ସର୍ବାଗ୍ରେ ରହିଛି ଜଳବନ୍ଦି ସମସ୍ୟା
କଲୋନିରେ ପ୍ରାୟ ୪ କିମି ରାସ୍ତା ଥିବା ବେଳେ ମାତ୍ର ଦେଢ଼ କିମି ଡ୍ରେନ୍ ନିର୍ମାଣ କରାଯାଇଛି। ଅର୍ଥାତ ଅଧିକାଂଶ ଲୋକଙ୍କ ଘର ପାଖକୁ ଡ୍ରେନ୍ ନାହିଁ। ରାଜଧାନୀରେ ପ୍ରାୟ ୧୫ ବର୍ଷ ଧରି ସ୍ବେରେଜ୍ କାମ ଚାଲିଛି। ଏହି କଲୋନିରେ ଏଯାଏ ସ୍ବେରେଜ୍ ପାଇପ୍ ବିଛା ଯାଇନାହିଁ। କିଛି ଲୋକ ମିଶି ଘରର ମଇଳା ପାଣି ନିଷ୍କାସନ ପାଇଁ ନିଜ ଖର୍ଚ୍ଚରେ ଡ୍ରେନ୍ ନିର୍ମାଣ କରିଛନ୍ତି। ପରିତାପର କଥା ସେହି ଡ୍ରେନ୍କୁ ବିଏମ୍ସି ସଫା କରୁନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବରମୁଣ୍ଡାରୁ ଆସିଥିବା ୭ ନମ୍ବର ପ୍ରାକୃତିକ ନାଳ ବ୍ୟାଙ୍କ୍ କଲୋନି ନିକଟ ଦେଇଯାଇଛି। ୧୦ ଫୁଟ୍ ଗଭୀର ଥିବା ଏହି ନାଳ ପୋତି ହୋଇହୋଇ ଏବେ ମାତ୍ର ୪/୫ ଫୁଟ ଗଭୀର ରହିଛି। ତେଣୁ ସାମାନ୍ୟ ବର୍ଷା ହେଲେ ନାଳ ଉଛୁଳି କଲୋନି ଭିତରେ ପଶୁଛି ଏବଂ ଘର ଭିତରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି। ଏନେଇ ବାରମ୍ବାର ବିଏମ୍ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ବର୍ଷା ଦିନେ ରଥ ରୋଡ୍ରେ କଲ୍ର୍ଭଟ କାମ କାହିଁକି ହେଉଛି? ଗତ ବର୍ଷାରେ ପୂର୍ବାପେକ୍ଷା ଅଧିକ ପାଣି ବ୍ୟାଙ୍କ୍ କେଲାନିରେ ପଶିଥିଲା। ପ୍ରାୟ ୮ ଘଣ୍ଟା ଧରି ତଳ ଘରଗୁଡ଼ିକ ବୁଡ଼ି ରହିଲା। ଫ୍ରିଜ୍, ୱାସିଂ ମେସିନ ଏମିତିକି କାନ୍ଥରେ ଲାଗିଥିବା ଟିଭି ବି ପାଣିରେ ବୁଡ଼ିଲା। ଗାଡ଼ିସବୁ ବୁଡ଼ି ଖରାପ ହେଲା। ଏମିତିକି ଭଡ଼ାରେ ରହୁଥିବା କିଛି ପରିବାର ଘର ଛାଡ଼ି ଚାଲିଗଲେ। ଘର ଭିତରୁ ପାଣି ଛାଡ଼ି ଯାଇଥିଲେ ହେଁ ରାସ୍ତାରେ ଦିନତମାମ ପାଣି ଜମି ରହିଲା। ଆଜି ପର୍ଯ୍ୟନ୍ତ ଘରୁ ଦୁର୍ଗନ୍ଧ ଯାଉନାହିଁ। ଏଭଳି ହୀନସ୍ତା ହେବା ନିପଟ ମଫସଲ ଗାଁରେ ବି ଦେଖାଯିବ ନାହିଁ। କିଛି ଅଧିକାରୀ ଓ ଯନ୍ତ୍ରୀଙ୍କ ମନମୁଖୀ କାମ ପାଇଁ ଆମେ ସମସ୍ୟା ଭୋଗୁଛୁ। ରଥ ରୋଡ୍ ବଡ଼ଶଙ୍ଖଠାରେ ୭ ନମ୍ବର ନାଳ ଉପରେ ପୋଲ କରାଯାଉଛି। ଏହାକୁ ବର୍ଷା ଦିନ ପୂର୍ବରୁ ଶେଷ କରିବା କଥା। କିନ୍ତୁ ଏବେ ବର୍ଷା ଦିନରେ ନାଳକୁ ବହ୍ଲା ଓ ବାଲିବସ୍ତାରେ ବନ୍ଦ କରି କାମ କରାଯାଉଛି। ଯାହା ଫଳରେ ପରି ନିଷ୍କାସନ ହୋଇପାରୁନାହିଁ ଏବଂ ଘରେ ପଶୁଛି। ତୁରନ୍ତ ଡ୍ରେନ୍ ସଫା କରିବା ସହ ନାଳରେ ହୋଇଥିବା ଅସ୍ଥାୟୀ ବନ୍ଧକୁ ଉଠାଇବାକୁ ଦାବି ହୋଇଛି।
ପୁରୁଣା ଭୁବନେଶ୍ୱର: ନବେ ଦଶକରେ ଭୁବନେଶ୍ବରର କଳେବର ଏତେ ବଡ଼ ନଥିଲା। ଭୁବନେଶ୍ବରରେ ଘର ଖଣ୍ଡେ କରିବାକୁ ଚାହିଲେ, ପ୍ରଥମ ପସନ୍ଦ ଥିଲା ପୁରୁଣା ଭୁବନେଶ୍ବର। ବିନ୍ଦୁସାଗର, ବିଭିନ୍ନ ମଠ, ମନ୍ଦିର, ବିଶେଷକରି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହଜ ହେବ ବୋଲି ଲୋକେ ଏହି ଅଞ୍ଚଳକୁ ବେଶି ପସନ୍ଦ କରୁଥିଲେ। ସେହି ସମୟରେ ପୁରୁଣା ଭୁବନେଶ୍ବରକୁ ଲାଗି ନୂଆ ନୂଆ କଲୋନି ଗଢ଼ି ଉଠୁଥିଲା। ସରକାରୀ ଅଧିକାରୀ, ବ୍ୟବସାୟୀମାନେ ବ୍ୟାଙ୍କ୍ରୁ ଋଣ ଆଣି ଘର ତୋଳୁଥା'ନ୍ତି। ଭୁବନେଶ୍ବରରେ ଘର ଖଣ୍ଡେ କରିବାକୁ ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ଯୋଗାଇ ଦେଉଥିବା କିଛି ଅଧିକାରୀ ନିଜର ଘର କରିବାକୁ ମନ ବଳାଇଲେ। ପ୍ରଥମେ ୨୧ ଜଣ ବ୍ୟାଙ୍କ୍ ଅଧିକାରୀ ମିଶି ସାଗରେଶ୍ବର ନିକଟରେ ଜମି କିଣି ଘର ଆରମ୍ଭ କଲେ। ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି କଲୋନିରେ ଏବେ ୧୫୦ ପରିବାରର ୨୦୦୦ରୁ ଅଧିକ ଲୋକ ବାସ କରୁଛନ୍ତି। ହେଲେ କଲୋନି ପ୍ରତିଷ୍ଠା ହେବାର ତିନି ଦଶନ୍ଧି ବିତିବା ପରେ ମଧ୍ୟ ବିଭିନ୍ନ ସମସ୍ୟା ଭିତରେ ଛନ୍ଦି ହୋଇ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି ବ୍ୟାଙ୍କ୍ କଲୋନି ବାସିନ୍ଦା। ପାଖରେ ‘ସମ୍ବାଦ’ ଟିମ୍କୁ ପାଇ ବଖାଣିଛନ୍ତି ଅସରନ୍ତି ଯନ୍ତ୍ରଣାର କାହାଣୀ।
କଲୋନିକୁ ନାହିଁ ପ୍ରଶସ୍ତ ରାସ୍ତା
ଗୋସାଗରେଶ୍ବର ଛକରୁ ଗୋବିନ୍ଦେଶ୍ବର ଦେଇ ବ୍ୟାଙ୍କ୍ କଲୋନିକୁ ଯିବାକୁ ପଡ଼ିଥାଏ। ଏହି ରାସ୍ତାର ଓସାର ମାତ୍ର ୮ରୁ ୧୦ ଫୁଟ। ଗୋଟିଏ ଚାରି ଚକିଆ ଗାଡ଼ି ପଶିଗଲେ, କଥା ସରିଲା। ଦୀର୍ଘ ୨୫ ବର୍ଷର ଦାବି ପରେ କଲୋନିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ୨୦୨୧ ମସିହାରେ କଂକ୍ରିଟ୍ କରାଯାଇଛି। ହେଲେ କଲୋନି ଭିତର ରାସ୍ତା ଏଯାଏ କଂକ୍ରିଟ୍ ହୋଇ ପାରିନାହିଁ। ରଥ ରୋଡକୁ ଯିବା ପାଇଁ କଲୋନିବାସୀ ଦେଢ଼ କିଲୋମିଟର ବୁଲିବୁଲି ଯାଉଛନ୍ତି। କିନ୍ତୁ କଲୋନିର ଶେଷ ମୁଣ୍ଡରେ ମାତ୍ର ୨ ଶହ ମିଟର ରାସ୍ତା କରାଗଲେ ସବୁ ସମସ୍ୟାର ସମାଧାନ ହୋଇଯାଆନ୍ତା। ତାହା ହୋଇପାରୁନାହିଁ। କଲୋନିବାସୀଙ୍କ ଦାବି ପରେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଏଥିପାଇଁ ୪୦ ଲକ୍ଷ ଟଙ୍କା ଦେବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କିଛି ବାଟ ଜମି ଅଧିଗ୍ରହଣ ହୋଇଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଏପର୍ଯ୍ୟନ୍ତ ରାସ୍ତା ଶେଷ ହୋଇପାରୁନାହିଁ।
ମଶା, ମାଛି ଭଣଭଣ ହେଉଛନ୍ତି
ବ୍ୟାଙ୍କ କଲୋନିକୁ ଲାଗି ଡ୍ରେନ୍ ଯାଇଛି। ଡ୍ରେନ୍କୁ ଲାଗି ୫ ଏକରରୁ ଅଧିକ ଜମି ଜଙ୍ଗଲ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ଏହା ସଫା ହେଉନଥିବାରୁ କଲୋନିବାସୀ ଦିନରେ ମାଛି ଓ ରାତିରେ ମଶାଙ୍କ ପ୍ରାଦୁର୍ଭାବ ସହିବାକୁ ବାଧ୍ୟ ହେଉଛନ୍ତି। ସଂଧ୍ୟା ନହେଉଣୁ ଘରର ଝରକା କବାଟ ବନ୍ଦ କରିବାକୁ ପଡ଼ୁଛି। ବାହାରେ ମିନିଟିଏ ଠିଆ ହେଲେ, ମଶା ରକ୍ତ ଶୋଷି ନେଉଛନ୍ତି। ତେଣୁ ବିଏମ୍ସି ଏହାକୁ ସଫା କରିବା ମଶା ତେଲ ଓ ମଶା ଧୂଆ ଛାଡ଼ିବାକୁ ନିବେଦନ କରିଛନ୍ତି।
କମ୍ୟୁନିଟି ସେଣ୍ଟର ଓ ପାର୍କ ନିର୍ମାଣ ଦାବି
କଲୋନିକୁ ଲାଗିଥିବା ଖାଲି ସ୍ଥାନରେ ଏକ କମ୍ୟୁନିଟି ସେଣ୍ଟର ଏବଂ ଚିତ୍ତବିନୋଦନ କେନ୍ଦ୍ର ନିର୍ମାଣ ପାଇଁ ଏବଂ ଏକ ପାର୍କ ନିର୍ମାଣ କରିବାକୁ କଲୋନିବାସୀ ଦାବି କରିଛନ୍ତି। ଏହାଦ୍ବାରା ଘରୁ ବାହାରି ଦୂରକୁ ଯାଇ ପାରୁନଥିବା ବୟସ୍କ ଓ ମହିଳାମାନେ ବିଶେଷ ଉପକୃତ ହେବେ।