ବାରଙ୍ଗ: ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ପାଇ ଆଜି ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍ ନନ୍ଦନକାନନ ନିକଟସ୍ଥ ହେରିମିଟ୍ ଜିଙ୍ଗ୍ ରେସ୍ତୋରାଁରେ ଚଢ଼ଉ କରିଥିଲା। ଯାଞ୍ଚ ବେଳେ ସେଠାରୁ ବାସି ଚିକେନ୍ କଷା ଓ ବିରିୟାନି ମିଳିବାରୁ ମାଲିକଙ୍କୁ ଜରିମାନା କରାଯିବା ସହ ତାଗିଦ୍ କରାଯାଇଛି। ଆଗକୁ ଏଭଳି ଅଭିଯୋଗ ଆସିଲେ ଏହି ରେସ୍ତୋରାଁକୁ ସିଲ୍ କରାଯିବ ବୋଲି ଯାଞ୍ଚ ସ୍କ୍ବାଡ୍ ଚେତାବନୀ ଦେଇଛି।
ସୂଚନାନୁସାରେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରାୟତଃ ନନ୍ଦନକାନନ ବାହାରେ ଥିବା ହୋଟେଲ ବା ରେସ୍ତୋରାଁରେ ଖାଇଥା’ନ୍ତି। କିଛି ଦିନ ହେଲା ଏସବୁ ହୋଟେଲ ଓ ରେସ୍ତୋରାଁରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ତେଣୁ ଆଜି ଖାଦ୍ୟ ସୁରକ୍ଷା ବିଭାଗର ୪ ଜଣିଆ ଏକ ଟିମ୍ ଅତର୍କିତ ଭାବେ ହେରିମିଟ୍ ଜିଙ୍ଗ୍ ରେସ୍ତୋରାଁରେ ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ଫ୍ରିଜ୍ରୁ ପ୍ରାୟ ୬ଦିନ ତଳର ବାସି ଚିକେନ୍ (ପାଖାପାଖି ୩୦ କେଜି) କଷା ଓ ୫ଦିନ ତଳର ଫ୍ରାଏଡ୍ ରାଇସ୍ ମିଳିଥିଲା। ରେଡ୍ ହ୍ୟାଣ୍ଡେଡ୍ ବାସି ଖାଦ୍ୟ ଜବତ ହେଲା ପରେ ଯାଞ୍ଚ ଟିମ୍ ମାଲିକଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଥିଲେ। ଆଗକୁ ଏଭଳି କଲେ, ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ତାଗିଦ୍ କରିଥିଲେ। ଘଟଣାଟି ଆଜି ନନ୍ଦନକାନନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ହୋଟେଲ ଓ ରେସ୍ତୋରାଁରେ ବାସି ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି।