ଚନ୍ଦ୍ରଶେଖରପୁର: ୨୦୦ ମିଟର ରାସ୍ତାରେ ୨୦୦ରୁ ଊର୍ଧ୍ବ ଖାଲ। କେଉଁଠି ଛୋଟ ତ ଆଉ କେଉଁଠି ବଡ଼। ବାଇକ୍‌ ଚାଳକ ଟିକିଏ ଖାମଖିଆଲି ହେଲେ ମାଟି କାଦୁଅରେ ପଡ଼ିବା ସାର। ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ବରଂ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୯ ନମ୍ବର ୱାର୍ଡର ରେଲୱେ ମାର୍କେଟ୍‌ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଡମଣା, ଗାଡ଼କଣ, ମଞ୍ଚେଶ୍ବର, ଭିଏସ୍‌ଏସ୍‌ନଗର, ରେଲୱେ କଲୋନିବାସୀଙ୍କ ସମେତ ସହରବାସୀଙ୍କ ଲାଗି ବିକଳ୍ପ ବାଟ ପାଲଟିଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏକାଧିକ ଦୁର୍ଘଟଣା ହେବା ସହ ବହୁ ଚାଳକ ଆହତ ହେଲେଣି। ମାସ ମାସ ଧରି ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି। ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିବା ବେଳେ ଜନପ୍ରତିନିଧିଙ୍କର ଦେଖା ହିଁ ମିଳୁନି।

Advertisment

ରେଲୱେ ମାର୍କେଟ ଛକରୁ ଗୁରୁ କେଳୁଚରଣ ପାର୍କ ଆଡ଼କୁ ଯାଇଥିବା ଏହି ଦେଢ଼ ଶହ ମିଟର ରାସ୍ତାରେ ଶତାଧିକ ଖାଲ ସୃଷ୍ଟି ହୋଇଛି। ଗାଡ଼ି ଚାଳକଙ୍କ ପାଇଁ ଏହି ରାସ୍ତା ଏବେ ପାଦେ ପାଦେ ବିପଦ ସାଜିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଛୋଟ ପିଲା ସ୍କୁଲକୁ ଯାଉଛନ୍ତି। ବରିଷ୍ଠ ନାଗରିକଙ୍କ ଯିବା ଆସିବା ବାଟ ପାଲଟିଛି। ତା’ ପରେ ବି କାହାର ଧ୍ୟାନ ନାହିଁ। ପରିଣାମ ସ୍ବରୂପ ଏଠାରେ ଯେଉଁ ଭଳି ଖାଲ ସୃଷ୍ଟି ହୋଇଛି ସେଥିରେ ପଡ଼ି ବହୁ ଛାତ୍ରଛାତ୍ରୀ ଆହତ ହେଲେଣି। ସୋମବାର ମଧ୍ୟ ଦୁଇ ଜଣ ପିଲା ସାଇକେଲ୍‌ରେ ଯିବା ସମୟରେ ଭାରସାମ୍ୟ ହରାଇ ଖାଲରେ ଗଳି ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଛକ ଭିଏସ୍‌ଏସ୍ ନଗର, ଡ଼ମଣା, ଓମଫେଡ୍ ଛକ, ମଞ୍ଚେଶ୍ବର ରେଲୱେ ଷ୍ଟେସନ୍‌ ଆଦି ସ୍ଥାନକୁ ସଂଯୋଗ କରୁଥିବାରୁ ନେତା, ମନ୍ତ୍ରୀ, ବିଏମ୍‌ସି ଅଧିକାରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ମାତ୍ର ଖାଲ ଉପରେ କାହାର ବି ନଜର ପଡ଼ୁନି।

ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଛକରେ ବହୁ ପୁରୁଣା ଗଛ ରହିଥିଲା। ଅସ୍ଥାୟୀ ବ୍ୟବସା‌ୟୀ ବେପାର କରୁଥିଲେ। ମାତ୍ର ୨୦୦ ଫୁଟିଆ ରାସ୍ତା ଲାଗି ଗତବର୍ଷ ଉକ୍ତ ଗଛଗୁଡ଼ିକୁ କାଟି ଉକ୍ତ ସ୍ଥାନକୁ ଫାଙ୍କା କରି‌ଦେଲେ। ଲୋକଙ୍କ ଯିବା ଆସିବା ଲାଗି ସୁବିଧା ମଧ୍ୟ ହେଲା। ମାତ୍ର ସେହି ସ୍ଥାନରେ ଖୋଳାଯାଇଥିବା ରାସ୍ତାକୁ ଆଉ ସଜଡ଼ା ଗଲା ନାହିଁ। କର୍ତ୍ତୃପକ୍ଷ କେବଳ ମାଟିକୁ ସମତୁଲ କରି ଚାଲିଗଲେ। ସେହି ଦିନଠାରୁ କଦର୍ଯ୍ୟ ରାସ୍ତାରେ ଗାଡ଼ି ଚଳାଚଳ କରୁଛି। ରଥଯାତ୍ରା ସମୟରେ ରାସ୍ତାରେ କିଛି ସିମେଣ୍ଟ ଡଷ୍ଟ୍‌ ପକାଯାଇଥିଲା। ମାତ୍ର ଅସରାଏ ବର୍ଷାରେ ସେଗୁଡ଼ିକ ଧୋଇଯିବାରୁ ଏହି ରାସ୍ତା ଏବେ ବିପଦସଂକୁଳ ସାଜିଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ସନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ହେଉଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।