ଚନ୍ଦ୍ରଶେଖରପୁର: ବିଏମ୍ସି ଓ ପଞ୍ଚାୟତ ସୀମା ବିବାଦରେ ଫସି ରହିଛି କାଳୀକ୍ଷମା ବ୍ରିଜ୍। କଳାରାହାଙ୍ଗ ପଞ୍ଚାୟତ ଓ ବିଏମ୍ସି ସୀମାରେ ରହିଥିବା ଏହି ବ୍ରିଜ୍ କାହା ଅଧୀନରେ ଆସୁଛି, ସ୍ପଷ୍ଟ ହୋଇପାରୁନାହିଁ। ଫଳରେ ଗତ ୨୦ ବର୍ଷରୁ ଅଧିକ ସମୟ ଧରି ବ୍ରିଜ୍ ରାସ୍ତା ମରାମତି ହୋଇପାରୁ ନାହିଁ। ତେଣୁ ପ୍ରତିଦିନ ଏହି ବ୍ରିଜ୍ ଦେଇ ଯାତାୟାତ କରୁଥିବା ସ୍ଥାନୀୟ ଶହ ଶହ ଲୋକ ହନ୍ତସନ୍ତ ହେଉଛନ୍ତି।
ସୂଚନାନୁସାରେ, ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଥିବା ଏହି ରାସ୍ତା ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଏକ ବ୍ୟସ୍ତବହୁଳ ରାସ୍ତା। ଭୋଟପଡ଼ା, ମଞ୍ଚେଶ୍ବର, ରଙ୍ଗମାଟିଆ, ପଟିଆ, କେଳାସାହି ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ସେମାନଙ୍କ କହିବା ଅନୁଯାୟୀ, ରସୁଲଗଡ଼ରୁ ପାଞ୍ଚ ପଞ୍ଚାୟତକୁ ଯାତାୟାତ କରିବା ପାଇଁ କୁଆଖାଇ କେନାଲ ବନ୍ଧ ରାସ୍ତା ପରେ ଦୟାୱେଷ୍ଟ କେନାଲ୍ ଏକ ଭଲ ସର୍ଟକଟ୍ ରାସ୍ତା। କିନ୍ତୁ ମରାମତି ଅଭାବରୁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଛି। ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ନଥିବାରୁ ରାତିରେ ରାସ୍ତା ଅଧିକ ଭୟଙ୍କର ହୋଇପଡ଼ୁଛି। ରସୁଲଗଡ଼ କିମ୍ବା ପଟିଆରୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି। ନିକଟରେ ଜଣେ ବ୍ୟକ୍ତି ବ୍ରିଜ୍ ଉପରୁ ତଳକୁ ଖସି ପ୍ରାଣ ହରାଇଥିଲେ। ଘନ ଅନ୍ଧାର ସାଙ୍ଗକୁ ରାସ୍ତାର କଦର୍ଯ୍ୟ ଅବସ୍ଥା ପାଇଁ ବ୍ରିଜ୍ରେ ଦୁର୍ବୃତ୍ତମାନଙ୍କ ଆଡ଼ା ଜମୁଛି ଓ ସେମାନେ ପଥଚାରୀଙ୍କୁ ଲୁଟ୍ପାଟ୍ କରୁଛନ୍ତି। ତେଣୁ ଏହି ରାସ୍ତାର ମରାମତି ସହ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।