ମଞ୍ଚେଶ୍ବର ଲେଭେଲ୍‌ କ୍ରସିଂରେ ନିର୍ମାଣ ହେବ ଆର୍‌ଓବି, ୬୧ କୋଟି ୯୦ ଲକ୍ଷ ବ୍ୟୟ ଅଟକଳକୁ ଅନୁମୋଦନ

ଭୁବନେଶ୍ବର: ଭିଏସଏସ୍‌ ନଗର ଓ ମଞ୍ଚେଶ୍ୱର ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ପ୍ରବଳ ଅସନ୍ତୋଷର କାରଣ ପାଲଟିଥିବା ମଞ୍ଚେଶ୍ବର ଲେଭେଲ୍‌ କ୍ରସିଂରେ ରେଳ ଓଭରବ୍ରିଜ୍‌(ଆରଓବି) ହେବାକୁ ଯାଉଛି। ଏଠାରେ ପୂର୍ତ୍ତ ବିଭାଗ ଖୁବ୍‌ଶୀଘ୍ର ଏହି ଆର୍‌ଓବି ନିର୍ମାଣ କରିବାକୁ ଯାଉଛି। ଏଥିରେ ୬୧ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଛି। ଏହି ଅଟକଳକୁ ପୂର୍ତ୍ତ ସଚିବ ପ୍ରଶାସନିକ ଅନୁମୋଦନ ଦେଇଛନ୍ତି। ଖର୍ଚ୍ଚ ହେବାକୁ ଥିବା ଏହି ୬୧ କୋଟି ୯୦ଲକ୍ଷ ଟଙ୍କାରୁ ରାଜ୍ୟ ସରକାର ୩୫ କୋଟି ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବାକି ୨୬ କୋଟି ୭୨ଲକ୍ଷ ଟଙ୍କାର ଖର୍ଚ୍ଚ ରେଳବାଇ ବହନ କରିବ। ଏ ସଂପର୍କରେ ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ଭିଏସ୍‌ଏସ୍‌ ନଗରରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ସଂଯୋଗ କରିବାକୁ ଥିବା ଏହି ଦ୍ବିତୀୟ ଆର୍‌ଓବି ଉପରେ କେବଳ ଭିଏସଏସ୍‌ନଗର ବାସିନ୍ଦା ନୁହନ୍ତି, ଚକେଇସିଆଣି, ମଞ୍ଚେଶ୍ୱର, ଇଡ୍‌କୋ କଲୋନି, ରଙ୍ଗମାଟିଆ ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରହୁଥିବା ହଜାରହଜାର ବାସିନ୍ଦା ଉପକୃତ ହେବେ। ଏହି ଅଞ୍ଚଳରେ ଥିବା ଏକାଧିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତ ଏହି ଆର୍‌ଓବି ନିଶ୍ଚିତ କରିବ। ଶିଳ୍ପାଞ୍ଚଳକୁ ଯାଉଥିବା ଶହଶହ ଗାଡ଼ି ମଧ୍ୟ ଅନାୟାସରେ ଯାତାୟାତ କରିବେ। ଏହି ଲେଭେଲ୍‌ କ୍ରସିଂରେ ଆଉ ଛିଡ଼ା ହେବାକୁ ପଡ଼ିବ ନାହିଁ। ଦୁର୍ଘଟଣା ଆଶଙ୍କା ମଧ୍ୟ ରହିବ ନାହିଁ।

ଯୋଜନା ମୁତାବକ, ଏହି ଆର୍‌ଓବି ପୂର୍ବ ପୋଲ ଭଳି ତିନିପାଖିଆ ହେବ। ଗୋଟିଏ ବାଟ ସୈନିକ ସ୍କୁଲ ଆଡ଼କୁ, ଗୋଟିଏ ବାଟ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଆଡ଼କୁ ଓ ଆଉ ଗୋଟିଏ ବ‌ାଟ ଭିଏସ୍‌ଏସ୍‌ ନଗର ଆଡ଼କୁ ରହିବ। ପୂର୍ବରୁ ମଧ୍ୟ ଏଭଳି ଏକ ତିନିପାଖିଆ ପୋଲ ରହିଛି। ଏହି ପୁରୁଣା ପୋଲଠାରୁ ନୂଆ ପୋଲଟି ୮ଶହ ମିଟର ଦୂରରେ ରହିବ। ଏହାର ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର