ଭୁବନେଶ୍ବର: ମହିଷାଖାଲ ରାଜୀବ ଆବାସ ଯୋଜନା(ରେ’) ରେ ପ୍ରସ୍ତୁତ କୋଠାରେ ଯୋଗ୍ୟ-ଅଯୋଗ୍ୟ ବିବାଦ ଚାଲିଥିବା ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଏହି ପ୍ରକଳ୍ପରେ ପ୍ରସ୍ତୁତ ହେବାକୁ ଥିବା ବାକି ୪ଟି ବ୍ଲକ୍ ଆଉ ତିଆରି ହେବ ନାହିଁ। ବାଦ୍ ପଡ଼ିଥିବା ଅନ୍ୟ ବସ୍ତିବାସିନ୍ଦାଙ୍କୁ ଘର ମିଳିବ ନାହିଁ। ବରଂ ଜାଗା ମିସନ୍ରେ ସେମାନଙ୍କୁ ସାମିଲ କରାଯାଇ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ। କେବଳ ମହିଷାଖାଲ ନୁହେଁ, ରାଜସ୍ବ ଭବନ ନିର୍ମାଣ ପାଇଁ ବିଜେବି ନଗରରୁ ଉଚ୍ଛେଦ ହୋଇଥିବା ବିଜୟଲକ୍ଷ୍ମୀ ବସ୍ତି ଓ ଝରଣାସାହି ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ ଅନୁରୂପ ନିଷ୍ପତ୍ତି ହୋଇଛି। ଜାଗା ମିସନ୍ରେ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଏମାନଙ୍କୁ ଟ୍ରାଞ୍ଜିଟ୍ ହାଉସ୍(ଅସ୍ଥାୟୀ ସେଡ୍)ରେ ରଖାଯିବ। ସହରର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଅସ୍ଥାୟୀ ସେଡ୍ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ପାଇଁ ବିଏମ୍ସି ଓ ବିଡିଏ ସରକାରଙ୍କୁ ଚିଠି ଲେଖିବାକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛଛି।
ମହିଷାଖାଲ ବସ୍ତିରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ରେ’ ଅଧୀନରେ ବିଡିଏ ଘର ତିଆରି କରିଥିଲା। ମୋଟ୍ ୧୯ଟି ବ୍ଲକ୍ରେ ୭୬୦ ଘର କରିବାକୁ ଯୋଜନା ଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ବିଡିଏ ୧୫ଟି ବ୍ଲକ୍ରେ ୬ଶହ ଘର ତିଆରି କରିଥିଲା। ଆଉ ୪ଟି ବ୍ଲକ୍ରେ ୧୫୦ରୁ ଅଧିକ ଘର ନିର୍ମାଣ ହେବାକୁ ଥିଲା। ୨୦୧୩ ମସିହାରେ ବିଡିଏ ବ୍ରିଜ୍ ଆଣ୍ଡ ରୁଫ୍ କୋ. ଲିମିଟେଡ୍ ଜରିଆରେ ଏହି ସବୁ ଘର ନିର୍ମାଣ କରିଥିଲା। ଦରକୁ ନେଇ ସମସ୍ୟା ହେବାରୁ ନୂଆ ଠିକାଦାର ଚୟନ କରି ବାକି ୪ଟି ବ୍ଲକ ନିର୍ମାଣ କରିବାକୁ ବିଡିଏ ଯୋଜନା କରିଥିଲା। ଏଥିପାଇଁ ୨୦.୬୫ କୋଟି ଖର୍ଚ୍ଚ ଆକଳନ ମଧ୍ୟ କରାଯାଇଥିଲା। ହିତାଧିକାରୀଙ୍କ ଠାରୁ ୧.୨୦ ଲକ୍ଷ ହିସାବରେ ଆଦାୟ ହେବା ଓ ଠିକାଦାର ଠାରୁ ପାଇବାର ଥିବା ବକେୟା ଅର୍ଥରୁ ଏହା ଭରଣା କରାଯାଇଥା’ନ୍ତା। କିନ୍ତୁ ଫନି ଆସିବା ପରେ ବସ୍ତିବାସିନ୍ଦାମାନେ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ଘର ବଣ୍ଟା ନ ହେବା ପୂର୍ବରୁ ତାଲା ଭାଙ୍ଗି ଭିତରେ ପଶି ଯାଇଥିଲେ। ଏଥିରେ କେତେକ ଅଯୋଗ୍ୟ ମଧ୍ୟ ସାମିଲ ହୋଇଥିଲେ। କେତେକ ଦଲାଲ ମଧ୍ୟ ନକଲି ନାମରେ ଏଠାରେ ଘର ଦଖଲ କରିଥିଲେ। ଏଣୁ ଏଠାରୁ ଅଯୋଗ୍ୟଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ଏବେ ବି ଜାରି ରହିଛି।
ଇତିମଧ୍ୟରେ ପିଏମ୍ଏୱାଇ(ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଆରମ୍ଭ କରିବା ପରେ ରେ’ ଅଧୀନରେ ଆଇଏସ୍ଏସ୍ଆର(ଇନ୍-ସିଟୁ ସ୍ଲମ୍ ରିଡେଭଲପ୍ମେଣ୍ଟ)ପ୍ରକଳ୍ପକୁ କେନ୍ଦ୍ର ସରକାର ବନ୍ଦ କରି ଦେଲେ। ଏହି ନୂଆ ୪ଟି ବ୍ଲକ୍ ପାଇଁ ଟଙ୍କାଟିଏ ଦିଆଯିବ ନାହିଁ କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ବିଡିଏ ଚିନ୍ତାରେ ପଡ଼ିଥିଲା। ମୁଖ୍ୟ ଶାସନ ସଚିବ ଏ ନେଇ ସମୀକ୍ଷା କରିବା ସହ ଏହି ୪ଟି ନୂଆ ବ୍ଲକ୍ ଏହି ପ୍ରକଳ୍ପରୁ ବାଦ୍ ଦିଆଯାଇଛି।