖ୍ୟାକାରୀ ନିଯୁକ୍ତି କରାଯାଇପାରୁନି ବୋଲି କେନ୍ଦ୍ରର ବରିଷ୍ଠ ଅଧିକାରୀ ସୁମନ ଘୋଷ କହିଛନ୍ତି।

କ୍ୟାମ୍ପସ୍‌ର ରକ୍ଷାଣବେକ୍ଷଣ କରାଯାଉନଥିବାରୁ ପାର୍କରେ ଅଧିକାଂଶ ଜିନିଷରେ କଳଙ୍କି ଲାଗିଯାଇଛି ଓ କିଛି ଜିନିଷ ଭାଙ୍ଗିଯାଇଛି। ନିୟମ ଅନୁଯାୟୀ ସମସ୍ତ ପ୍ରଦର୍ଶନୀ ଗ୍ୟାଲେରିରେ ସିକ୍ୟୁରିଟି ଗାର୍ଡ ରହିବା କଥା। ମାତ୍ର କୌଣସି ବି ଗ୍ୟାଲେରିରେ ସୁରକ୍ଷାକର୍ମୀ ନାହାନ୍ତି। ପିଲାମାନେ ପ୍ରୋଜେକ୍ଟାଲ୍ ମୋସନ୍‌ ବଲ୍ ନେଇ ଖେଳିବା କଥା। ମାତ୍ର ସିକ୍ୟୁରିଟି ଗାର୍ଡ ନଥିବାରୁ ଏହି ବଲ୍‌ ତାଲା ପକାଇ ରଖାଯାଇଛି। ପିଲାମାନଙ୍କୁ ଦେବା ପାଇଁ କେହି ନାହିଁ। ବିଜ୍ଞାନ କେନ୍ଦ୍ରକୁ ଆସିଥିବା ଜଣେ ଦର୍ଶକ ମଧୁସ୍ମିତା ମିଶ୍ରଙ୍କ କହିବା କଥା ଟିକେଟ୍ ଦାମ୍ ୨୫ଟଙ୍କା। ମାତ୍ର ସେତିକି ଜିନିଷ ଦେଖିବାର ସୁବିଧା ନାହିଁ। ପିଲାଙ୍କୁ ଆଣି ବୁଲାଇବା କିଛି ଫଳପ୍ରଦ ହେଉନାହିଁ। ବିଜ୍ଞାନ ଯନ୍ତ୍ରାଂଶ ଦେଖେଇବା ପାଇଁ କେହିନଥିବାରୁ ବାଧ୍ୟ ହୋଇ କେବଳ ବୁଲିବୁଲି ଫେରୁଛୁ। ସୂଚନାଯୋଗ୍ୟ, ପ୍ରତିଦିନ ଏଠାକୁ ୩୫୦ରୁ ଅଧିକ ଦର୍ଶକ ଏହି କେନ୍ଦ୍ରକୁ ବୁଲିବା ପାଇଁ ଆସୁଛନ୍ତି। ତେଣୁ ଏଥିରୁ ଭଲ ରାଜସ୍ବ ଆଦାୟ ହେଉଛି। ମାତ୍ର ସେହି ଅନୁସାରେ ଦର୍ଶକଙ୍କ ପାଇଁ କୌଣସି ସୁବିଧା ନାହିଁ ବୋଲି ଜଣେ ପୂର୍ବତନ ବ୍ୟାଖାକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର