ମରଣଯନ୍ତା ରାସ୍ତା ସଜାଡ଼ିଲେ ସ୍ଥାନୀୟ ଲୋକ

ଭୁବନେଶ୍ବର: ୩ବର୍ଷ ଭିତରେ ରାସ୍ତାରେ ମୁଠାଏ ମାଟି ପଡ଼ିଲା ନାହିଁ। ପ୍ରଶସ୍ତୀକରଣ, ଆଲୋକୀକରଣ ତ ବହୁ ଦୂରର କଥା। ତେଣୁ ରାସ୍ତା ସାରା ବଡ଼ବଡ଼ ଖାଲଖମା ସୃଷ୍ଟି ହେଲା ଓ ରାସ୍ତା ମରଣଯନ୍ତା ପାଲଟିଗଲା। ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଲା ନାହିଁ। ଲୋ‌କେ ଏହି ରାସ୍ତାରେ ଯାତାୟାତ କଲା ବେଳେ ଦୁର୍ଘଟଣାର ଶିକାର ହେଲେ। ଶେଷରେ ସ୍ଥାନୀୟ ଲୋକେ ନିଜ ହାତକୁ ଦାୟିତ୍ବ ନେଲେ ଓ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ। ମରାମତି ବାବଦ ଖର୍ଚ୍ଚ ପକେଟ୍‌ରୁ ବ୍ୟୟ କଲେ। ନିକଟସ୍ଥ ଇଟା ଭାଟିରୁ ଭଙ୍ଗା ଇଟା ବା ବିକ୍ରି ଯୋଗ୍ୟ ହୋଇନଥିବା ଇଟା ସଂଗ୍ରହ କରି ଖାଲରେ ପକାଇଛନ୍ତି। ଅନ୍ତତଃ ଯାତାୟାତ ସୁଗମ କରିବାକୁ ଖାଲଖମାତକ ପୋତି ସମତଳ କରିଛନ୍ତି। ଏମିତି ଏକ ଅଭିନବ ଉଦାହରଣ ସୃଷ୍ଟି କରିଛନ୍ତି ବାଲିଅନ୍ତା, ବେଣୁପୁର ଅଞ୍ଚଳର ଲୋ‌କେ।

ହଂସପାଳରୁ ସାଇଫନ୍‌ ଛକ କେନାଲ୍‌ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରାୟ ୩କିମି ପର୍ଯ୍ୟନ୍ତ ଏହି ରାସ୍ତା ସାରା କେବଳ ଖାଲଖମା ଭର୍ତ୍ତି। ଖାଲଢ଼ିପ ଭରା ଅଣଓସାରିଆ ଏହି ରାସ୍ତାରେ ଲୋକେ ବିପଜ୍ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି। ଅନେକ ସମୟରେ ରାସ୍ତାରେ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ ଫସି ରହୁଛି। ରାତି ସମୟରେ ଏହି ରାସ୍ତାରେ ଯା’ଆସ କରିବା ଆହୁରି ଭୟଙ୍କର। ଏ ଅବସ୍ଥା ଆଜିକାଲିର ନୁହେଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୩ ବର୍ଷ ହେଲା ଏମିତି ସ୍ଥିତି ଲାଗି ରହିଛି। ବାଲିଅନ୍ତା, ଜଗନ୍ନାଥପୁର, ଅଟଳା, ବେଣୁପୁର ପଞ୍ଚାୟତ ସମେତ ଆଖପାଖରେ ଥିବା ୩୦ରୁ ଊର୍ଧ୍ବ ଆପାର୍ଟମେଣ୍ଟର ହଜାର ହଜାର ଲୋକ ଏହି ରାସ୍ତାରେ ବଡ଼ ଦୟନୀୟ ଅବସ୍ଥାରେ ଚଳପ୍ରଚଳ ହୋଇ ଆସୁଛନ୍ତି। ଏବେ ସ୍ଥାନୀୟ ଲୋକେ ଅସ୍ଥାୟୀ ଭାବେ ମରାମତି କରିଥିଲେ ହେଁ ତୁରନ୍ତ ସ୍ଥା‌ୟୀ ମରାମତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର