ମେଣ୍ଢାଶାଳ: ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଉଛନ୍ତି ଚନ୍ଦକା ଡିଭିଜନ୍‌ର ଜୀବଜନ୍ତୁ। କୁମାରଖୁଣ୍ଟିରେ ଥିବା ହାତୀ ପାଠଶାଳା ଉପରେ ଏହାର ପ୍ରଭାବ ପଡ଼ିଛି। ତାପମାତ୍ରା ଅଧିକ ହେଲେ ପ୍ରାଣୀମାନଙ୍କ ଉପରେ ପ୍ରଭାବ ପଡିବ ବୋଲି ପଶୁ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ପାଠଶାଳାରେ ତାଲିମ ନେଉଥିବା ୮ଟି ହାତୀ ଛୁଆ ଅଧିକ ତାପମାତ୍ରା ସହ୍ୟ କରିପାରୁନାହାନ୍ତି। ଫଳରେ ତାଲିମ ଦେବା ସମ୍ଭବ ହୋଇପାରୁନି। ଖରା ଦାଉରୁ ରକ୍ଷା ପାଇଁ ମାହୁନ୍ତ ଛୁଆଙ୍କୁ ପାଖ ପୋଖରୀକୁ ଗାଧୋଇବା ପାଇଁ ନେଉଛନ୍ତି।

Advertisment

ଅଧିକ ଖରା ଯୋଗୁଁ ଚନ୍ଦକା ଡିଭିଜନର ଚାରୋଟି ରେଞ୍ଜରେ ଥିବା ଜଳାଶୟ ଗୁଡ଼ିକରେ ପାଣି ଶୁଖି ଆସିଲାଣି। ଫଳରେ ହାତୀମାନେ ଜଳକ୍ରୀଡ଼ା କରିପାରୁ ନାହାନ୍ତି। ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ଇନ୍ଦ୍ରଦ୍ୟୁମ୍ନ ନାଥ କହିଛନ୍ତି ଯେ, ପ୍ରଚଣ୍ଡ ଖରା ଜୀବଜନ୍ତୁଙ୍କ ପାଇଁ ବିପଦ। ୩୭ ଡିଗ୍ରି ତାପମାତ୍ରା ରହିଲେ ଚଳିବ। କିନ୍ତୁ ଅଧିକ ହେଲେ ହାତୀମାନେ ଗରମ ସହି ପାରନ୍ତିନି। ହାତୀମାନେ ଅସୁସ୍ଥ ହୋଇଯାନ୍ତି। ସେଥିପାଇଁ ସେମାନେ ପିଠିରେ ନାଲି ମାଟି, ଗଛ ଡାଳ ଭାଙ୍ଗି ବିଞ୍ଚି ହୋଇଥାନ୍ତି। ତାତିରୁ ତ୍ରାହି ପାଇବାକୁ ବଡ଼ ଖାଲ, କାଦୁଆ ପୋଖରୀରେ ପଡ଼ି ରହିଥାନ୍ତି। 

ଚନ୍ଦକା ଡିଭିଜନ୍‌ର ଅଧିକାରୀ ଅମ୍ଲେସ୍ ନାଥ ପ୍ରଧାନ କହିଛନ୍ତି ଯେ, ଚନ୍ଦକା ଡିଭିଜନରେ ଥିବା ଜଳାଶୟ ମଧ୍ୟରୁ ଡମପଡ଼ା ରେଞ୍ଜ୍‌ର ନାଗେଶ୍ୱର, ଜାରିଆ, ଶଉରା, ଚନ୍ଦକା ରେଞ୍ଜ୍‌ର କୋଚିଲା ବାରଣା, ଝୁମୁକା ଡ୍ୟାମ, କୁମାରଖୁଣ୍ଟି, ବୁଆରିଗଡ଼, ହଳଦିଆ ରେଞ୍ଜ୍‌ର ଡେରାସ ଡ୍ୟାମ, ଗୁପ୍ତପଡ଼ା, ଅମ୍ବିଲ ଓ ମାଡୁଆ ଏବଂ ଭରତପୁର ସଂରକ୍ଷଣ ରେଞ୍ଜ୍‌ର ଚୂନକୋଳି ପୋଖରୀ, କୂଅଶଉରା ଓ ଭୀମଖାଲ ଜଳାଶୟରେ ପାଣି ମାତ୍ରା କମିଥିବା ବେଳେ କିଛି ଖାଲଖମା ଗୁଡ଼ିକ ଶୁଖିଲା ପଡିଛି। ହାତୀମାନଙ୍କୁ ପାଣି ପିଇବା ଓ ଜଳକ୍ରୀଡ଼ା କରିବାରେ କୌଣସି ଅସୁବିଧା ହେବ ନାହିଁ। ଚନ୍ଦକା ଡିଭିଜନ୍‌ରେ ପ୍ରଚୁର ବାଉଁଶ ବଣ ଥିବା ବେଳେ ହାତୀମାନେ ବାଉଁଶ କନ୍ଦା ଖାଇ ବୁଦା ମୂଳରେ ରହୁଛନ୍ତି।