ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ

ଭୁବନେଶ୍ବର: ପୁରୀ ଜିଲ୍ଲା ବଳଙ୍ଗା ନିକଟରେ ପ୍ରବାହିତ ଭାର୍ଗବୀ ନଦୀ ଗର୍ଭରୁ ଠାବ ହୋଇଛି ଏକ ବହୁ ପୁରାତନ ମନ୍ଦିରର ଅବଶେଷ। ‘ରିଡିସ୍‌କଭର ଲଷ୍ଟ୍‌ ହେରିଟେଜ୍‌’ ସଂସ୍ଥାର ଏକ ଚାରି ଜଣିଆ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ମନ୍ଦିରର ଧ୍ବଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି। ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରର ଅବଶେଷ ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ଏକ କିଲୋମିଟର ଦୂରରେ ଅବସ୍ଥିତ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଗତ କିଛି ବର୍ଷ ଧରି ନଦୀ ଗର୍ଭର ଏହି ସ୍ଥାନରୁ ବହୁ ବଡ଼ବଡ଼ ପ୍ରସ୍ଥର ଖଣ୍ଡ ବାହାରିଛି। ସେଥିମଧ୍ୟରୁ କିଛି ନଦୀ କୂଳରେ ପଡ଼ି ରହିଛି ଓ ଆଉ କିଛି ନିକଟସ୍ଥ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି। ଅନୁସନ୍ଧାନକାରୀ ଦଳ ଏହି ସ୍ଥାନରେ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ଥର ଖଣ୍ଡ, ପଥର ଖୁଣ୍ଟି, ଭଗ୍ନ ଦ୍ୱାରବନ୍ଧ, ଅନେକ ଭଗ୍ନ ଶିଳାମୂର୍ତ୍ତି ଦେଖିବାକୁ ପାଇଥିଲେ। କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ଆଖଣ୍ଡଳମଣି ମନ୍ଦିର କାନ୍ଥରେ ମଧ୍ୟ ସ୍ଥାନିତ କରାଯାଇଛି। ଐତିହାସିକ ଅନିଲ ଧୀର୍‌ଙ୍କ ନେତୃତ୍ବାଧୀନ ଏହି ଦଳରେ ‘ରିଡିସ୍‌କଭର ଲଷ୍ଟ୍‌ ହେରିଟେଜ୍‌’ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ୱାଇଁ ଓ ଶୁଭାଶିଷ ଦାଶ ଏହି କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଦୀପକ କୁମାର ନାୟକ କହିଛନ୍ତି ଯେ ମନ୍ଦିରଟିର ଧ୍ବଂସାବଶେଷ ଭାର୍ଗବୀ ନଦୀର ମଧ୍ୟଭାଗ ତଥା ନଦୀକୂଳର ଆଖପାଖ ଅଞ୍ଚଳରେ ଇତସ୍ତତଃ ଭାବେ ପଡ଼ିରହିଛି। ନଦୀଶଯ୍ୟାରୁ କୂଳକୁ ସଂଯୋଗ କରୁଥିବା ଏକ ପାବଚ୍ଛ ଶ୍ରେଣୀରେ ପ୍ରାୟ ୧୨ରୁ ଅଧିକ ପୁରାତନ ମନ୍ଦିରର ଶିଳା ବ୍ୟବହାର କରାଯାଇଛି। ଅନେକ ଗୁଡିଏ ପୁରୁଣା ପଥର ସ୍ଥାନୀୟ ଅଧିବାସୀ ଗୃହ ନିର୍ମାଣ ପାଇଁ ନେଇଯାଇଛନ୍ତି। ଶ୍ରୀ ନାୟକ ଆହୁରି କହିଛନ୍ତି ଯେ ଗୋଟିଏ ଭଗ୍ନ ଦ୍ୱାରବନ୍ଧର ଉପର ଅଂଶ ଦେଖିବାକୁ ମିଳିଛି, ଯେଉଁଥିରେ ଦେବୀ ଗଜଲକ୍ଷ୍ମୀଙ୍କର ଅତି ସୁନ୍ଦର ଭାବରେ ଖୋଦିତ ପ୍ରତିମା ରହିଛି।

ଶ୍ରୀ ଧୀର କହିଛନ୍ତି, ଶୀଳାଖଣ୍ଡ ଗୁଡିକର ବୃହତ ଆକାରରୁ ଏହା ଅନୁମେୟ ଯେ ଏଠାରେ କୌଣସି ଛୋଟ ମନ୍ଦିର ନଥିଲା। ନଦୀକୂଳରେ ଥିବା କିଛି ପଥର ସ୍ଲାବର ଲମ୍ବ ୮ ଫୁଟ୍‌ର ଅଧିକ ଓ ମୋଟେଇ ୨ରୁ ୪ ଫୁଟ୍‌ ପର୍ଯ୍ୟନ୍ତ ଅଛି। ଏଗୁଡ଼ିକର ଓଜନ ଆନୁମାନିକ ଦେଢ଼ରୁ ଦୁଇ ଟନ୍‌ ପର୍ଯ୍ୟନ୍ତ ହୋଇପାରେ। ନଦୀଗର୍ଭରୁ ଉଭୟ ବାଲିପଥର ଓ ମାଙ୍କଡ଼ା ପଥର ବାହାରୁଛି। ପ୍ରସ୍ଥର ଖଣ୍ଡଗୁଡ଼ିକର ଉଭୟ ପାର୍ଶ୍ବରେ ସମାନ ଭାବରେ ଖୋଳା ଯାଇଥିବା ବଡ଼ବଡ଼ କଣା ରହିଛି। ଏହି କଣାମଧ୍ୟରେ ଲୁହାର ବନ୍ଧନୀ ଦ୍ୱାରା ପଥର ଯୋଡ଼େଇ ହୋଇଥିବା ଅନୁମାନ କରାଯାଉଛି। ଏହି ସ୍ଥାନରୁ ମିଳିଥିବା ଅନେକ ପୁରାତନ ମୂର୍ତ୍ତି ଆଖପାଖର ମନ୍ଦିରମାନଙ୍କରେ ସ୍ଥାନିତ ହୋଇ ପୂଜା ପାଉଛନ୍ତି। ଶ୍ରୀ ଧୀର ଆହୁରି କହିଛନ୍ତି ଯେ ପୁରାଣ ଅନୁସାରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ତୃଷ୍ଣା ନିବାରଣ ପାଇଁ ରତ୍ନଚୀରା ନଦୀକୁ ସୃଷ୍ଟି କରିଥିଲେ। ଏହି ନଦୀର ଉଭୟ କୂଳରେ ଅନେକ ପୌରାଣିକ ଲୋକକଥା ଓ କିମ୍ବଦନ୍ତୀ ଆଧାରରେ ଐତିହାସିକ ସ୍ଥାନ ତଥା କୀର୍ତ୍ତିରାଜି ନିର୍ମିତ ହୋଇଥିଲା।

ସମ୍ବନ୍ଧିତ ଖବର