ସିବିଏସ୍‌ଇ ଦଶମ ପରୀକ୍ଷା ଫଳ, ରାଜଧାନୀରେ ଶହେରୁ ଶହେ

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଆଶା, ଆଶଙ୍କା ମଧ୍ୟରେ ଦିନ କାଟୁଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି କିଛିଟା ଆଶ୍ବସ୍ତି। ଭବିଷ୍ୟତ ବାଛିବା ଲାଗି ସେମାନଙ୍କୁ ମିଳିଯାଇଛି ବାଟ। ପରୀକ୍ଷା ଫଳ ଆଧାରରେ କିଏ କ’ଣ କରିବେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କେଉଁ କଲେଜରେ ପଢ଼ିବେ, କେଉଁ ବିଭାଗରେ ନାମ ଲେଖାଇବେ ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତି କି ଅନ୍‌ଲାଇନ୍‌ କୋଚିଂ ନେବା ପାଇଁ ବି ପ୍ରସ୍ତୁତ ହୋଇଛନ୍ତି।

ସିବିଏସ୍‌ଇ ଅଧୀନରେ ଥିବା ରାଜଧାନୀର ସମସ୍ତ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଅଧିକାଂଶ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି। ଏକାଧିକ ଛାତ୍ରଛାତ୍ରୀ ୯୯.୮% ନମ୍ବର ଅର୍ଥାତ୍‌ ୫୦୦ରୁ ୪୯୯ ମାର୍କ ରଖି ଟପର୍‌ ହୋଇଥିବା ଜଣାପଡ଼ିଛି। ତେବେ ଟପର୍‌ ତାଲିକା ପ୍ରକାଶ ପାଇ ନ ଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ସହରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ପାସ୍‌ହାର ଅଧିକ ରହିବା ସହ ଭଲ ମାର୍କ ରଖିଛନ୍ତି। ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଅଧିକ ସ୍କୁଲରେ ସେଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଅଳ୍ପ କିଛି ବିଦ୍ୟାଳ‌ୟର ଛାତ୍ରଛାତ୍ରୀ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି କ୍ୟାମ୍ପସରେ ଉତ୍ସବ ମନାଇଥିଲେ। ସହରରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିନା ପରୀକ୍ଷାରେ ସମସ୍ତ ବିଦ୍ୟାଳୟର ସବୁ ପିଲା ପାସ୍‌ କରିଥିଲେ ମଧ୍ୟ କିଛି ପରୀକ୍ଷାର୍ଥୀ ମାର୍କକୁ ନେଇ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଆହୁରି ଅଧିକ ମାର୍କ ମିଳିଥାନ୍ତା ବୋଲି କହିଛନ୍ତି।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌
ପ୍ରତିବର୍ଷ ପରି ଏଥର ମଧ୍ୟ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ୬୫.୬% ପ୍ରତିଶତ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୯୭% ଛାତ୍ରଛାତ୍ରୀ ୭୫%ରୁ ଅଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ୨୭.୬% ଛାତ୍ରଛାତ୍ରୀ ୯୫%ରୁ ଅଧିକ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖି ପାସ୍‌ କରିଛନ୍ତି। ସ୍କୁଲର ହାରାହାରି ନମ୍ବର ୯୧.୧% ହୋଇଛି। ସ୍କୁଲ ଟପର ହୋଇଥିବା ପରୀକ୍ଷାର୍ଥୀ ୯୯.୮% ମାର୍କ ରଖିଛନ୍ତି। ସ୍କୁଲର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି ଯେ କରୋନା ସମୟରେ ପିଲାଙ୍କୁ ଅନଲାଇନ୍‌ରେ ଶିକ୍ଷା ପ୍ରଦାନ କରାଯାଉଥିଲା। ବୋର୍ଡ଼ ପରୀକ୍ଷାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସଠିକ୍ ସମୟରେ ପରୀକ୍ଷା ହେଉଥିଲା। ଶିକ୍ଷକଙ୍କ କଠିନ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗ ଯୋଗୁଁ ସଫଳତା ମିଳିଛି।
ମଦର୍ସ ପବ୍ଲିକ ସ୍କୁଲ
ୟୁନିଟ୍-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୧୨୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ଜଣ ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ଋତୁପର୍ଣ୍ଣା ଛୋଟରାୟ ୯୯.୬% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ଶୁଭଙ୍କର ସାଇପ୍ରିୟା ୯୯.୪% ଓ ଶ୍ରୀନିବାସ ବେହେରା ୯୯.୨% ମାର୍କ ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ପୁରୀସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଶତ ପ୍ରତିଶତ ଫଳ ହୋଇଛି। ହରିନାରାୟଣ ପ୍ରତିହାରୀ ୯୬.୮% ମାର୍କ ରଖି ସ୍କୁଲ ଟପର ହୋଇଥିବା ବେଳେ ମୋହିତ ମିଶ୍ର ଓ ସୁପ୍ରସାଦ ୯୬% ମାର୍କ ରଖି ସ୍କୁଲ ଦ୍ବିତୀୟ ଟପର ହୋଇଛନ୍ତି। ୨୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ଜଣ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମଦର୍ସ ପବ୍ଲିକ୍ ସ୍କୁଲର ସମ୍ପାଦକ ପଲ୍ଲୀ ପଟ୍ଟନାୟକ ବିଦ୍ୟାଳୟର ସଫଳତା ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଓଡିଏମ ପବ୍ଲିକ ସ୍କୁଲ
ସ୍କୁଲର ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଛାତ୍ର ଶ୍ରୀରାମ ପଟ୍ଟନାୟକ ୯୯.୮% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ସୂର୍ଯ୍ୟପ୍ରତାପ ମିଶ୍ର ଓ ପ୍ରତୀକ୍ଷା ପ୍ରଧାନ ଯୁଗ୍ମ ଭାବେ ୯୯.୬% ମାର୍କ ରଖି ଦ୍ବିତୀୟ ଓ ମନୋଦ୍ବିପାନ ମହାକୁଡ଼ ୯୮.୮% ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ୧୮ଜଣ ପରୀକ୍ଷାର୍ଥୀ ୯୫%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ
ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ବିଦ୍ୟାଳୟର ୧୯୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୪ ଜଣ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରୌନିକ୍ ମିଶ୍ର ୯୮.୪୦% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ଇଶିତା ସାହୁ ୯୮.୨୦% ନମ୍ବର ରଖି ଦ୍ବିତୀୟ ଓ ପ୍ରତିଷ୍ଠା ପାଲ୍ ୯୮% ରଖି ତୃତୀୟ ସ୍ଥାନରେ ରହିଛନ୍ତି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଅରୁଣ କୁମାର ରଥ, ଡିଏଭି ଜୋନ୍-୧ ଆଞ୍ଚଳିକ ଅଧିକାରୀ କେ ସି ଶତପଥୀ, ବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍-୮
ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୭୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୨ଜଣ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୨୪ଜଣ ୮୦%ରୁ ଅଧିକ ମାର୍କ ରଖିଛନ୍ତି। ରୁହିକା ଦାସ ଓ ପ୍ରତ୍ୟୁଷ କୁମାର ସ୍ବାଇଁ ୯୯.୮% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ସମୁଦ୍ର ପଟ୍ଟନାୟକ ୯୯.୬% ମାର୍କ ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାସୁଦେବ ମହାପାତ୍ର, ବରୁଣ ମିଶ୍ର ଓ କସ୍ମିନ କମାଲ ନାୟକ ୯୯.୪% ନମ୍ବର ରଖି ତୃତୀୟ ହୋଇଛନ୍ତି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟ କୁମାର ପଟ୍ଟନାୟକ, ମ୍ୟାନେଜର ଡି ଏନ୍ ମିଶ୍ର ଓ ଅଧ୍ୟକ୍ଷା ଇପ୍ସିତା ଦାସ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଡିଏଭି ପବ୍ଲିକ ସ୍କୁଲ , ଶିଶୁପାଳଗଡ଼
ସ୍କୁଲର ଶତପ୍ରତିଶତ ରେଜଲ୍ଟ ହୋଇଛି। ଛାତ୍ରୀ ଅମିଶା ତ୍ରିପାଠୀ ୯୬% ମାର୍କ ପ୍ରତିଶତ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ୧୪ ଜଣ ୯୦% ମାର୍କ ରଖିଥିବା ବେଳେ ୧୫ଜଣ ୮୦% ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ପରାମର୍ଶଦାତା ମନୋଜ କୁମାର ଭଦ୍ର ଓ ସଞ୍ଚାଳିକା ମଧୁମିତା ଭଦ୍ର କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ
ସ୍କୁଲର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୪୦% ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଛାତ୍ର ବୈଭବ କୁମାର ୯୯.୪% ମାର୍କ ରଖି ସ୍କୁଲ ଟପର ହୋଇଥିବା ବେଳେ ୟସ୍ ଖଣ୍ଡେଲୱାଲ ୯୯% ମାର୍କ ରଖିଛନ୍ତି। ସ୍କୁଲର ଛାତ୍ରଛାତ୍ରୀ ହାରାହାରି ୮୦% ମାର୍କ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ସ୍କୁଲର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଚେୟାରପର୍ସନ ମୋନାଲିସା ବଳ, ଅଧ୍ୟକ୍ଷ ସଞ୍ଚୟ ସୁଆର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେଣ୍ଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀ
ହାଇସ୍କୁଲର ସମସ୍ତ ୧୩୪ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସ୍ବସ୍ତିକ ଶୁଭଦର୍ଶନ ୯୯.୪% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ୫୮ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ତପନ କୁମାର ଶତପଥୀ କୃତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଜେଇଏମ୍‌ ସ୍କୁଲ
ବିଦ୍ୟାଳୟର ୨୪୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୫ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ସୀତିବର୍ଣ୍ଣା ତ୍ରିପାଠୀ ଓ ଅନନ୍ୟା ଦାଶ ଯୁଗ୍ମ ଭାବେ ୯୯.୪% ନମ୍ବର ରଖି ବିଦ୍ୟାଳୟ ଟପର ହୋଇଛନ୍ତି। ସେହିପରି ଜସ୍ମିନ୍‌ ଖଣ୍ଡାୟତରାୟ ୯୯.୨% ନମ୍ବର ରଖି ଦ୍ବିତୀୟ, କେ ପବନ କୁମାର ଓ ଆାକାଶ କୁମାର ସିଂହ ଯୁଗ୍ମ ଭାବେ ୯୯% ମାର୍କ ରଖି ସ୍କୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମିଶ୍ର ଓ ମ୍ୟାନେଜର ପ୍ରତାପ କୁମାର ଜେନା କୃତୀ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଭୁଜୀ ଇଂଲିଶ ମାଧ୍ୟମ ବିଦ୍ୟାଳୟ, ଭିଏସ୍‌ଏସ୍‌ ନଗର
ବିଦ୍ୟାଳୟର ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଛାତ୍ର ଅଲିଭ ସାହୁ ୯୯.୪% ମାର୍କ ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ମନୋହର ସ୍ବାଇଁ ୯୯.୨% ନମ୍ବର ରଖି ଦ୍ବିତୀୟ ହୋଇଛନ୍ତି। ବିଦ୍ୟାଳୟ ସଭାପତି ସ୍ବାମୀ ଶଙ୍କରାନନ୍ଦ ଗିରି, ସମ୍ପାଦିକା ବୀଣାପାଣି ରଥ, ଅଧ୍ୟକ୍ଷ ସନ୍ଥରଞ୍ଜନ ପାଣିଗ୍ରାହୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଜେଇଏମ୍‌ ସ୍କୁଲ-୨
ସତ୍ୟଭାମାପୁରସ୍ଥିତ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ବିଦ୍ୟାଳୟର ୧୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୀକ୍ଷା ଦେ ୯୯.୮% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି। ସ୍ଥିତିପ୍ରଜ୍ଞା ଜେନା ୯୯%, ସମୀକ୍ଷା ସାହୁ ଓ ତନ୍ମୟ ମହାନ୍ତି ୯୮.୬% ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ୪୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ସଫଳତା ନେଇ ବିଜେ ଶିକ୍ଷା ପରିଷଦ ସଭାପତି ରଘୁନାଥ ମିଶ୍ର, ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା କ୍ଷଣିକା ଦାସ, ସର୍ବେଶ୍ବର ସାମଲ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର
ବିଦ୍ୟାଳୟର ୧୩୫ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୨.୨% ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଗ୍ରୀଷ୍ମା ଅନନ୍ୟା ରଥ ୯୯.୪୦% ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ପ୍ରିୟାଂଶୁ ପଣ୍ଡା ୯୯.୨୦% ନମ୍ବର ରଖି ଦ୍ବିତୀୟ ଓ ସ୍ନେହାଶୁଂ ଶୁଭ୍ରା ୯୮.୮୦% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ମଦନ ମୋହନ ପଣ୍ଡା କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ
ଭେଙ୍କେଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ ହୋଇଛି। ବିଦ୍ୟାଳୟର ୨୮୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ଜଣ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଭିନବ ଦାସ ଓ ସୁଧାଂଶୁ ଶେଖର ଦାଶ ୯୬.୨% ମାର୍କ ରଖି ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି, ପରିଚାଳକ ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି. ରାମ କିଶୋର ଟ୍ରଷ୍ଟର ସଚିବ କେ.କେ ଦେବୀ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡିଏଭି, ଚନ୍ଦ୍ରଶେଖରପୁର
ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୯୧ଜଣଙ୍କ ମଧ୍ୟରୁ ୯୧ଜଣ ୯୫%ରୁ ଅଧିକ ନମ୍ବର ରଖିଥିବା ବେଳେ ୧୮୪ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୨୭୮ଜଣ ୭୫%ରୁ ଅଧିକ ନମ୍ବର ହାସଲ କରିଛନ୍ତି। ପ୍ରିୟଷ ପ୍ରୀତମ ଜେନା ଓ ଆର୍ଯ୍ୟଭଟ୍ଟ ପାଣିଗ୍ରାହୀ ୯୯.୨% ନମ୍ବର ରଖି ବିଦ୍ୟାଳୟ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ସ୍କୁଲ କର୍ତୃପକ୍ଷ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର