ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଭୁବନେଶ୍ବର ସାଂସଦ: ସଂସଦୀୟ କ୍ଷେତ୍ରରେ ୭ ହଜାର କୋଟିର ଉନ୍ନୟନ କାର୍ଯ୍ୟ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ତୃତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ରିପୋର୍ଟ ଉପସ୍ଥାପନ କରିବା ସହ ଜନସାଧାରଣଙ୍କ ପ୍ରତି ରହିଥିବା ତାଙ୍କ ଉତ୍ତରଦାୟିତ୍ବକୁ ସେ ଶତ ପ୍ରତିଶତ ତୁଲାଇବାକୁ ଉଦ୍ୟମ କରିଥିବା କହିଛନ୍ତି। ଚଳିତ ବର୍ଷ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରାୟ ୭ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନତିମୂଳକ କାମ କରାଯାଇଛି ବୋ‌ଲି ସେ ସୂଚନା ଦେଇଛନ୍ତି।

ତାଙ୍କ ରିପୋର୍ଟ କାର୍ଡ ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଚଳିତ ବର୍ଷ ୬୪୭୩କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସାଂସଦ ପାଣ୍ଠିରେ ୧୧୪୩ ଟି ପ୍ରକଳ୍ପ ମଧ୍ୟରୁ ୧୦୩୬ଟି କାମ ସରିଯାଇଛି। ୧ ହଜାର ସୌର ଲାଇଟ୍‌ ଲାଗି ରାସ୍ତା ଆଲୋକୀକରଣ ହୋଇଛି। କର୍ପୋରେଟ୍‌ ସାମାଜିକ ପାଣ୍ଠି (ସିଏସ୍‌ଆର) ସହଯୋଗରେ ୧କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ‌ସୌର ଆଲୋକ ଓ ପାନୀୟ ଜଳ ପ୍ରକଳ୍ପ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁରୀ ପାଇଥିବା ୩୯୦୯ଟି ପ୍ରକଳ୍ପ ମଧ୍ୟରୁ ୩୫୭୪ଟି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୩୧୧ କିଲୋମିଟର ରାସ୍ତା, ୬ଟି ବ୍ଲକ୍‌ରେ ୬ କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ୮ଟି ବ୍ଲକ୍‌ରେ ଥିବା ୨ଲକ୍ଷ ୨୦ ହଜାର ୯୮୫ ଘରକୁ ଜଳ ଜୀବନ ମିସନ୍‌ରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ହେବ। ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୭ ହଜାର ୧୨୩ଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି।

ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନର ଆଧୁନିକୀକରଣ, ବୋଲଗଡ଼ ଓ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଉନ୍ନତୀକରଣ, ୨୦ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ଚିଲିକା ହ୍ରଦ ସଫା ଓ ଉପକୂଳ ଖନନ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜରିଆରେ ଅନ୍ଧାରୁଆରେ ୧୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲ ଯୋଜନା ହୋଇଛି। ଭୁବନେଶ୍ବରରେ ୩୬ଟି ଜନଔଷଧ କେନ୍ଦ୍ର ରହିଛି। ଆଗକୁ ଅହୁରି ଅଧିକା କେନ୍ଦ୍ର ଖୋଲିବା ପାଇଁ ସେ ଆଲୋଚନା କରୁଥିବା କହିଛନ୍ତି। ଏହା ସହିତ ଜମ୍ମୁ ଓ ଶିରିଡ଼ି ପର୍ଯ୍ୟନ୍ତ ଭୁବନେଶ୍ବରରୁ କିଭଳି ସିଧାସଳଖ ବେସାମରିକ ଫ୍ଲାଇଟ୍‌ ଚାଲିବ, ସେଥିପାଇଁ ଯୋଜନା ହେଉଥିବା ସେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ସାଂଦଙ୍କ ପାଖରେ ପଞ୍ଜୀକୃତ ୬୧୬୬ ଅଭିଯୋଗରୁ ୫୫୪୫ଟିର ସମାଧାନ କରାଯାଇଛି। ପ୍ରାଚୀ ନଦୀ ପୁନରୁଦ୍ଧାର ପାଇଁ ଯୋଜନା ହେଉଛି। ବର୍ଷାରେ ଯେଭଳି ଭୁବନେଶ୍ବର ଜଳବନ୍ଦୀ ହେବ ନାହିଁ, ସେନେଇ ମଧ୍ୟ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର