ଭୁବନେଶ୍ବର: ଜାତୀୟ ଜରୁରୀକାଳୀନ ପରିସ୍ଥିତିର ୪୮ତମ ବର୍ଷ ପୂର୍ତ୍ତି ଅବସରରେ ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର ପକ୍ଷରୁ ‘ଗଣତନ୍ତ୍ର ସୁରକ୍ଷା’ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଜାତୀୟ ସଭାପତି ବ୍ରଜକିଶୋର ତ୍ରିପାଠୀ ଏହାକୁ ଉଦ୍ଘାଟନ କରିଥିଲେ। ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ କହିଲେ, ନେତାମାନେ ଦଳୀୟ ରାଜନୀତିରୁ ଊର୍ଧ୍ବରେ ରହି ଦେଶର ବିକାଶ ପାଇଁ କାମ କରିବା ସହ ଗଣତନ୍ତ୍ରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ମୁଖ୍ୟବକ୍ତା ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ର କହିଲେ, ଲୋକନାୟକ ଜୟପ୍ରକାଶଙ୍କ ‘ସଂପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନର ଏବେ ମଧ୍ୟ ଆବଶ୍ୟକତା ରହିଛି। ସଭାରେ ବକ୍ତାମାନେ ଭ୍ରଷ୍ଟାଚାର, ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟାକୁ ନେଇ ଘୋର୍ ଉଦ୍ବେଗ ପ୍ରକାଶ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଓ ନୂଆ ଶ୍ରମ ଆଇନକୁ ବିରୋଧ କରାଯାଇଥିଲା।
ଅପରପକ୍ଷେ, ଅନ୍ୟ ରାଜ୍ୟ ପରି ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ଯାଇଥିବା ଓଡ଼ିଶାର ସଂଗ୍ରାମୀଙ୍କୁ ସାମାଜିକ ସ୍ବୀକୃତି, ପେନ୍ସନ୍, ମାଗଣା ଚିକିତ୍ସା, ସରକାରୀ ଉତ୍ସବରେ ନିମନ୍ତ୍ରଣ ଭଳି ସୁବିଧା ଯୋଗାଇଦେବାକୁ ଏହି ଅବସରରେ ଦାବି କରାଯାଇଥିଲା। ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ର ଓ ସମ୍ବଲପୁରର ବିଶିଷ୍ଟ ସମାଜବାଦୀ ନେତା ଜ୍ଞାନ ପଟ୍ଟନାୟକଙ୍କୁ ଅନୁଷ୍ଠାନ ତରଫରୁ ‘ଲୋକନାୟକ-୨୦୨୨’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆବାହକ ମନୋଜ ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରାଜ୍ୟ ଆବାହକ ପ୍ରଭାସ ସାମନ୍ତରାୟ ସଭା ପରିଚାଳନା କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଜୟ ଜେନା, ସମ୍ବାଦିକ ରବି ଦାସ, ଲଲିତ ମୋହନ ପଟ୍ଟନାୟକ, ଲକ୍ଷ୍ମୀ ମହାନ୍ତି, ପଞ୍ଚାନନ ସେନାପତି, ରାଧାକାନ୍ତ ବହିଦାର, ବିଷ୍ଣୁପଦରାଜ ମହାନ୍ତି, ପ୍ରଭାସ ସାମନ୍ତରାୟ, ଲକ୍ଷ୍ମୀଧର ସାହୁ, ଗୋକୁଳ ମେହେର, ବିକ୍ରମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/22-16.jpg)