ଭୁବନେଶ୍ବର: ନୂଆ ରାଜଧାନୀ ଭୁବନେଶ୍ବରରେ ବାପୁଜୀନଗର ପରେ ଦ୍ବିତୀୟ ଘରୋଇ ଆବାସିକ ଅଞ୍ଚଳ ସହିଦନଗର। ୧୯୬୮ ମସିହା ଆଡ଼କୁ ଏହି ଅଞ୍ଚଳରେ କିଛି କିଛି ଘର ତିଆରି କରି ସରକାରୀ କର୍ମଚାରୀ ବସବାସ ଆରମ୍ଭ କରିଥିଲେ। ୧୯୭୨ ମସିହା ଆଡ଼କୁ କିଛି ବୁଦ୍ଧିଜୀବୀ ଏକାଠି ହୋଇ ଆରମ୍ଭ କରିଥିଲେ ‘ସହିଦନଗର ସାଂସ୍କୃତିକ ସମିତି’। ତେବେ ଆବାସିକ କଲୋନି ତ’ ନିର୍ମାଣ ହୋଇଗଲା, କିନ୍ତୁ ସେଠିକାର ଅଧିବାସୀମାନେ ବିଭିନ୍ନ ସେବାପୂଜା ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ପରିବାର ତଥା ଆତ୍ମୀୟଙ୍କ ସହ ସୁଦୂର ଲିଙ୍ଗରାଜ ମନ୍ଦିର ଯାଉଥିଲେ। ଅଞ୍ଚଳବାସୀଙ୍କ ଏହି ଅସୁବିଧାର ସମାଧାନ ସ୍ବରୂପ ନିର୍ମାଣ ହୋଇଥିଲା ‘ବିଷ୍ଣୁ ମନ୍ଦିର’।
ସହିଦନଗର ଅଞ୍ଚଳବାସୀ ୧୯୭୧ ମସିହାରେ ରାଜଧାନୀର ଭୂସମ୍ପତ୍ତି ପରିଚାଳନା କରୁଥିବା ଭୂମି ଅଧିକାରୀ ସୁଧାଂଶୁ ମୋହନ ରାଉତରାୟଙ୍କ ପରାମର୍ଶକ୍ରମେ ଏକ ସାମାଜିକ ଅନୁଷ୍ଠାନ ନିମିତ୍ତ କିଛି ଜାଗା ଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେବଳ କୌଣସି ପଞ୍ଜୀକୃତ ସଂସ୍ଥାକୁ ଜମି ହସ୍ତାନ୍ତର ହୋଇପାରିବ ବୋଲି ସରକାର କହିଥିଲେ। ପୂର୍ବରୁ ସହିଦନଗରର କିଛି ବାସିନ୍ଦା ମିଶି ‘ଉନ୍ନୟନ କମିଟି’ କରିଥିବା ବେଳେ ସେଠାର କିଛି ସଭ୍ୟ ଓ କିଛି ନୂତନ ସଭ୍ୟ ମିଶି ଗଢ଼ିଥିଲେ ‘ସହିଦନଗର ସାଂସ୍କୃତିକ ସମିତି’। ଏହି ପଞ୍ଜୀକୃତ ସଂସ୍ଥାକୁ ସରକାର କିଛି ଜମି ଦାନ କରିଥିଲେ। ଏହି ଜାଗାରେ ସମିତିର ଗୃହ ନିର୍ମାଣ ହେବା ସହ ପରେ ‘ବିଷ୍ଣୁ ମନ୍ଦିର’ ନିର୍ମାଣ ଆରମ୍ଭ ହୋଇଥିଲା।
ସାଂସ୍କୃତିକ ସମିତିର ସଭାପତି ଗଗନ ବିହାରୀ ନିତ୍ୟାନନ୍ଦ ଚୈନି କହିଛନ୍ତି, ୧୯୭୬ ମସିହା ଜୁଲାଇରେ ପାରମ୍ପରିକ ଉତ୍କଳୀୟ ଶୈଳୀରେ ବିଷ୍ଣୁ ମନ୍ଦିର ପ୍ରକଳ୍ପର ଏକ ନକ୍ସା ପ୍ରସ୍ତୁତ କରି ଭୁବନେଶ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମଞ୍ଜୁରି ନିମିତ୍ତ ପ୍ରେରଣ କରାଯାଇଥିଲା। ୧୯୭୭ ମସିହାରେ ଏହା ମଞ୍ଜୁରି ପାଇବା ପରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଦୁର୍ଗାଚରଣ ପାଢ଼ୀଙ୍କ ତତ୍ତ୍ବାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୮୧ ମସିହାରେ ମନ୍ଦିର ନିର୍ମାଣ କାମ ଶେଷ ହେବା ସହ ସେହି ବର୍ଷ ଜୁନ୍ ୧୨ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ତିଥିରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଷ୍ଣୁ ମନ୍ଦିର ସମେତ ଦୁଇ ପାର୍ଶ୍ବରେ ବିଶ୍ବେଶ୍ବର ଓ ମାହେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସମୟକ୍ରମେ ଏହି ତିନି ମନ୍ଦିର ମଝିରେ ଶ୍ରୀଜଗନ୍ନାଥ, ରାମ, ଗଣେଶ ଓ ଲକ୍ଷ୍ମୀ ମନ୍ଦିର ନିର୍ମାଣ ହେଲା। ଏ ସମସ୍ତ ମୂର୍ତ୍ତି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ବଂଶୀଧର ପଣ୍ଡା, ରାଜକିଶୋର ପଟ୍ଟନାୟକ ଓ ଯୋଗୀନାଥ ସାହୁ ପ୍ରମୁଖ ମନ୍ଦିରକୁ ଦାନ କରିଥିଲେ।
ଏହାର କିଛି ଦିନ ପରେ ଇଞ୍ଜିନିୟର ବେଣୁଧର ମହାପାତ୍ରଙ୍କ ଦାନରେ ନିର୍ମିତ ହୋଇଥିଲା ମନ୍ଦିରର ମୁଖଶାଳା। ୧୯୯୪ ମସିହାରେ ବିଶ୍ବେଶ୍ବର ମନ୍ଦିର ଦକ୍ଷିଣ ପାର୍ଶ୍ବରେ ହନୁମାନ ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିର ଏବେ ମୋଟ୍ ୮୩୩ ଡେସିମିଲ୍ ଜାଗା ଉପରେ ନିର୍ମିତ ହୋଇଥିବା ସେ କହିଛନ୍ତି। ମନ୍ଦିର ପରିସରରେ ବୟସ୍କଙ୍କ ପାଇଁ ଫିଜିଓଥେରାପି ସେଣ୍ଟର ରହିଥିବା ବେଳେ ପିଲାମାନେ ନାଚଗୀତ ଶିଖିବା ପାଇଁ ପ୍ରଶିକ୍ଷିତ ଶିକ୍ଷକଙ୍କ ସହ ସଂସ୍କୃତି ମଣ୍ଡପରେ ବଡ଼ ହଲ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ହେବା ଦିନରୁ ଏଠାରେ ରଥଯାତ୍ରା ପାଳିତ ହେଉଥିବା ପୂଜକ ସୁବାସ ଚନ୍ଦ୍ର ମିଶ୍ର କହିଛନ୍ତି।
ମାଙ୍ଗଳିକ କାର୍ଯ୍ୟ ପାଇଁ ସହିଦନଗରବାସୀ ଗଢ଼ିଥିଲେ ମନ୍ଦିର
ନୂଆ ରାଜଧାନୀ ଭୁବନେଶ୍ବରରେ ବାପୁଜୀନଗର ପରେ ଦ୍ବିତୀୟ ଘରୋଇ ଆବାସିକ ଅଞ୍ଚଳ ସହିଦନଗର। ୧୯୬୮ ମସିହା ଆଡ଼କୁ ଏହି ଅଞ୍ଚଳରେ କିଛି କିଛି ଘର ତିଆରି କରି ସରକାରୀ କର୍ମଚାରୀ ବସବାସ ଆରମ୍ଭ କରିଥିଲେ। ୧୯୭୨ ମସିହା ଆଡ଼କୁ କିଛି...
/sambad/media/media_files/2025/07/22/mandira-2025-07-22-07-10-51.jpg)