ଭୁବନେଶ୍ବର: ରେଳଯାତ୍ରୀଙ୍କ ପାଇଁ ମୁତ୍ୟୁର ଫାଶ ଖୋଲା ରଖିଛି ଭୁବନେଶ୍ବର ମହାନଗର ନିଗମ। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକ ସିଟି ବସ୍ ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ। ରେଳଷ୍ଟେସନ୍ ସମ୍ମୁଖରେ ଥିବା ଏହି ରାସ୍ତା ବହୁଦିନ ହେବ ଖାଲଖମାରେ ଭର୍ତ୍ତି। ରେଳଷ୍ଟେସନ୍ ଓଭର୍ବ୍ରିଜ୍ କାମ ନେଇଥିବା ଠିକାସଂସ୍ଥାର ଭାରୀଯାନ ଏହି ବାଟ ଦେଇ ଚଳାଚଳ କରିବା ଫଳରେ ରାସ୍ତାରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିରେ ପଡ଼ି ପ୍ରତିଦିନ ରେଳଯାତ୍ରୀ ଓ ଅନ୍ୟ ଗାଡ଼ିଚାଳକମାନେ ଖଣ୍ଡିଆଖାବରା ହେଉଛନ୍ତି। ଅଥଚ ଏଥିପ୍ରତି ବିଏମ୍ସିର ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହିଛନ୍ତି। ସେପଟେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାମପାର୍ଶ୍ବକୁ ରେଳଷ୍ଟେସନ୍ ଆଡ଼କୁ ଯିବା ରାସ୍ତାରେ ଯାଇଥିବା ନାଳର ସ୍ଲାବ୍ ଭାଙ୍ଗିଯାଇଛି। ଏଥିରେ ପଡ଼ି ଯାତ୍ରୀ ଓ ଚାଳକମାନେ ମୃତାହତ ହେବା ଆଶଙ୍କା ରହିଛି।
ଭୁବନେଶ୍ବର ରେଳଷ୍ଟେସନ୍ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ୍ ହୋଇଥିବାବେଳେ ଦୈନିକ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ସଂଖ୍ୟାରେ ଯାତ୍ରୀ ଏଠାରୁ ଟ୍ରେନ୍ ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା କରୁଛନ୍ତି। ନିୟମିତ ଏଥିପାଇଁ ରେଳଷ୍ଟେସନ୍ ସମ୍ମୁଖ ସିଟି ବସ୍ ରାସ୍ତା ଭିଡ଼ ରହୁଛି। କିନ୍ତୁ ଏହି ରାସ୍ତା ଫୁଟେ, ଦେଢ଼ ଫୁଟ ଲେଖାଏଁ ଖୋଳି ହୋଇଯାଇଥିବାରୁ ଦୈନିକ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଯାତ୍ରୀମାନେ ଅନ୍ଧାରରେ ଏହି ଖାଲଖମାରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଯାତ୍ରୀ ଓ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, ଭୁବନେଶ୍ବର ରେଳଷ୍ଟେସନ୍ ଏବେ ଓଭର୍ବ୍ରିଜ୍ କାମ ନିର୍ମାଣାଧୀନ ରହିଛି। ଯେଉଁ ଠିକାସଂସ୍ଥା ଏହି କାମ ନେଇଛି, ସେ ମାଲ୍ ପରିବହନ ବେଳେ ଏହି ରାସ୍ତା ଖୋଳି ହୋଇ ଏଭଳି ସ୍ଥିତି ଉପୁଜିଛି। ଏ ସଂପର୍କରେ ଅଞ୍ଚଳାବାସୀ ବହୁବାର ଠିକାସଂସ୍ଥାକୁ ରାସ୍ତା ସଂପର୍କରେ କହିଲୁଣି। କିନ୍ତୁ କୋଟିକୋଟି ଟଙ୍କାର ଠିକା ନେଇଥିବା ବଡ଼ବଡ଼ିଆ ଠିକାସଂସ୍ଥା ଏହି ଛୋଟ ଛୋଟ କାମକୁ ଆଡ଼ ଆଖିରେ ଅନାଉନାହାନ୍ତି କି ଆମ ଅଭିଯୋଗକୁ ଖାତିର କରୁନାହାନ୍ତି। ବିଏମ୍ସିରେ ବି ଏ ସଂପର୍କରେ ଅଭିଯୋଗ ହୋଇଛି। କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।