ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଉଲ୍ଲେଖନୀୟ

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ

ଭୁବନେଶ୍ବର: ରାଷ୍ଟ୍ର ଗଠନରେ ଗଣମାଧ୍ୟମରେ ଉଲ୍ଲେଖନୀୟ ଭୂମିକା ରହିଛି। ଯାହାକି ପ୍ରାକ୍‌ ସ୍ବାଧୀନତା ସମୟରୁ ଏହା ପ୍ରତିପାଦିତ ହୋଇଆସୁଛି। ସ୍ବାଧୀନତା ସଂଗ୍ରାମୀ, ଦେଶପ୍ରେମୀ ଓ ବରପୁତ୍ରମାନେ ଅନେକ ଗଣମାଧ୍ୟମରେ ଥିଲେ ବା ସ୍ବାଧୀନତା ପାଇଁ ଗଣମାଧ୍ୟମର ସହାୟତା ନେଉଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସକ୍ରିୟ ସହଯୋଗ ଓ ସଚେତନତା ସୃଷ୍ଟି ଫଳରେ ଦୁଇବର୍ଷ ମଧ୍ୟରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ କରାଯାଇଥିଲା। କୋଭିଡ୍‌ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକସଂର୍ପକ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଯୋଗ ଦେଇ ଏପରି ମତ ରଖିଛନ୍ତି।

ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ୍‌ ମହାନ୍ତି କହିଲେ, ଗଣମାଧ୍ୟମ ସବୁବେଳେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ପରି କାର୍ଯ୍ୟ କରିଆସିଛି। ଆମର ଦକ୍ଷ ମାନବ ସମ୍ବଳକୁ ଉପଯୋଗ ପାଇଁ ଗଣମାଧ୍ୟମ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ସଂପାଦିକା କସ୍ତୁରୀ ମହାପାତ୍ର ଯୋଗ ଦେଇ କହିଲେ, ସାମ୍ବାଦିକମାନଙ୍କର ଯୋଗଦାନ ରାଷ୍ଟ୍ର ନିର୍ମାଣରେ ଅନ୍ୟତମ ଅବଦାନ। ଏହି ଅବସରରେ ନ୍ୟୁଜ୍‌ ପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠାତା ଶଶାଙ୍କ ଶେଖର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେସ୍‌ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନର ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହୋଇଥିବା ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଅଧିକାରୀ ଦିପ୍ତିମୟୀ ମହାପାତ୍ର ସ୍ବାଗତ ଭାଷଣ ଓ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ବିଭାଗର ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ, ବିଶ୍ବଜିତ୍‌ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର