ଲିଙ୍ଗରାଜଙ୍କ ଓ କପିଳେଶ୍ବରଙ୍କ ସମ୍ପର୍କ କଟୁଛି: ଲିଙ୍ଗରାଜଙ୍କ ବରଯାତ୍ରୀରେ ଆସୁନାହାନ୍ତି କପିଳେଶ୍ବର

ଚନ୍ଦନଯାତ୍ରାରେ ବି ହେଉ ନାହାନ୍ତି ସାମିଲ, ହାଣ୍ଡିଭଙ୍ଗା ଯାତକୁ ଯାଇ ପାରୁନାହାନ୍ତି ଲିଙ୍ଗରାଜ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅନ୍ୟତମ ଆରାଧ୍ୟ ଦେବତା ପ୍ରଭୁ କପିଳେଶ୍ବରଙ୍କ ସହ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସମ୍ପର୍କ କାହିଁ କେଉଁ ବର୍ଷରୁ ଯୋଡ଼ି ହୋଇ ରହିଛି। କିନ୍ତୁ କିଛି ବର୍ଷ ହେବ ପ୍ରଭୁ ଲିଙ୍ଗରାଜଙ୍କ ସହ କପିଳେଶ୍ବରଙ୍କ ସମ୍ପର୍କ ବିଗିଡ଼ିବାରେ ଲାଗିଛି। କେବଳ ସମ୍ପର୍କ ଛିଡ଼ୁଛି ତାହା ନୁହେଁ, ପରମ୍ପରା ମଧ୍ୟ ଭାଙ୍ଗୁଛି। ସବୁଠାରୁ ଦୁଃଖର କଥା ଏନେଇ କାହାରି ଆନ୍ତରିକତା ନାହିଁ କି ଚିନ୍ତା ବି ନାହିଁ। ସରକାର, ମନ୍ଦିର ପ୍ରଶାସନ, ରାଜନେତା, ସେବାୟତ ତଥା ବୁଦ୍ଧିଜୀବୀ କେହି ଜଣେ ହେଲେ ପ୍ରଭୁଙ୍କ ପାଇଁ ଚିନ୍ତା କରୁନଥିବା ଦେଖିବାକୁ ମିଳୁଛି।

ପରମ୍ପରା ଓ ବିଧି ମୁତାବକ କପିଳନାଥଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତରେ ଶ୍ରୀଲିଙ୍ଗରାଜ ଯୋଗ ଦିଅନ୍ତି। ସେହିଭଳି ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଓ ଶିବ ବିବାହରେ କପିଳନାଥ ସାମିଲ ହୁଅନ୍ତି। ଏହା ବହୁ ପ୍ରାଚୀନ କାଳରୁ ପରମ୍ପରା ଅନୁସାରେ ଚାଲିଆସିଛି। ଶିବ ବିବାହ ଦିନ କପିଳନାଥ ଶ୍ରୀଲିଙ୍ଗରାଜଙ୍କ ବରଯାତ୍ରୀରେ ଯୋଗ ଦିଅନ୍ତି। ଲିଙ୍ଗରାଜ ମନ୍ଦିରରୁ ବରଯାତ୍ରୀ ବାହାରିବା ପୂର୍ବରୁ କପିଳନାଥ ଏକ ସୁସଜ୍ଜିତ ବିମାନରେ ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚନ୍ତି। ସେଠାରୁ ବରଯାତ୍ରୀରେ ମିଶି କେଦାରଗୌରୀ ମନ୍ଦିରକୁ ବିଜେ କରନ୍ତି। କନ୍ୟାପିତାଙ୍କ ପକ୍ଷରୁ ‌ଜ୍ବାଇଁ ଶ୍ରୀଲିଙ୍ଗରାଜଙ୍କ ସହ ପ୍ରଭୁ କପିଳନାଥ ଓ ବାସୁଦେବଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଏ। ବାହାଘର ପରେ ବରକନ୍ୟାଙ୍କୁ ସାଙ୍ଗରେ ନେଇ ପୁଣି ସବୁ ଠାକୁର ଶୋଭାଯାତ୍ରାରେ ଫେରନ୍ତି ଓ ବରକନ୍ୟାଙ୍କୁ ଲିଙ୍ଗରାଜ ମନ୍ଦିରରେ ଛାଡ଼ି କପିଳନାଥ କପିଳେଶ୍ବର ଫେରିଯାଆନ୍ତି। କିନ୍ତୁ ଦୁଃଖର ବିଷୟ ପ୍ରଭୁ କପିଳନାଥ ମୁରବି ତଥା ଅତିଥି ଭାବେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବରଯାତ୍ରୀରେ ୧୦ ବର୍ଷ ହେବ ସାମିଲ ହେଉନାହାନ୍ତି। ପରମ୍ପରା ରକ୍ଷା ପାଇଁ ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏହା ସମ୍ଭବ ହୋଇ ପାରୁନାହିଁ। ସେହିପରି ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାରେ କପିଳେଶ୍ବର ଆସିବାର ପରମ୍ପରା ରହିଛି। ପବିତ୍ର ଅକ୍ଷୟ ତୃତୀୟା ତଥା ଚନ୍ଦନଯାତ୍ରା ଦିନ କପିଳେଶ୍ବର ମନ୍ଦିରରୁ କପିଳନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ଆସି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସିଂହଦ୍ବାରରେ ପହଞ୍ଚିଲେ, ପୂର୍ବରୁ ପ୍ରସ୍ତୁତ ପ୍ରତିମା ମାନଙ୍କୁ ‘ମଣେଇ’ ଚନ୍ଦନ ଯାତ୍ରା ପାଇଁ ଶୋଭାଯାତ୍ରା ହୁଏ। କିନ୍ତୁ ୨୦୧୬ ମସିହାରୁ କପିଳେଶ୍ବର ଆଉ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରାକୁ ନଆସି କପିଳେଶ୍ବରରେ ଥିବା ମଣିକର୍ଣ୍ଣିକା ପୋଖରୀରେ ଚାପ ଖେଳୁଛନ୍ତି।

ଅନ୍ୟପଟେ କପିଳେଶ୍ବର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ୨୦୧୫ ମସିହାରୁ କପିଳେଶ୍ବରଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ ହେଉନାହିଁ। ଫଳରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ବର ଯାଇ ପାରୁନାହାନ୍ତି। ପ୍ରଶାସନର ଦୁର୍ବଳତା ପାଇଁ ଏହି ସବୁ ପ୍ରାଚୀନ ପରମ୍ପରା ଫେରିପାରୁ ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର