ମିସ୍ କଲ୍‌ରୁ ପ୍ରେମର ପରିଣତି: ମହିଳାଙ୍କ ୨ ଲକ୍ଷ ହଡ଼ପ, ଶଠ ପ୍ରେମିକ ଗିରଫ

ଭୁବନେଶ୍ବର: ମୋବାଇଲ୍‌ ଫୋନ୍‌ ମିସ୍ କଲ୍‌ରୁ ହୋଇଗଲା ପ୍ରେମ। ଶଠ ପ୍ରେମିକର ମିଠା ମିଠା କଥାରେ ଫସିଗଲେ ମହିଳା। ଏହା ପରେ ଧୂର୍ତ୍ତ ପ୍ରେମିକ ମହିଳାଙ୍କ ଟଙ୍କା ଉପରେ ନଜର ପକାଇଲା ଓ ବଡ଼ କାଇଦାରେ ୨ ଲକ୍ଷ ଟଙ୍କା ଚଳୁ କରିଦେଲା। ଏତିକିରେ ଠକ ପ୍ରେମିକର କଳା କାରନାମା ସରିନଥିଲା। ମହିଳାଙ୍କୁ ଶୋଷଣ କରିବା ପରେ ତାଙ୍କ ବଢ଼ିଲା ଝିଅ ଉପ‌ରେ ଲୋଲୁପଦୃଷ୍ଟି ପକାଇଲା। ତେଣୁ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ମହିଳା ବାଧ୍ୟ ହୋଇ ପୁଲିସର ଦ୍ବାରସ୍ଥ ହେଲେ। ମହିଳାଙ୍କ ଅଭିଯୋଗ ଆଧାରରେ ନୂଆପଲ୍ଲୀ ଥାନା ପୁଲିସ ଶଠ ପ୍ରେମିକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଚନ୍ଦକା ଥାନା ସୁନ୍ଦରପୁରର ମହେଶ୍ବର ମହାନ୍ତି।

ସୂଚନାନୁସାରେ ପ୍ରାୟ ୨ ବର୍ଷ ତଳେ ଅଭିଯୁକ୍ତ ମହେଶ୍ବରର ମୋବାଇଲ୍‌ ଫୋନ୍‌କୁ ଭୁଲ୍‌ବଶତଃ ନୂଆପଲ୍ଲୀ ନୂଆସାହିର ଅଞ୍ଚଳର ସୋନାଲି(ଛଦ୍ମନାମ) କଲ୍ କରିଥିଲେ। ତେବେ ଭୁଲ୍ ନମ୍ବରକୁ କଲ୍‌ ହୋଇଗଲା ବୋଲି ଜାଣିବା ମାତ୍ରେ ସୋନାଲି ଫୋନ୍‌ କାଟି ଦେଇଥିଲେ। କିନ୍ତୁ ଉକ୍ତ ନମ୍ବରକୁ ମହେଶ୍ବର କଲ୍ ବ୍ୟାକ୍‌ କରିଥିଲେ। ସୋନାଲି ଭୁଲ୍‌ରେ ଫୋନ୍‌ ଲାଗି ଯାଇଥିଲା ବୋଲି କହିବା ପରେ ବି ମହେଶ୍ବର ମିଠା କଥା କହି ବନ୍ଧୁତା ବାନ୍ଧିବାକୁ ଉଦ୍ୟମ କରିଥିଲା। ମଝିରେ ମଝିରେ ଫୋନ୍‌ କରି ସୋନାଲିଙ୍କୁ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କଲା ଓ ଶେଷରେ ସକ୍ଷମ ହେଲା ମଧ୍ୟ। ଧୀରେଧୀରେ ସେମାନଙ୍କ ପ୍ରେମ ନିବିଡ଼ ହେଲା ଓ ମହେଶ୍ବର ସୋନାଲିଙ୍କ ଘରକୁ ଯା’ଆସ କଲେ। ଏହା ପରେ ବିଭିନ୍ନ ବାହାନା କରି ମହେଶ୍ବର ସୋନାଲିଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇ ଯାଇଥିଲା। ଘରକୁ ଯିବା ଆସିବା କରିବା ଭିତରେ ମହେଶ୍ବର ସୋନାଲିଙ୍କ ଝିଅ ଉପରେ ନଜର ପକାଇଥିଲା। ସୋନାଲି ସବୁ ଜାଣୁଥିଲେ ବି ନିଜ ଗୋଡ଼ରେ କୁରାଢ଼ି ମାରିଥିବାରୁ ଉପାୟଶୂନ୍ୟ ହୋଇପଡ଼ିଥିଲେ। ଗତ ୨୦ ତାରିଖ ରାତିରେ ମହେଶ୍ବର ସୋନାଲିଙ୍କ ଘରେ ରହିଥିଲା ଓ ବିଳମ୍ବିତ ରାତିରେ ତାଙ୍କ ଝିଅକୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। ପ୍ରତିବାଦ କରିବାରୁ ସେ ସୋନାଲିଙ୍କୁ ମାଡ଼ ମାରିଥିଲା। ତେଣୁ ବାଧ୍ୟ ହୋଇ ସୋନାଲି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର