ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ: ପ୍ରଗତି ଗୁରୁ କଲେଜ ଟପର୍‌

ବିଜ୍ଞାନରେ ଗୌରହରି ବାଣିଜ୍ୟରେ ଶୁଭମ୍‌ ଶ୍ରେଷ୍ଠ

ଭୁବନେଶ୍ବର, ୭।୯ (ଇମିସ): ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ଆଗରେ ରହିଛନ୍ତି। କଳା ବିଭାଗରେ ପାସ୍‌ହାର ୯୩.୬୮% ରହିଥିବା ବେଳେ ବିଜ୍ଞାନରେ ୯୬.୮୯% ଓ ବାଣିଜ୍ୟରେ ୯୫.୬% ହୋଇଛି। କଳା ବିଭାଗର ମନୋବିଜ୍ଞାନ ବିଷୟର ଛାତ୍ରୀ ପ୍ରଗତି ଗୁରୁ ସର୍ବାଧିକ ନମ୍ବର ରଖି ବିଭାଗ ତଥା କଲେଜ ଟପର୍‌ ହୋଇଛନ୍ତି। ସେ କେବଳ ଅନର୍ସରେ ୧୩୨୨ମାର୍କ ଓ ମୋଟ ଉପରେ ୨୩୯୯ ମାର୍କ ରଖିଛନ୍ତି। ବିଜ୍ଞାନ ବିଭାଗରେ ପ୍ରାଣୀବିଜ୍ଞାନ ବିଷୟ ଛାତ୍ର ଗୌରହରି ସାହୁ ଓ ବାଣିଜ୍ୟ ବିଭାଗରେ ଆକାଉଣ୍ଟି˚ ବିଷୟର ଛାତ୍ର ଶୁଭମ୍‌ ଚୌଧୁରୀ ଟପର‌୍‌ ହୋଇଛନ୍ତି।

କଳା ବିଭାଗରେ ମୋଟ ୪୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୮୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୬୫ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୩ଜଣ ପ୍ରଥମ, ୨୬ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୪୨ଜଣ ଦ୍ବିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୨୬ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ହିନ୍ଦୀ, ଷ୍ଟାଟିଷ୍ଟିକ୍ସ, ଶିକ୍ଷା ଓ ଭୂଗୋଳ ବିଭାଗରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୮୮ଜଣଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି। ୧୨୧ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୫୬ଜଣ ପ୍ରଥମ, ୨ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କମ୍ପ୍ୟୁଟର୍‌ ସାଇନ୍ସ, ଗଣିତ, ପ୍ରାଣୀ ବିଜ୍ଞାନର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ୨୪୯ଜଣ ପରୀକ୍ଷା ଦେଇଥିବା ବେଳେ ୨୩୮ଜଣ ପାସ୍‌ କରିଛନ୍ତି। ୧୩୯ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩୭ଜଣ ପ୍ରଥମ, ୨୫ ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଙ୍କସନ୍‌, ୩୭ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୧୧ଜଣ ଫେଲ୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର