ଭୁବନେଶ୍ୱର: ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପଥପ୍ରାନ୍ତ ସୌନ୍ଦର୍ଯ୍ୟୀକରଣକୁ ସର୍ବାଧିକ ଗୁରୁତ୍ବ ଦେଇଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)। ବିଶେଷ କରି ସ୍ମାର୍ଟସିଟି ଘୋଷଣା ପରଠୁ ବିଏମ୍ସିର ଶୋଭାବର୍ଦ୍ଧନ ପାଇଁ ଦାମୀ ଗଛ ସବୁ ରାସ୍ତାର ଦୁଇପାର୍ଶ୍ବ ଓ ମେଡିଆନ୍ରେ ଲଗାଯିବା ଅଭିଯାନକୁ ଜୋରଦାର କରାଯାଇଛି। କିନ୍ତୁ ଦାୟିତ୍ବ ନ୍ୟସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା କାରଣରୁ କୋଟି କୋଟି ଟଙ୍କା ବିନିମୟରେ ହେଉଥିବା ଏହି ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଉଜୁଡ଼ିବାରେ ଲାଗିଛି। ପାଣି ଅଭାବରୁ ଫୁଲ ଓ ଅନ୍ୟାନ୍ୟ ଗଛ ସବୁ ଜଳିଗଲାଣି। ଅନେକ ସ୍ଥାନରେ କୁଣ୍ଡ ଅଛି, କିନ୍ତୁ ଗଛ ନାହିଁ। ଭୁବନେଶ୍ବରର ସବୁଠୁ ଜନଗହଳିପୂର୍ଣ୍ଣ କଳ୍ପନା ଛକ ଏହାର ଜ୍ବଳନ୍ତ ଉଦାହରଣ। ଏଠାରେ ଏକାଧିକ ଗଛ ସବୁ ପାଣି ଅଭାବରୁ ଜଳିଗଲାଣି।
କଳ୍ପନା ଟ୍ରାଫିକ୍ ଛକରୁ ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, କୋର୍ଟ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ୧ହଜାରରୁ ଅଧିକ ଦାମୀ ଫୁଲକୁଣ୍ଡ ରଖାଯାଇଥିଲା। ମୁକ୍ତା ଯୋଜନାରେ ଏହି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଫୁଲ ଓ ସୌନ୍ଦର୍ଯ୍ୟୀକରଣ ଗଛ ଦର ତ’ ଭିନ୍ନ କଥା, ଯେଉଁ ଫୁଲ କୁଣ୍ଡ ସବୁ ରଖାଯାଇଥିଲା, ତାହା ହଜାର ହଜାର ଟଙ୍କାରେ କିଣାଯାଇଥିଲା। ବିଏମ୍ସି ପକ୍ଷରୁ ଏହି ଶୋଭାବର୍ଦ୍ଧନକାରୀ ଗଛ ସବୁ ଏନ୍ଜିଓ ଜରିଆରେ ଲଗାଯାଇଥିଲା। କିନ୍ତୁ ଯତ୍ନ ତଥା ରକ୍ଷଣାବେକ୍ଷଣ ଅଭାବରୁ ବହୁ କୁଣ୍ଡରୁ ଗଛ ଗାଏବ ହୋଇଗଲାଣି। ବିଏମ୍ସି ଡେପୁଟି କମିସନର୍ କାଜଲ ପ୍ରଧାନ କହିଛନ୍ତି, ‘‘କିଛି ଜାଗାରେ ବିଏମ୍ସି ଗଛ କଥା ବୁଝୁଛି ଓ କିଛି ଜାଗାରେ ସ୍ମାର୍ଟସିଟି ପ୍ରାଇଭେଟ୍ ଲିମିଟେଡ୍ ବୁଝୁଛି। ମେଡିଆନ୍ ଗଛ ଲଗାକଥା ସ୍ମାର୍ଟସିଟି ଲିମିଟେଡ୍ ବୁଝୁଛି। ଏନ୍ଜିଓମାନେ ଗଛ ଲଗାଉଛନ୍ତି ଓ ଏ ବାବଦ ଟଙ୍କା ଏନ୍ଜିଓଙ୍କୁ ଦିଆଯାଉଛି। କିଛି ଜାଗାରେ ଇନ୍ଡୋର୍ ପ୍ଲାଣ୍ଟ ଲଗାଯାଇଥିଲା, ଯାହା ବାହାରେ ମରିଯାଉଛି। ଏସବୁ ବଦଳରେ ଆମେ ବାହାରେ ବଞ୍ଚି ପାରୁଥିବା ଗଛ ଲଗାଇବାକୁ ଯୋଜନା କରିଛୁ। କଳ୍ପନା ଟ୍ରାଫିକ୍ ଛକରୁ କୋର୍ଟ ପର୍ଯ୍ୟନ୍ତ ରାସ୍ତା ଦୁଇପାର୍ଶ୍ବରେ ଯେଉଁ ଫୁଲ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ ଗଛ ସବୁ କୁଣ୍ଡରେ ଲଗାଯାଇଛି, ତାହା ବିଏମ୍ସି ବୁଝୁଛି। ବିଏମ୍ସି ପାଣି ଦେବା ଓ ରକ୍ଷଣାବେକ୍ଷଣ କଥା ବୁଝୁଛି। ନିମୟିତ ପାଣି ଦେବା ଓ ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତଥାପି କୌଣସିଠାରେ ଯଦି ଗଛ ମରିଯାଇଛି, ସେ ଦିଗରେ ପଦକ୍ଷେପ ନେନିଆଯିବ ବୋଲି ସେ କହିଛନ୍ତି।
୧୦ ଏନ୍ଜିଓ ପାଇବେ ୨.୬୬ ଲକ୍ଷ ଟଙ୍କା
ବିଏମ୍ସିର ବିଭିନ୍ନ ୱାର୍ଡରେ ୨୦୨୪-୨୫ ଆର୍ଥିକ ବର୍ଷରେ ଲାଗିଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ୧୦ ଏନ୍ଜିଓଙ୍କୁ ଦିଆଯାଇଥିଲା। ବିଏମ୍ସି ଏହି ୧୦ ଏନ୍ଜିଓଙ୍କ ସହ ତିନିବର୍ଷିଆ ଚୁକ୍ତି ବି କରିଥିଲା। ଏଥିପାଇଁ କଷ୍ଟ୍ ନର୍ମ ଧାର୍ଯ୍ୟ ହୋଇଛି। ପ୍ରଥମ ବର୍ଷର କଷ୍ଟ୍ ନର୍ମ ୨୦୨୫ ମାର୍ଚ୍ଚରେ ଶେଷ ହୋଇଛି ଓ ଏ ବାବଦ ଅର୍ଥ ଏନ୍ଜିଓମାନେ ପାଇ ସାରିଛନ୍ତି। ଏହା ଭିତରେ ଦ୍ବିତୀୟ ବର୍ଷ କଷ୍ଟ୍ ନର୍ମ ପ୍ରସ୍ତୁତ ହୋଇଛି। ୨୦୨୫-୨୬ ବର୍ଷ ପାଇଁ ବି ୧୦ ଏନ୍ଜିଓଙ୍କୁ ୧ହଜାର ଚାରା ପିଛା ବାର୍ଷିକ ରକ୍ଷଣାବେକ୍ଷଣ ବାବଦରେ ୨ଲକ୍ଷ ୬୬ହଜାର ୫୯୪ ଟଙ୍କା ଦେବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ଗତ କର୍ପୋରେସନ୍ ବୈଠକରେ ଏହାକୁ ଅନୁମୋଦନ ମିଳିଛି।