ବାଣୀବିହାର ଆର୍‌ଓବି ନିର୍ମାଣ ପାଇଁ ବାଟ ଫିଟିଲା: ବର୍ଷେ ବନ୍ଦ ହେବ ଏନ୍‌ଏଚ୍‌

ବାଣୀବିହାର-ରସୁଲଗଡ଼ ପାଇଁ ହେବ ବିକଳ୍ପ ରାସ୍ତା, ରସୁଲଗଡ଼-ଖୋର୍ଦ୍ଧା ଏନ୍‌ଏଚ୍‌ରେ ଯାତାୟାତ ଜାରି ରହିବ

ଭୁବନେଶ୍ୱର: ବାଣୀବିହାର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ଚଉଡ଼ା କରିବା ପାଇଁ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ଶେଷରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ସବୁଜ ସଙ୍କେତ ମିଳିଛି। ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସମସ୍ୟାକୁ ନେଇ ଅଟକି ରହିଥିବା ଏହି ପ୍ରକଳ୍ପ ପାଇଁ ବାଟ ଫିଟିଛି। ନିଷ୍ପତ୍ତି ମୁତାବକ, ଏହି ପୁରୁଣା ଆରଓବି କଡ଼ରେ ତାରିଣୀ ବସ୍ତି ଆଡ଼କୁ ଆଉ ଏକ ବିକଳ୍ପ ଆରଓବି(ରେଲ୍‌ୱେ ଓଭରବ୍ରିଜ୍‌) ତିଆରି ହେବ। ଏହି ଆରଓବି ରସୁଲଗଡ଼ ଓଭରବ୍ରିଜ୍‌ର ସର୍ଭିସ୍‌ ରୋଡ୍‌କୁ ସଂଯୋଗ କରାଯିବ। ବାଣୀବିହାର ପଟୁ ଆସୁଥିବା ଯାନବାହନ ରସୁଲଗଡ଼ ଓଭରବ୍ରିଜ୍‌ ପୂର୍ବରୁ ରାସ୍ତା ବଦଳାଇ ଏହି ଆରଓବି ଦେଇ ଯିବେ। କିଛି ଦୂରରେ ରସୁଲଗଡ଼ ଛକ ପାଖାପାଖି ପୁରୁଣା ସର୍ଭିସ୍‌ ରୋଡ୍‌ ଧରିବେ। ନୂଆ ଆରଓବି ନିର୍ମାଣ ହେବା ପରେ ଯାଇ ପୁରୁଣା ଆରଓବିକୁ ଭାଙ୍ଗି ଚଉଡ଼ା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି କାମକୁ ଆରଭିଏନ୍‌ଏଲ୍‌ (ରେଳ ବିକାଶ ନିଗମ ଲିମିଟେଡ୍‌) କରିବ। ଏହି ନୂଆ ଆରଓବି ପାଇଁ ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ମଞ୍ଜୁର କରାଯାଇଛି। ଖୁବ୍‌ଶୀଘ୍ର ଏହି ନୂଆ ବିକଳ୍ପ ଆରଓବି ନିର୍ମାଣ ଆରମ୍ଭ ହେବ। ଏହା ସରିବା ମାତ୍ରେ ହିଁ ରାଜପଥ ଅବରୋଧ କରାଯାଇ ଟ୍ରାଫିକ୍‌ ଗତିପଥ ବଦଳାଯିବା ସହ ପୁରୁଣା ଆରଓବି ଭଙ୍ଗାଯିବ। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଏଭଳି ଟ୍ରାଫିକ୍‌ କଟକଣା ରହିବ ବୋଲି ସୂଚନା ମିଳିଛି। ନୂଆ ଆର୍‌ଓବି ତିଆରି ହେବା ‌ପରେ ମଧ୍ୟ ଏହି ବିକଳ୍ପ ଆରଓବି ରହିବ। ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ବିଭିନ୍ନ ସମୟରେ ଗାଡ଼ିଗୁଡ଼ିକୁ ଏହି ରାସ୍ତା ଦେଇ ଯିବାକୁ ଦିଆଯିବ। ତେବେ ରସୁଲଗଡ଼ରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେବ ନାହିଁ। କାରଣ ରସୁଲଗଡ଼ ଓଭରବ୍ରିଜ୍‌ ନିର୍ମାଣ ବେଳେ ଏହାକୁ ଚଉଡ଼ା କରାଯାଇଛି। ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୂର୍ତ୍ତ ଅତିରିକ୍ତ ସଚିବ ଏଚ୍‌ କେ ଦତ୍ତ, ମୁଖ୍ୟଯନ୍ତ୍ରୀ(ଡିଜାଇନ୍‌) ଏନ୍‌ସି ପାଲ୍‌, ବିଶ୍ବ ବ୍ୟାଙ୍କ୍‌ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ରାମକୃଷ୍ଣ ମହାରଣା, ଆରଭିଏନ୍‌ଏଲ୍‌ ମୁଖ୍ୟଯନ୍ତ୍ରୀ ପିକେ ମହାନ୍ତି ଓ ଏନ୍‌ଏଚ୍‌ଏଆଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରାମପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ବିଛା ଯାଉଛି। ରେଳ ଟ୍ରାଫିକ୍‌ ସମସ୍ୟା ଦୂର ସହ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହି ରେଳ ଲାଇନ୍‌କୁ ତିନିଥାକିଆ କରାଯାଉଛି। ତୃତୀୟ ଧାରଣା ପାଇଁ ବାଣୀବିହାର ରେଳ ଓଭରବ୍ରିଜ୍‌ (ଆରଓବି) ପ୍ରଶସ୍ତ ନଥିବାରୁ ତୃତୀୟ ଲାଇନ୍‌ ବିଛାଇବା ସମ୍ଭବ ହେଉ ନାହିଁ। ଏଣୁ ପୁରୁଣା ଆରଓବିକୁ ଭାଙ୍ଗି ଚଉଡ଼ା ବ୍ରିଜ୍‌ ତିଆରି ହେବାକୁ ଯୋଜନା ହୋଇଥିଲା। ପୂର୍ବରୁ ଏହା ୧୮ମିଟର ଥିବା ବେଳେ ଏଡାକୁ ବଢ଼ାଇ ୪୬ ମିଟର କରାଯିବାକୁ ଯୋଜନା ହୋଇଛି। ଏଥିପାଇଁ ୩୦କୋଟି ବ୍ୟୟବରାଦ ହୋଇଥିବା ବେଳେ ଏବେ ଅତିରିକ୍ତ ୧୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେବାକୁ ଯାଉଛି।

ଏହି ଯୋଜନା ୨୦୧୦ ମସିହାରେ ହୋଇଥିଲା। ‌ଏହାକୁ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକୃତ ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍‌ଏଚ୍‌ଏଆଇକୁ ଅର୍ଥ ମଧ୍ୟ ପୈଠ କରିଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍‌ଏଚ୍‌ଏଆଇ କରିବା ପାଇଁ ମନା କରିଦେବା ସହ ଅର୍ଥ ଫେରାଇ ଦେଇଥିଲା। ସେବେଠାରୁ ଏହାକୁ ନିର୍ମାଣ କରିବା ପାଇଁ ଆରଭିଏନ୍‌ଏଲ୍‌ କେବଳ ଯୋଜନା କରୁଥିଲା। ହେଲେ ସଫଳ ହୋଇ ପାରୁନଥିଲା। ଖୋର୍ଦ୍ଧା ପଟୁ ଶହ ଶହ ଭାରୀଯାନ ଦୈନିକ ଆସୁଥିବାରୁ କେଉଁ ରାସ୍ତା ଦେଇ ଟ୍ରାଫିକ୍‌ ଗତିପଥ ବଦଳାଇବେ, ସେ ନେଇ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ବାଟ ବାହାରି ପାରୁନଥିଲା। ଏବେ ଏହି ବିକଳ୍ପ ଆରଓବି ପ୍ରକଳ୍ପ ପାଇଁ ବାଟ ଖୋଲିଛି। ହେଲେ ଏଠାରେ ଏକ ବଡ଼ ବସ୍ତି ରହିଛି। ଏହାକୁ ଉଚ୍ଛେଦ ନ କରି ଆରଓବି ନିର୍ମାଣ ଆରଭିଏନ୍‌ଏଲ୍‌ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର