ଭୁବନେଶ୍ବର: ଯାହା ଆଶଙ୍କା ଥିଲା ତାହା ହିଁ ଘଟିଲା। ଘଣ୍ଟାଏ ବର୍ଷାରେ ଇସ୍କନମନ୍ଦିର ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଲହଡ଼ି ମାରିଲା। ପାଣି ଜମିବା ଫଳରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆଜି ସନ୍ଧ୍ୟାରେ ଇସ୍କନ୍‌ ମନ୍ଦିର ନିକଟରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଆସିଥିବା ଶ୍ରଦ୍ଧାଳୁ ଦୁଇଘଣ୍ଟା କାଳ ଜଳବନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନିକ ବୈଠକରେ ଆଲୋଚନା ହେଲା। ପାଣି କିଭଳି ଜମିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଗଲା। 

Advertisment

ମାତ୍ର ଆଜିର ପରିସ୍ଥିତି ଦେଖି ଲାଗୁଛି ଯେ ସବୁ ନିର୍ଦ୍ଦେଶ, ନିର୍ଦ୍ଦେଶରେ ହିଁ ରହିଗଲା। ଆଜି ସନ୍ଧ୍ୟା ୫ଟାରୁ ରାଜଧାନୀର ସ୍ଥାନେସ୍ଥାନେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ୬ଟା ସମୟରେ ପ୍ରବଳ ମାତ୍ରାରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଇସ୍କନ ନିକଟରେ ୫୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଲୋକାରଣ୍ୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଓଭର୍‌ବ୍ରିଜ୍‌ରୁ ନିଷ୍କାସିତ ଓ ରାସ୍ତକଡ଼ ଡ୍ରେନ୍‌ ପାଣି ରାସ୍ତାରେ ଲହଡ଼ି ମାରିଥିଲା। ଗାଡ଼ିପାର୍କିଂଠାରୁ ଆରମ୍ଭ କରି ନୂଆପଲ୍ଲୀ ଅଣ୍ଡରପାସ୍‌ ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚରେ ପାଣି ବହି ଚାଲିଥିଲା। ଶ୍ରଦ୍ଧାଳୁମାନେ କୌଣସି ଉପାୟ ନପାଇ ମନ୍ଦିର ପରିସର ନିକଟସ୍ଥ ମଲ୍‌ରେ ଆଶ୍ରୟ ନେଇଥିଲେ।