ନୂଆ ପିଢ଼ିର ଗବେଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

‘ପ୍ରାଚୀନ ସାହିତ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସ୍ବରୂପ’ ଆଲୋଚନା

ଭୁବନେଶ୍ବର: ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ତେବେ ଏହାର ଭବିଷ୍ୟତକୁ ଅଧିକ ଉଜ୍ଜ୍ବଳମୟ କରିବା ପାଇଁ ନୂଆପିଢ଼ିର ଗବେଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଗବେଷକମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ। ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ‘ପ୍ରାଚୀନ ସାହିତ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସ୍ବରୂପ’ ଶୀର୍ଷକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି।

କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ରାଜେନ୍ଦ୍ର କୃଷି ବିଶ୍ବବିଦ୍ୟାଳୟ, ବିହାରର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସଂଯୋଜକ ରମେଶ ଚନ୍ଦ୍ର ମଲ୍ଲିକ ଶିଳାଲେଖର ଭାଷା ବିଷୟରେ ଆଲୋଚନା କରିଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସଙ୍ଘମିତ୍ରା ଭଞ୍ଜ ସାହିତ୍ୟରେ ଓଡ଼ିଆ ଭାଷାର ପ୍ରାଚୀନତାର ସ୍ବରୂପ ବିଷୟରେ ଆଲୋକପାତ କରିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଜ୍ଞାନୀ ଦେବାଶିଷ ମିଶ୍ର ସାରଳା ମହାଭାରତର ଭାଷା ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରର ବରିଷ୍ଠ ଗବେଷକ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ହିମାଦ୍ରୀତନୟା ମିଶ୍ର, ଅମ୍ବରୀଶ ଶତପଥୀ, ମନସା ଶ୍ରୀଚନ୍ଦନ, ଜ୍ୟୋତିପ୍ରଭା ମହାନ୍ତି ଓ ମିତାଲି ମଧୁସ୍ମିତା ମହାନ୍ତି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। ବିଜୟଲକ୍ଷ୍ମୀ ମହାନ୍ତି, ରମେଶ ଚନ୍ଦ୍ର ପାଣି, ପ୍ରେମାନନ୍ଦ ମହାପାତ୍ର, ସନ୍ତୋଷ କୁମାର ରଥ, ନିର୍ମଳ କୁମାର ମହାପାତ୍ର, ସୂର୍ଯ୍ୟମଣି ତ୍ରିପାଠୀ, ପ୍ରସନ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷକ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର