ବାଲିପାଟଣା: ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲର ସମ୍ପଦ। ସ୍କୁଲର ବିକାଶରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସେମାନେ ଚାହିଲେ ସ୍କୁଲର ଉନ୍ନତି ହୋଇପାରିବ ବୋଲି ବାଲିପାଟଣା ଚଣାହଟ୍ଟା ଜନ ବିଦ୍ୟାମନ୍ଦିରେ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

ବାଲିପାଟଣା ବ୍ଲକର ସର୍ବ ପୁରାତନ ଚଣାହଟ୍ଟା ଜନ ବିଦ୍ୟାମନ୍ଦିର ୧୯୭୪ ବ୍ୟାଚ ତରଫରୁ ବିଦ୍ୟାଳୟ ପରିସରରେ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହି‌ଲେ, ସ୍କୁଲର ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲେ ସ୍କୁଲର ଗୌରବ ବଢ଼ିବ। ସରକାରୀ ସ୍କୁଲ ପ୍ରତି ଥିବା ଧାରଣା ଦୂର ହେବା ସହ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ପ୍ରତି ଆକୃଷ୍ଠ ହେବେ। ଏହି ଅବସରରେ ସେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହାଛଡ଼ା ସ୍କୁଲର ସୁବିଧା ଅସୁବିଧା ସମ୍ପର୍କରେ ଜଣାଇଲେ ସେ ଯଥାସମ୍ଭବ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ୧୯୭୪ ବ୍ୟାଚର ସଭାପତି ଗୀତାଞ୍ଜଳି ବକ୍ସି, ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଦାଶ, ପମ୍ପାଲୋ ସରପଞ୍ଚ ବାହାନ ଭୋଇ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ପ୍ରଦୀପ୍ତ କୁମାର ଦାସ ସଭା ସଂଯୋଜନା କରିଥିଲେ। ଭୁବନେଶ୍ୱରର ଡକ୍ଟର ଅଗ୍ରୱାଲ ଆଇ ହସ୍ପିଟାଲ ପକ୍ଷରୁ ଶିବିର ପରିଚାଳନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୟବଲ୍ଲଭ ମହାନ୍ତି, ଇନ୍ଦ୍ରମଣି ତ୍ରିପାଠୀ, ରବୀନ୍ଦ୍ର ମିଶ୍ର, ରବୀନ୍ଦ୍ର ଭୋଇ, ବାଦଲ ଦାଶ, ବିନାୟକ ଭୋଳ, ପ୍ରସନ୍ନ କୁମାର ରାଉତରାୟ, ଧରଣୀଧର ସାହାଣୀ, ସନାତନ ସେଠୀ, ପୂର୍ଣ୍ଣଚନ୍ଦ୍ର ପାଉ, ନିରଞ୍ଜନ ମିଶ୍ର, ରବୀନ୍ଦ୍ର ସ୍ୱାଇଁ, ଲକ୍ଷ୍ମଣ ଭୋଳ, ଅବସରପ୍ରାପ୍ତ ଅଧ୍ୟାପକ ତଥା ସରାଟ ସୋସାଇଟି ସଭାପତି ଭାରତ ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ୭୦ ଜଣ ପୁରୁଷ ଏବଂ ମହିଳାଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।